Image Courtesy of India Today
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୧ ଆକ୍ରମଣର ୨୦ଶ ବାର୍ଷିକୀରେ ‘ଅଲ୍-କାଏଦା’ର ଗଣମାଧ୍ୟମ ବିଭାଗ ‘ଆସ୍-ସାହବ୍’ ଐମାନ୍ ଅଲ୍-ଜୱାହିରିଙ୍କ ୬୦ ମିନିଟ୍ର ଭିଡିଓ ବିବୃତି ରିଲିଜ୍ କରିଛି। ସହଜରେ ଦେଖା ଦେଉ ନ ଥିବା ‘ଅଲ୍-କାଏଦା’ ନେତା ଐମାନ୍ ଅଲ୍-ଜୱାହିରି ମୃତ ବୋଲି ଗୁଜବ ଉଠିଥିଲା।
‘ଟେଲିଗ୍ରାମ୍’ରେ ରିଲିଜ୍ ହୋଇଥିବା ବୃତ୍ତଚିତ୍ର ଶୈଳୀର ଏହି ଭିଡିଓର ଶୀର୍ଷକ ରହିଛି: ‘ଜେରୁଜେଲମ୍ ୱିଲ୍ ନଟ୍ ବି ଜୁଡାଇଜ୍ଡ୍’।
ଓସାମା ବିନ୍ ଲାଡେନ୍ଙ୍କ ପରେ ‘ଅଲ୍-କାଏଦା’ର ନେତୃତ୍ବ ଗ୍ରହଣ କରିଥିବା ଐମାନ୍ ଅଲ୍-ଜୱାହିରି ଦୀର୍ଘ ଦିନ ଧରି ଲୁକ୍କାୟିତ ଥିଲେ। ଅସୁସ୍ଥତା ଯୋଗୁଁ ଐମାନ୍ ଅଲ୍-ଜୱାହିରିଙ୍କ ମୃତ୍ୟୁ ଘଟିଥିବା ଖବର ୨୦୨୦ ନଭେମ୍ବରରେ ପ୍ରସାରିତ ହେବା ପରେ ତାଙ୍କ ସଂକ୍ରାନ୍ତରେ ଆଉ କୌଣସି ଭିଡିଓ ରିଲିଜ୍ ହୋଇ ନ ଥିଲା।
Image Courtesy of The Express Tribuneକିନ୍ତୁ, ଶନିବାର ଦିନ ରିଲିଜ୍ ହୋଇଥିବା ଉକ୍ତ ଭିଡିଓରେ ଐମାନ୍ ଅଲ୍-ଜୱାହିରି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଦେଖାଯାଉଛନ୍ତି। ସେପ୍ଟେମ୍ବର ୧୧ ତାରିଖ ସକାଳୁ ‘ଆସ୍-ସାହବ୍’ ଗଣମାଧ୍ୟମ କେତେକ ‘ଟେଲିଗ୍ରାମ୍ ଚାନେଲ୍’ରେ ଖୁବ୍ ଶୀଘ୍ର ମୁକ୍ତିଲାଭ କରୁଛି ବୋଲି ବିଜ୍ଞାପନ ଦେଖାଉଥିଲା।
ତା’ପରେ ଗୋଟାଏ ‘ଟେଲିଗ୍ରାମ୍ ଚାନେଲ୍’ରେ ଐମାନ୍ ଅଲ୍-ଜୱାହିରିଙ୍କ ରଚିତ ୮୫୨ପୃଷ୍ଠା ସମ୍ବଳିତ ଏକ ପୁସ୍ତକ ରିଲିଜ୍ ହୋଇଥିଲା। ଏଥିରେ ସେ ‘ଅଲ୍-କାଏଦା’ର ଭବିଷ୍ୟତ ବିଷୟରେ ଉଲ୍ଲେଖ କରିଛନ୍ତି। ୨୦୨୧ ଏପ୍ରିଲ୍ରେ ରଚିତ ବୋଲି ମନେହେଉଥିବା ଉକ୍ତ ପୁସ୍ତକରେ କଶ୍ମୀରୀ ଜିହାଦି ଇଲିୟାସ୍ କଶ୍ମୀରୀଙ୍କ କଥା ଉଲ୍ଲେଖ ଅଛି। ୨୦୧୧ରେ ପାକିସ୍ତାନରେ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକା ଡ୍ରୋନ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୧୯ରେ ଆଫଗାନିସ୍ତାନରେ ଆଫଗାନ୍ ସେନାଙ୍କଦ୍ବାରା ନିହତ ଭାରତୀୟ ଉପମହାଦେଶର ‘ଅଲ୍-କାଏଦା’ ମୁଖ୍ୟ ମୌଲାନା ଅସିମ ଉମର୍ଙ୍କ କଥା ମଧ୍ୟ ସେ ଲେଖିଛନ୍ତି।
ଏହି ପୁସ୍ତକ ପ୍ରକାଶିତ ହେବାର କିଛି ସମୟ ପରେ ରିଲିଜ୍ ହୋଇଥିଲା ଐମାନ୍ ଅଲ୍-ଜୱାହିରିଙ୍କ ଘଣ୍ଟିକିଆ ଭିଡିଓ। ସେଥିରେ ସେ ୨୦୨୦ରେ ନିହତ ହୋଇଥିବା ‘ଅଲ୍-କାଏଦା’ର ଅନେକ ଆତଙ୍କବାଦୀଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କୁ ପ୍ରଶଂସା କରିଛନ୍ତି।
Follow Us