ରୂପାନି ବିଜୟ ବଜାୟ ରଖିଲେ ମୁଖ୍ୟମନ୍ତ୍ରିତ୍ୱ: ନୀତିନ୍‌ ପଟେଲ ହେବେ ଉପମୁଖ୍ୟମନ୍ତ୍ରୀ

Advertisment
୨୬ରେ ଶପଥ ନେବେ ରୁପାନି: ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ନୂତନ ବିଧାନସଭାର ମଧ୍ୟ ମୁଖ୍ୟମନ୍ତ୍ରୀ ରହିବେ ବୋଲି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲି ଆଜି ଘୋଷଣା କରିଛନ୍ତି। ଏଥି ସହିତ ନୀତିନ୍‌ ପଟେଲ ଉପମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବେ ବୋଲି ମଧ୍ୟ ଜେଟ୍‌ଲି ବିଜେପି ବିଧାୟକମଣ୍ଡଳୀ ବୈଠକ ପରେ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାର ୯୯ଟି ଆସନ ଦଖଲ କରିଥିବା ବିଜେପି ବିଧାୟକମାନେ ଆଜି ସେମାନଙ୍କ ନେତା ଚୟନ ପାଇଁ ଗାନ୍ଧୀନଗର ଠାରେ ଏକ ବୈଠକ କରିଥିଲେ। କେନ୍ଦ୍ରୀୟ ନେତୃତ୍ୱ ପକ୍ଷରୁ ଅର୍ଥମନ୍ତ୍ରୀ ଜେଟଲି ଏବଂ ଦଳର ସାଧାରଣ ସମ୍ପାଦକ ସରୋଜ ପାଣ୍ଡେ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ। ସେମାନଙ୍କ ଉପସ୍ଥିତିରେ ବିଧାୟକମାନେ ସର୍ବ ସମ୍ମତି କ୍ରମେ ରୁପାନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଥିବା ବେଳେ ନୀତିନ୍‌ ପଟେଲ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ବାଛିଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇନଥିବା ବେଳେ ତାହାକୁ ଦଳର ବର୍ଷୀୟାନ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପାୟୀଙ୍କ ଜନ୍ମଦିନ ପଡୁଥିବା ଡିସେମ୍ବର ୨୫ ତାରିଖରେ କରାଇବାକୁ ଦଳ ବିଚାର କରୁଥିବା ଜଣାଯାଇଛି।

ଉଲ୍ଲେଖ ଥାଉ କି, ଚଳିତ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ହେଁ ଅନେକ ଦୃଢ଼ ନିଶ୍ଚିତ ଆସନକୁ ହରାଇଥିବାରୁ ମୁଖ୍ୟମନ୍ତ୍ରୀ ପଦକୁ ରୁପାନି ବଜାୟ ରଖିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତାଙ୍କ ବିକଳ୍ପ ଭାବେ ଏକ ଲୋକପ୍ରିୟ ଚେହେରାକୁ ଦଳ ଗାଦିରେ ବସାଇବା କଥା ମଧ୍ୟ ବିଚାର କରୁଥିବା ଚର୍ଚ୍ଚା ଚାଲିଥିଲା। ତେବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦଳ ରୁପାନିଙ୍କ ଉପରେ ପୁଣି ଭରସା ରଖିଥିବା ଆଜି ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe