Image Source: India Today
ଗୌହାଟି: ଆସାମର ଡିବ୍ରୁଗଡ଼ ଜିଲ୍ଲା ଅନ୍ତର୍ଗତ ବୁର୍ହି ଦିହିଙ୍ଗ୍ ନଈରେ ନିଆଁ ଲାଗି ଗୋଟାଏ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି।
ପ୍ରାପ୍ତ ଖବର ଅନୁସାରେ, ଡିବ୍ରୁଗଡ଼ ଜିଲ୍ଲାର ନହରକାଟିଆ ଅଞ୍ଚଳର ସାସନୋଇ ଗାଁ ନିକଟ ଦିଘୋଲିବିଲ୍ ଠରେ ବୁର୍ହି ଦିହିଙ୍ଗ୍ ନଈ ମଧ୍ୟରେ ଅଗ୍ନିକାଣ୍ଡ ଘଟିଛି। ଅଳ୍ପ କେଇ ଦିନ ହେବ ନିଆଁର ଲେଲିହାନ ଶିଖା ସେ ସ୍ଥାନକୁ ଆଚ୍ଛାଦିତ କରି ରଖିଛି।
ଏ ପର୍ଯ୍ୟନ୍ତ ଲିଭି ନ ଥିବା ସେ ନିଆଁ ନଈ ମଧ୍ୟ ଦେଇ ଯାଇଥିବା ଗୋଟାଏ ତେଲ ପାଇପ୍ ଫାଟି ଯିବାରୁ ଘଟିଛି ବୋଲି କୁହାଯାଉଛି।
ତିନି ଦିନ ତଳେ ଗ୍ରାମବାସୀମାନେ ନଈରେ ନିଆଁ ଜଳୁଥିବା ଦେଖି ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। କିନ୍ତୁ ନିଆଁ ଲିଭାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସରକାରୀ କର୍ତ୍ତୃପକ୍ଷମାନେ ଏଯାବତ୍ କୌଣସି ପଦକ୍ଷେପ ନେଇ ନାହାନ୍ତି।
Image Source: News Nationନଈରେ ଜଳୁଥିବା ନିଆଁର ଶିଖା ଏବଂ ସେଥିରୁ ଉଠୁଥିବା କଳା ଧୂଆଁ ଦେଖି ସ୍ଥାନୀୟ ଅଧିବାସୀଙ୍କ ମନରେ ଛନକା ପଶିଯାଇଛି। ଏହାର କିଛି ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ଏହି ଅଶୋଧିତ ତୈଳବାହୀ ପାଇପ୍ରେ କଣା କରି ଦୁର୍ବୃତ୍ତମାନେ ତେଲ ଚୋରାଇ ନେବାକୁ ଉଦ୍ୟମ କରିଥିବାରୁ ଏ ଭଳି ହୋଇଥାଇ ପାରେ ବୋଲି କୁହାଯାଉଛି।
ସଦ୍ୟତମ ଖବର ଅନୁସାରେ, ଦୁର୍ହି ଦିହିଙ୍ଗ୍ ନଈର ନିଆଁକୁ ନିୟନ୍ତ୍ରଣ କରାଯାଇଥିବା କଥା ସରକାରୀ କର୍ତ୍ତୃପକ୍ଷ କହୁଛନ୍ତି।
Follow Us