ଟଙ୍କା ସରିଯିବାରୁ ବିଦେଶରେ ‘ତ୍ରିଶଙ୍କୁ ଅବସ୍ଥା’ରେ ରହିଛନ୍ତି ବହୁ ଆଫଗାନ୍‌ କୂଟନୀତିଜ୍ଞ

Advertisment
ଟଙ୍କା ସରିଯିବାରୁ ବିଦେଶରେ ‘ତ୍ରିଶଙ୍କୁ ଅବସ୍ଥା’ରେ ରହିଛନ୍ତି ବହୁ ଆଫଗାନ୍‌ କୂଟନୀତିଜ୍ଞ

Image Courtesy of NDTV

ନୂଆଦିଲ୍ଲୀ: ତାଲିବାନ ଅଚାନକ କ୍ଷମତାକୁ ଫେରିବା ହେତୁ ବିଦେଶରେ ଅନେକ ଆଫଗାନ କୂଟନୀତିଜ୍ଞ ‘ତ୍ରିଶଙ୍କୁ ଅବସ୍ଥା’ରେ ରହିଛନ୍ତି। ଅର୍ଥାତ୍‌, ଟଙ୍କା ନ ଥିବାରୁ ସେମାନେ ଦୂତାବାସ ବା ‘ମିସନ୍‌’ ଚଳାଇ ପାରୁ ନାହାନ୍ତି। ତେଣେ, ପରିବାରଲୋକଙ୍କୁ ସ୍ବଦେଶ ପଠାଇବାକୁ ଭୟ କରିବା ସହ ବିଦେଶରେ ଶରଣ‌ ନେବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି।

କିନ୍ତୁ, ରାଷ୍ଟ୍ରଦୂତ ବା କୂଟନୀତିଜ୍ଞମାନେ ସେମାନଙ୍କର କାର୍ଯ୍ୟ ଚାଲୁ ରଖନ୍ତୁ ବୋଲି ମଙ୍ଗଳବାର ଦିନ ସମସ୍ତ ଦୂତାବାସକୁ ପଠାଇଥିବା ବାର୍ତ୍ତାରେ ତାଲିବାନ୍ କହିଛି।

ନାମ ଗୋପନ ରଖିବାକୁ ଅନୁରୋଧ କରି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ଆଗରେ କାନଡା, ଜର୍ମାନି ଏବଂ ଜାପାନ ସମେତ ଆଠ ଦୂତାବାସ କର୍ମଚାରୀ ‘ମିସନ୍‌’ର କାର୍ଯ୍ୟରେ ବାଧକ ଏବଂ ସେମାନଙ୍କର ହତାଶା କଥା ବ୍ୟକ୍ତ କରିଛନ୍ତି। ବର୍ଲିନ୍‌ରେ ଥିବା ଜଣେ ଆଫଗାନ୍‌ କୂଟନୀତିଜ୍ଞ କହିଛନ୍ତି, ଏଠାରେ ଏବଂ ଅନ୍ୟାନ୍ୟ ଅନେକ ଦେଶରେ ଥିବା ମୋର ସହକର୍ମୀମାନେ ସେମାନଙ୍କୁ ନାଗରିକ ଭାବେ ଗ୍ରହଣ କରିନେବା ପାଇଁ ସମ୍ପୃକ୍ତ ଦେଶଗୁଡ଼ିକୁ ନିବେଦନ କରୁଛନ୍ତି।

publive-image Image Courtesy of The Straits Times

ବ୍ରିଟେନ୍‌ର ନଟିଙ୍ଗ୍‌ହାମ୍‌ ବିଶ୍ବବିଦ୍ୟାଳୟର ଆନ୍ତର୍ଜାତିକ ସମ୍ପର୍କ ବିଶେଷଜ୍ଞ ତଥା ‘ଭିଜିଟିଙ୍ଗ୍‌ ଫେଲୋ’ ଅଫ୍‌ଜଲ୍‌ ଅଶରଫ୍‌ କହିଛନ୍ତି, ତାଲିବାନକୁ ସ୍ବୀକୃତି ଦେବେ କି, ନାହିଁ, ଅନେକ ଦେଶ ସ୍ଥିର କରି ପାରୁ ନ ଥିବାରୁ ବିଦେଶରେ ଥିବା ଆଫଗାନିସ୍ତାନର ମିସନ୍‌ ସବୁ ଦୀର୍ଘ କାଳ ହେଲା ‘ତ୍ରିଶଙ୍କୁ ଅବସ୍ଥା’ର ସମ୍ମୁଖୀନ ହୋଇଛନ୍ତି। ଯେହେତୁ କୌଣସି ସରକାରଙ୍କର ପ୍ରତିନିଧିତ୍ବ କରୁ ନାହାନ୍ତି, ସେ ଦୂତାବାସ ସବୁ ଆଉ କ’ଣ ବା କରିପାରିବେ? ଆଫଗାନିସ୍ତାନ ଫେରିଲେ ସେମାନଙ୍କ ଜୀବନପ୍ରତି ବିପଦ ଥିବା ଆଶଙ୍କା କରି କୂଟନୀତିଜ୍ଞମାନେ ବିଦେଶରେ ରାଜନୈତିକ ଶରଣ ଚାହୁଁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe