ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ (ଆଇଆର୍ସିଟିସି) ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ଅଦାଲତ ସୋମବାର ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ସଭାପତି ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଦୁର୍ନୀତି, ଆପରାଧିକ ଷଡ୍ଯନ୍ତ୍ର ଓ ଠକେଇ ଅଭିଯୋଗରେ ଚାର୍ଜଫ୍ରେମ୍ କରିଛନ୍ତି। ତାଙ୍କ ପତ୍ନୀ ରାବଡ଼ୀ ଦେବୀ ଓ ପୁଅ ତେଜସ୍ୱୀ ଯାଦବଙ୍କ ବିରୋଧରେ ବି ଷଡ୍ଯନ୍ତ୍ର ଓ ଠକେଇ ଅଭିଯୋଗ ହୋଇଛି। ଏହି ମାମଲା ଲାଲୁଙ୍କ ରେଳମନ୍ତ୍ରୀ କାର୍ଯ୍ୟକାଳରୁ ଆରମ୍ଭ ହୋଇଛି। ପାଟନାର ପ୍ରମୁଖ ଜମି ବଦଳରେ ଲାଲୁ ଦୁଇଟି ଆଇଆର୍ସିଟିସି ହୋଟେଲର ପରିଚାଳନା ଓ ରକ୍ଷଣାବେକ୍ଷଣ ଚୁକ୍ତିନାମା ପ୍ରଦାନ କରିବା ପାଇଁ ଏକ ଘରୋଇ କମ୍ପାନିକୁ ସମର୍ଥନ କରିଥିବା ଅଭିଯୋଗ ହୋଇଛି।
ଲାଲୁ ପ୍ରସାଦ ଯାଦବ ହସ୍ତକ୍ଷେପ କରିଥିଲେ ଏବଂ ଟେଣ୍ଡର ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଥିଲା ବୋଲି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେ କହିଛନ୍ତି। ଜମିର କମ୍ ମୂଲ୍ୟାୟନ କରାଯାଇଥିଲା ଏବଂ ରାବଡ଼ୀ ଦେବୀ ଓ ଲାଲୁ ପ୍ରସାଦ ଯାଦବଙ୍କୁ ଏହା ଦିଆଯାଇଥିଲା। ଏହାଦ୍ୱାରା ସରକାରୀ ରାଜକୋଷର କ୍ଷତି ଘଟିଛି ବୋଲି ବିଚାରପତି କହିଛନ୍ତି। ଲାଲୁଙ୍କୁ ଅଭିଯୋଗ ପଢ଼ି ଶୁଣାଇବାବେଳେ କୋର୍ଟ କହିଛନ୍ତି: ଆପଣ ଷଡ୍ଯନ୍ତ୍ରରେ ଲିପ୍ତ ଥିଲେ, ଆପଣ ମନ୍ତ୍ରୀ ଭାବରେ ନିଜ ପଦର ଅପବ୍ୟବହାର କରିଥିଲେ, ଟେଣ୍ଡରକୁ ପ୍ରଭାବିତ କରିଥିଲେ। ଟେଣ୍ଡରର ଯୋଗ୍ୟତା ସର୍ତ୍ତାବଳୀରେ ହେରଫେର କରାଯାଇଥିଲା। ଆପଣ ଜମିକୁ ସ୍ବଳ୍ପ ମୂଲ୍ୟରେ କ୍ରୟ ପାଇଁ ଷଡ୍ଯନ୍ତ୍ର କରିଥିଲେ। ଅକ୍ଟୋବର ଶେଷ ଭାଗରେ ଏହି ମାମଲାରେ ଏକ ଦୈନନ୍ଦିନ ଶୁଣାଣି ଆରମ୍ଭ ହେବାର ସମ୍ଭାବନା ରହିଛି। ବିହାର ବିଧାନସଭା ମୁଣ୍ଡ ଉପରେ ଥିବାବେଳେ ଲାଲୁ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଚାର୍ଜ ଫ୍ରେମ୍ ଆର୍ଜେଡିର ଅଡ଼ୁଆ ବଢ଼ାଇ ଦେଇଛି।
ଆଇଆର୍ସିଟିସି ଦୁର୍ନୀତି ମାମଲା
ଉଳ୍ଲେଖଯୋଗ୍ୟ, ଏହି ଦୁର୍ନୀତି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରୁଛି। ଲାଲୁ, ରାବଡ଼ୀ ଓ ୨୦୧୮ରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। କେନ୍ଦ୍ରୀୟ ଏଜେନ୍ସି ଅନୁଯାୟୀ, ରାଞ୍ଚି ଓ ପୁରୀରେ ଦଶନ୍ଧି ପୁରୁଣା ବେଙ୍ଗଲ ନାଗପୁର ରେଲୱେ (ବିଏନ୍ଆର୍) ହୋଟେଲର ବିକାଶ, ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଏକ ଘରୋଇ କମ୍ପାନି ସୁଜାତା ହୋଟେଲକୁ ଆବଣ୍ଟିତ ଟେଣ୍ଡରରେ ଅନିୟମିତତା ହୋଇଛି। ସିବିଆଇ ଅଭିଯୋଗ କରିଥିଲା ଯେ, ଲାଲୁ ତାଙ୍କ ପଦର ଅପବ୍ୟବହାର କରି ନିର୍ଦ୍ଦେଶକ ବିନୟ ଓ ବିଜୟ କୋଚ୍ଚରଙ୍କ ମାଲିକାନାରେ ଥିବା ସୁଜାତା ହୋଟେଲକୁ ସମର୍ଥନ କରିଥିଲେ। ଏହାର ପ୍ରତିବଦଳରେ ଲାଲୁ ଯାଦବ ଡିଲାଇଟ୍ ମାର୍କେଟିଂ କମ୍ପାନି ନାମକ ଏକ ବେନାମୀ କମ୍ପାନି ମାଧ୍ୟମରେ ବଜାର ମୂଲ୍ୟଠାରୁ ଯଥେଷ୍ଟ କମ୍ ମୂଲ୍ୟରେ ୧.୫ କୋଟି ଟଙ୍କାରେ ‘ଉଚ୍ଚ ମୂଲ୍ୟର ପ୍ରିମିୟମ୍ ଜମି’ ହାସଲ କରିଥିଲେ। ୨୦୧୦ରୁ ୨୦୧୪ ମଧ୍ୟରେ କମ୍ପାନିର ମାଲିକାନା ରାବଡ଼ୀ ଓ ତେଜସ୍ୱୀଙ୍କୁ ଧୀରେ ଧୀରେ ହସ୍ତାନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଲାଲୁ ଯାଦବ ଓ ତାଙ୍କ ପରିବାର ବିରୋଧରେ ‘ଚାକିରି ପାଇଁ ଜମି ଦୁର୍ନୀତି’ ଘଟଣାର ତଦନ୍ତ କରୁଛନ୍ତି। ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ସମୟରେ ୨୦୦୪ରୁ ୨୦୦୯ ମଧ୍ୟରେ କେନ୍ଦ୍ରୀୟ ରେଳବାଇରେ ଗ୍ରୁପ୍-ଡି ଚାକିରିରେ ନିଯୁକ୍ତି ବଦଳରେ ଶସ୍ତା ଦରରେ ଅନେକ ଜମି ହାତେଇଥିବା ଅଭିଯୋଗ ହୋଇଛି। ସେହି ମାମଲାରେ ଏପର୍ଯ୍ୟନ୍ତ ଚାର୍ଜଫ୍ରେମ୍ ହୋଇନାହିଁ।
Follow Us