Image Courtesy of Hindustan Times
ନୂଆଦିଲ୍ଲୀ: ଅକ୍ଟୋବର ୪ ତାରିଖରେ ହେବାକୁ ନିର୍ଦ୍ଧାରିତ ହୋଇଥିବା ‘ସିଭିଲ୍ ସର୍ଭିସେସ୍’ (ପ୍ରିଲିମିନାରି) ପରୀକ୍ଷା ବାତିଲ ଲାଗି କରାଯାଇଥିବା ଆବେଦନଗୁଡ଼ିକୁ ବୁଧବାର ଦିନ ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି। କିନ୍ତୁ, ଏଥିସହ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଶେଷ ଉଦ୍ୟମରେ ଅବତୀର୍ଣ୍ଣ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କ ନିମନ୍ତେ କିଛି କୋହଳ କରାଯାଉ।
ଏହି ପରୀକ୍ଷା କରାଇବା ନିମନ୍ତେ ‘ୟୁନିୟନ ପବ୍ଲିକ୍ ସର୍ଭିସ୍ କମିସନ୍’ (ୟୁପିଏସ୍ସି) ୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଥିବା କଥା ମଙ୍ଗଳବାର ଦିନ ସୁପ୍ରିମ୍ କୋର୍ଟରେ ଦାଖଲ କରାଯାଇଥିବା ଏକ ସତ୍ୟପାଠରୁ ଜଣାପଡ଼ିଛି।
ଏଥିରେ ‘ୟୁପିଏସ୍ସି’ ଉଲ୍ଲେଖ କରିଛି, ପରୀକ୍ଷା ପରିଚାଳନା ନିମନ୍ତେ ପରିବହନ ପ୍ରସ୍ତୁତି ବାବଦରେ ୧୬.୦୯ କୋଟି ଟଙ୍କା ବକେୟା ସମେତ କମିସନ୍ ୫୦. ୩୯ କୋଟି ଟଙ୍କା ଖର୍ଚ୍ଚ କରିସାରିଛି। ପରୀକ୍ଷା ବାତିଲ କଲେ ଦେଶର ରାଜକୋଷ ବିପୁଳ କ୍ଷତି ସହିବ। କମିସନ୍ କରାଉଥିବା କେତେକ ପରୀକ୍ଷା ମଧ୍ୟ ଇତିମଧ୍ୟରେ ବାତିଲ୍ କରାଯାଇଛି, କିନ୍ତୁ, ଖାଲି ପଡ଼ିଥିବା ସରକାରୀ ଚାକିରି ପୂରଣ ନିମନ୍ତେ ୨୦୨୦ ‘ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରି) ପରୀକ୍ଷା ଗୁରୁତ୍ବପୂର୍ଣ୍ଣ।
Image Courtesy of Hindustan Timesଏହାଛଡ଼ା ପରୀକ୍ଷା ଆଉ ବିଳମ୍ବ ନ କରାଇବା କାରଣ ବୁଝାଇବାକୁ ଯାଇ କମିସନ୍ କହିଛନ୍ତି, ଅକ୍ଟୋବର ୪ ତାରିଖ ବିଳମ୍ବର ଚରମ ସୀମାରେ ପହଞ୍ଚିଲାଣି। ଆହୁରି ବିଳମ୍ବ ହେଲେ ‘ସିଭିଲ୍ ସର୍ଭିସେସ୍ (ମେନ୍) ପରୀକ୍ଷା ନିମନ୍ତେ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ବିଭ୍ରାଟ ଘଟିବ। ପୁଣି ପଛକୁ ପଛ ଏ ବର୍ଷର ଅନ୍ୟାନ୍ୟ ପରୀକ୍ଷାଗୁଡ଼ିକ ମଧ୍ୟ ଆସୁଛି।
ଏଠାରେ ସୂଚାଇ ଦିଆଯାଇ ପାରେ କି, ଏବର୍ଷ ସିଭିଲ୍ ସର୍ଭିସେସ୍ ପରୀକ୍ଷା’ ନିମନ୍ତେ ୧.୦୫୮ ନିୟୁତ ପ୍ରାର୍ଥୀ ଆବେଦନ କରିଛନ୍ତି। ସୋମବାର ସୁଦ୍ଧା ସେମାନଙ୍କ ମଧ୍ୟରୁ ୦.୬୮୭ (୬୫%) ଇ-ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିସାରିଛନ୍ତି। ୭୨ଟି ପରୀକ୍ଷା କେନ୍ଦ୍ରର ୨, ୫୬୯ଟି ସ୍ଥାନରେ ଏହି ପରୀକ୍ଷା କରାଯିବ।
Follow Us