Image Courtesy of Daily Observer
ନୂଆଦିଲ୍ଲୀ: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଥିବା ବାଗ୍ଦାଦ୍ର ଗ୍ରିନ୍ ଜୋନ୍ରେ ରକେଟ୍ ଆକ୍ରମଣ ହେବାରୁ ୨ଜଣ ପିଲା, ଜଣେ ମହିଳାଙ୍କ ସମେତ ୩ଜଣ ଆହତ ହୋଇଥିବା କଥା ବିବୃତି ଦେଇ ଦୂତାବାସ ଏବଂ ଇରାକୀୟ ସେନା କହିଛି।
ସମ୍ପୃକ୍ତ ଅଞ୍ଚଳରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର କର୍ମଚାରୀମାନେ ନିରାପଦ ଥିବା କଥା ଜଣେ ବୈଦେଶିକ ବିଭାଗ ଅଧିକାରୀ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ନିକ୍ଷେପ କରାଯାଇଥିବା ରକେଟ୍ଗୁଡ଼ିକ ମଧ୍ୟରୁ ଗୋଟିଏ ଏକ ସ୍କୁଲ୍ରେ ପଡ଼ିଥିବା ବେଳେ ଆଉ ଦୁଇଟି ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସ ପ୍ରାଙ୍ଗଣରେ ପଡ଼ିଥିଲା।
ନାମ ଗୋପନ ରଖିବାକୁ ଅନୁରୋଧ କରି ଜଣେ ଶୀର୍ଷସ୍ତରୀୟ ଇରାକୀୟ ସରକାରୀ ଅଧିକାରୀ କହିଛନ୍ତି, ଗ୍ରିନ୍ ଜୋନ୍ ଆଡ଼କୁ ୩ଟି ରକେଟ୍ ନିକ୍ଷେପ କରାଯାଇଥିଲା। ସେଥିରୁ ଦୁଇଟି ଆମେରିକୀୟ ଦୂତାବାସ ପ୍ରାଙ୍ଗଣରେ ପଡ଼ିଲା ଏବଂ ଅନ୍ୟଟି ଗୋଟାଏ ସ୍କୁଲ୍ ପାଖରେ ପଡ଼ିବାରୁ ଜଣେ ମହିଳା, ଗୋଟାଏ ବାଳିକା ଓ ଗୋଟାଏ ବାଳକ ଆହତ ହୋଇଛନ୍ତି।
Image Courtesy of CNNଏ ସଂକ୍ରାନ୍ତରେ ବିବୃତି ଦେଇ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ କହିଛି, ଇରାକ୍ର ନିରାପତ୍ତା, ସାର୍ବଭୌମତ୍ବ ଏବଂ ଆନ୍ତର୍ଜାତିକ ସମ୍ପର୍କକୁ ବେଖାତିର କରିବାକୁ ଉଦ୍ୟମ ଆଜି ସନ୍ଧ୍ୟାରେ ଯୁକ୍ତରାଷ୍ଟ୍ର ଆମେରିକା ଦୂତାବାସ ପରିସରରେ ଆତଙ୍କବାଦୀ ସଂଗଠନ ସବୁ ଆକ୍ରମଣ କରିଥିଲେ।
ଦୀର୍ଘ ଦିନରୁ ଆମେ କହି ଆସିଛି ଏ ଧରଣର ଘୃଣ୍ୟ ଆକ୍ରମଣ କେବଳ ଦୂତାବାସ ଉପରେ ଆକ୍ରମଣ ନୁହେଁ, ଇରାକ୍ର ସାର୍ବଭୌମତ୍ବ ଉପରେ ଆକ୍ରମଣ।
ଇରାକୀୟ ସେନା କହିଛି, ବାଗ୍ଦାଦ୍ର ଗ୍ରିନ୍ ଜୋନ୍ରେ ରହୁଥିବା ନିରୀହ ବାସିନ୍ଦା ଏବଂ ଦୂତାବାସ ମୁଖ୍ୟାଳୟଗୁଡ଼ିକ ଉପରେ ଭୀରୁ ଆତଙ୍କବାଦୀ ଆକ୍ରମଣ।
ବାଗ୍ଦାଦ୍ ପାଖରେ ଅବସ୍ଥିତ ଡୋରାରୁ ମଧ୍ୟ କେତୋଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ବୋଲି ଇରାକ୍ ସେନା କହିଛି। ନିରାପତ୍ତା ବଳ ସମ୍ପ୍ରତି ଉକ୍ତ ଘଟଣାର ତଦନ୍ତ କରୁଛି।
Follow Us