ଜି-୨୦ ପ୍ରତିନିଧି ମଣ୍ଡଳୀକୁ ରାଜସ୍ଥାନର ରାଜକୀୟ ଭୋଜନରେ ଆପ୍ୟାୟିତ କରାଯିବ

Advertisment
ଜି-୨୦ ପ୍ରତିନିଧି ମଣ୍ଡଳୀକୁ ରାଜସ୍ଥାନର ରାଜକୀୟ ଭୋଜନରେ ଆପ୍ୟାୟିତ କରାଯିବ

ଉଦୟପୁର:  ସ୍ବାଦିଷ୍ଟ ଡାଲ୍‌ ବାଟି ଚୁର୍ମା କିମ୍ବା ଯୋଧପୁରୀ କାବୁଲି ପଲାଓ ସମ୍ବଳିତ ଚମତ୍କାର ଭୋଜନ, ତା’ପରେ ବିକାନେରୀ ଘେଭର କିମ୍ବା ଯୋଧପୁରୀ ମାୱା କଚୌରୀ ଭଳି ସ୍ୱାଦିଷ୍ଟ ମିଠାରେ ଜି-୨୦ ପ୍ରତିନିଧି ମଣ୍ଡଳୀକୁ ଆପ୍ୟାୟିତ କରାଯିବ। ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କଲାପରେ ଉଦୟପୁରରେ ଆୟୋଜିତ ହେବାକୁ ଥିବା ପ୍ରଥମ ଶେର୍ପା ବୈଠକରେ ଯୋଗଦେବାକୁ ଆସୁଥିବା ଜି-୨୦ ଦେଶର ପ୍ରତିନିଧିମାନେ ବିଭିନ୍ନ ପ୍ରକାରର ରାଜସ୍ଥାନୀ ସୁସ୍ୱାଦୁ ଖାଦ୍ୟର ମଜା ନେଇ ପାରିବେ।

ପ୍ରତିନିଧିମାନେ ରବିବାର ଦିନ ହ୍ରଦ ସହର ଉଦୟପୁରରେ ପହଞ୍ଚିବେ ଓ ସୋମବାର ଏବଂ ମଙ୍ଗଳବାର ଦିନ ବୈଠକ ଅନୁଷ୍ଠିତ ହେବ। ବୁଧବାର ଦିନ ସେମାନେ ପଲି ଜିଲ୍ଲାର ରାଜସମନ୍ଦ ଏବଂ ରଣକପୁର ଜୈନ ମନ୍ଦିର, ୧୫ତମ ଶତାବ୍ଦୀର ଚମତ୍କାର କୁମ୍ଭାଲଗଡ ଦୁର୍ଗ ପରିଦର୍ଶନ କରିବେ।

ରାଜସ୍ଥାନୀ ଖାଦ୍ୟ ବ୍ୟତୀତ ଏହି ପ୍ରତିନିଧିମଣ୍ଡଳୀଙ୍କୁ ୪  ଦିନ ମଧ୍ୟରେ ଦକ୍ଷିଣ-ଭାରତୀୟ ଖାଦ୍ୟ, ହାଇଦ୍ରାବାଦୀ, ଗୁଜୁରାଟୀ ଏବଂ ପଞ୍ଜାବୀ ସୁସ୍ୱାଦୁ ଖାଦ୍ୟ ମଧ୍ୟ ପରିବେଷଣ କରାଯିବ ବୋଲି ଉଦୟପୁର ପର୍ଯ୍ୟଟନ ଉପନିର୍ଦ୍ଦେଶକ ଶିଖା ସାକ୍ସେନା କହିଛନ୍ତି। ପ୍ରସିଦ୍ଧ ଡାଲି, ବାଟି ଏବଂ ଚୁର୍ମା, ଗାଟା ତରକାରୀ, କେର୍‌ ସାଙ୍ଗରି, ରାଜସ୍ଥାନୀ ଗାଟା ପଲାଓ ପରିବେଷଣ କରାଯିବ। ଭାରତୀୟ ମିଠାରେ ବିକାନେରୀ ଘେଭର, ଯୋଧପୁରୀ ମାୱା କଚୌରୀ ସମେତ ତିନି ପ୍ରକାରର ଶ୍ରୀଖଣ୍ଡ, କେସର ଖିର, ମଲାଇ ଘେଭର, ରସଗୋଲା, ମଖନ ବାଡା ମୁଖ୍ୟ ଆକର୍ଷଣ ରହିବ। ଅଧିକନ୍ତୁ, ମୋତିଚୁର, ବେସନ ଲଡ଼ୁ ଏବଂ ଶୁଖିଲା ଫଳ ମଧ୍ୟ ମେନ୍ୟୁରେ ରହିବ।

ରବିବାର ଦିନ ପ୍ରତିନିଧିମାନଙ୍କ ପାଇଁ ହୋଟେଲ ଲୀଲା ପ୍ୟାଲେସରେ ଏକ ଭବ୍ୟ ଅଭ୍ୟର୍ଥନାର ଆୟୋଜନ କରାଯିବ। ପରଦିନ ହୋଟେଲ ତାଜ ଫତେହ ପ୍ରକାଶ ପ୍ୟାଲେସର ଦରବାର ହଲରେ ଆଲୋଚନା ଆରମ୍ଭ ହେବ।
ସେମାନଙ୍କ ଗସ୍ତ ସମୟରେ ପ୍ରତିନିଧିମାନେ ସିଟି ପ୍ୟାଲେସ୍‌ ଏବଂ ଜଗମନ୍ଦିର ପରିଦର୍ଶନ କରିବେ, ଯେଉଁଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe