Image Courtesy of India Today
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ଆସନ ସଂଖ୍ୟା କମିଯିବା ପ୍ରସଙ୍ଗରେ ବରିଷ୍ଠ ଆର୍ଏସ୍ଏସ୍ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ନେତା ଇନ୍ଦ୍ରେଶ କୁମାର ଦେଇଥିବା ଟିପ୍ପଣୀକୁ ନେଇ ବିବାଦ ଲାଗି ରହିଛି। ଆଜି ଇନ୍ଦ୍ରେଶ କୁମାର ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ନିଜର ପୂର୍ବ ଟିପ୍ପଣୀରୁ ସମ୍ପୂର୍ଣ୍ଣ ୟୁ-ଟର୍ନ ନେଇ ଇନ୍ଦ୍ରେଶ କୁମାର କହିଛନ୍ତି, ନିର୍ବାଚନ ଫଳ ଏହା ଦର୍ଶାଇଛି ଯେ ଯେଉଁମାନେ ପ୍ରଭୁ ଶ୍ରୀରାମଙ୍କୁ ବିରୋଧ କରୁଥିଲେ ସେମାନେ ହାରିଲେ ଏବଂ ଯେଉଁମାନେ ପ୍ରଭୁ ଶ୍ରୀରାମଙ୍କ ମହନୀୟତା ଫେରାଇ ଆଣିବାପାଇଁ ଲକ୍ଷ୍ୟ ରଖିଥିଲେ ସେମାନେ କ୍ଷମତାରେ ଅଛନ୍ତି। ଅନ୍ୟପକ୍ଷେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ‘ପ୍ରକୃତ ସେବକ’ ଟିପ୍ପଣୀ ପରେ ବିଜେପି ଏବଂ ଆର୍ଏସ୍ଏସ୍ ମଧ୍ୟରେ କିଛି ବିବାଦ ହୋଇଛି ବୋଲି ଚର୍ଚ୍ଚା ହେଉଥିବାବେଳେ ଆର୍ଏସ୍ଏସ୍ ଏହାକୁ ଖଣ୍ଡନ କରିଛି।
ଆର୍ଏସ୍ଏସ୍ ପକ୍ଷରୁ ଏହା କୁହାଯାଇଛି ଯେ ସଂଗଠନ ଏବଂ ବିଜେପି ମଧ୍ୟରେ କୌଣସି ପ୍ରକାର ବିବାଦ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଗତ ସୋମବାର ଦିନ ଭାଗବତ କହିଥିଲେ, ‘ଜଣେ ପ୍ରକୃତ ସେବକ ସମ୍ମାନ ରକ୍ଷା କରନ୍ତି। ସେ କାମ କଲାବେଳେ ଶୃଙ୍ଖଳା ରକ୍ଷା କରନ୍ତି ଏବଂ କେବେ ବି ମୁଁ ଏହି କାମ କରିଛି ବୋଲି ଅହଙ୍କାର ରଖନ୍ତିନାହିଁ। କେବଳ ସେମିତି ମଣିଷକୁ ହିଁ ‘ପ୍ରକୃତ ସେବକ’ କୁହାଯିବ। ଅନ୍ୟପକ୍ଷେ ଆର୍ଏସ୍ଏସ୍ ନେତା ଇନ୍ଦ୍ରେଶ କୁମାର ଗତକାଲି କହିଥିଲେ ଯେ ଯେଉଁ ଦଳ ପ୍ରଭୁ ଶ୍ରୀରାମଙ୍କୁ ଭକ୍ତି କଲା ଏବଂ ଅହଙ୍କାରୀ ହେଲା ସେହି ଦଳ ୨୪୦ରେ ଅଟକିଲା। ଅନ୍ୟପକ୍ଷେ ଏହା ସବୁଠାରୁ ବଡ଼ ଦଳ ହେଲା। କିନ୍ତୁ ପ୍ରଭୁ ଶ୍ରୀରାମଙ୍କୁ ଯେଉଁମାନେ ବିରୋଧ କଲେ ଏବଂ ପ୍ରଭୁ ଶ୍ରୀରାମଙ୍କ ଉପରେ ବିଶ୍ବାସ ରଖିଲେନି ସେମାନେ ୨୩୪ରେ ଅଟକିଗଲେ।
Follow Us