ତାମିଲନାଡୁର ସ୍ୱାଧୀନ ପ୍ରାର୍ଥୀ ଦେଲେ ଏଭଳି ପ୍ରତିଶ୍ରୁତି : ପ୍ରତି ପରିବାରକୁ ୧ କୋଟି ଟଙ୍କା, ତିନିମହଲା କୋଠା ଓ ଚନ୍ଦ୍ର ଭ୍ରମଣ

ତାମିଲନାଡୁର ସ୍ୱାଧୀନ ପ୍ରାର୍ଥୀ ଦେଲେ ଏଭଳି ପ୍ରତିଶ୍ରୁତି : ପ୍ରତି ପରିବାରକୁ ୧ କୋଟି ଟଙ୍କା, ତିନିମହଲା କୋଠା ଓ ଚନ୍ଦ୍ର ଭ୍ରମଣ

ନୂଆଦିଲ୍ଲୀ : ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଲୋକମାନେ ଏବେ ଭୋଟରମାନଙ୍କୁ ପ୍ରତିଶ୍ରୁତିରେ ପୋତି ପକାଉଛନ୍ତି । କିଏ ଜିତିଲେ ଚାକିରିର ଗ୍ୟାରେଣ୍ଟି ଦେଉଛି ତ କିଏ କଳ କାରଖାନା ନିର୍ମାଣର ପ୍ରତିଶ୍ରୁତି । କିଏ ଭତ୍ତା ବୃଦ୍ଧି କରିବାକୁ କହୁଛି ତ କିଏ ସୁଶାସନ ଦେବାକୁ ପ୍ରତିଶ୍ରୁତି ଦେଉଛି । ହେଲେ ତାମିଲନାଡୁର ଜଣେ ସ୍ୱାଧୀନ ପ୍ରାର୍ଥୀ ଲୋକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ତାମିଲନାଡୁର ମଦୁରାଇ ବିଧାନସଭା ଆସନରୁ ନିର୍ଦ୍ଦଳୀୟ  ପ୍ରାର୍ଥୀ ହୋଇଥିବା ଥୁଲମ୍ ସରବନନ ଲୋକମାନଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି । ସେ କହିଛନ୍ତି,  ଯଦି ନିର୍ବାଚନ ଜିତିବେ ତେବେ ପ୍ରତି ପରିବାରକୁ ଗୋଟିଏ ହେଲିକପ୍ଟର, କୋଟିଏ ଟଙ୍କାର ଫିକ୍ସଡ୍ ଡିପୋଜିଟ, ବାହାଘରରେ ସୁନା, ପ୍ରତି ପରିବାରକୁ ୩ ମହଲା କୋଠା, ଗରମରୁ ରକ୍ଷା ପାଇବାକୁ ୩୦୦ ଫୁଟର ବରଫ ପାହାଡ ଦେବେ।

କେବଳ ଏତିକି ନୁହେଁ, “ମୁଁ ଯଦି ନିର୍ବାଚନ ଜିତିବି ତେବେ ପ୍ରତି ଭୋଟରଙ୍କୁ ଚନ୍ଦ୍ର ଭ୍ରମଣ କରାଇବି” ବୋଲି କହିବାକୁ ପଛାଇ ନାହାନ୍ତି ଥୁଲମ୍। ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ନିର୍ବାଚନ ଜିତିଲେ ପ୍ରତି ଗୃହିଣୀଙ୍କୁ ଘରକାମରେ ସହାୟତା କରିବାକୁ ଗୋଟିଏ ଗୋଟିଏ ରୋବଟ୍ ଦେବାକୁ ବି କହିଛନ୍ତି।

ଏତେ ସବୁ ପ୍ରତିଶ୍ରୁତି ଦେଇଥିବା ସ୍ୱାଧୀନ ପ୍ରାର୍ଥୀ ସରବନନ ୨୦ ହଜାର ଟଙ୍କା ଋଣ କରି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ହେଲେ ସେ ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଏଭଳି ପ୍ରତିଶ୍ରୁତି ଦେବାର ଅର୍ଥ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବାଚନ ମଇଦାନକୁ ଅଣାଯାଉଥିବା ପ୍ରାର୍ଥୀମାନଙ୍କୁ ଜାଗୃତ କରିବା । ‘ମୁଁ ଚାହୁଁଛି କି ରାଜନୈତିକ ଦଳମାନେ ଭଲ ପ୍ରାର୍ଥୀ ଚୟନ କରନ୍ତୁ, ଏହାସହ ନେତାମାନଙ୍କ ମନରେ ବଡ ବଡ ପ୍ରତିଶ୍ରୁତି ଦେବାକୁ  ଉତ୍ସାହ ଆସୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe