ପୁଟିନ୍‌ ଯୁଦ୍ଧ ଧମକ ଦେବା ପରେ ରୁଷ୍‌ ବାହରକୁ ଛୁଟିଲା ବିମାନର ସୁଅ

ପୁଟିନ୍‌ ଯୁଦ୍ଧ ଧମକ ଦେବା ପରେ ରୁଷ୍‌ ବାହରକୁ ଛୁଟିଲା ବିମାନର ସୁଅ

Image Courtesy of NDTV

ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ କରି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ‘ମୋବିଲାଇଜେସନ୍‌’ (ସୈନ୍ୟ ଏକତ୍ର) ଘୋଷଣା କରିବାର ଦିନକ ପରେ ରୁଷ୍‌ରୁ ବାହାରି ଯିବା ନିମନ୍ତେ ‘ୱାନ୍‌-ୱେ’ ବିମାନ ଟିକେଟ୍‌ ଶୀଘ୍ର ଶୀଘ୍ର ବିକ୍ରି ହେବା ସହ ଟିକେଟ୍‌ ଦର ମଧ୍ୟ ଅତିରିକ୍ତ ବୃଦ୍ଧି ପାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତିଙ୍କ ଉପରୋକ୍ତ ଘୋଷଣା ପରେ ଆଶଙ୍କା ଉପୁଜିଛି, ସମ୍ଭବତଃ ‘ମାର୍ସାଲ୍‌ ଲ’ ଜାରି ହେବ ଏବଂ ଯୁଦ୍ଧ କରିବା ପାଇଁ ସମର୍ଥ ବ୍ୟକ୍ତିମାନଙ୍କୁ ରୁଷ୍‌ ଛାଡ଼ି ଯିବାକୁ ଅନୁମତି ମିଳିବ ନାହିଁ।

ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି, ଗ୍ଲୋବାଲ୍‌ ଫ୍ଲାଇଟ୍‌ ଟ୍ରାକିଙ୍ଗ୍‌ ସର୍ଭିସ୍‌ ‘ଫ୍ଲାଇଟ୍‌ ରାଡାର୍‌୨୪’ ସେୟାର୍‌ କରିଥିବା ‘କ୍ଲିପ୍‌’ରେ ରୁଷ୍‌ରୁ ‘ୱାନ୍‌ ୱେ’ ବିମାନ ସବୁ ଉଡ଼ିଯାଉଥିବା ଦୃଶ୍ୟ ଦିଶୁଛି। ‘ଗୁଗଲ୍‌ ଟ୍ରେଣ୍ଡଜ୍‌’ ଡାଟାରୁ ମଧ୍ୟ ଜଣାପଡ଼ିଛି ଯେ, ବିମାନ ଟିକେଟ୍‌ କିଣିବା ପାଇଁ ରୁଷ୍‌ର ସବୁଠୁ ଲୋକପ୍ରିୟ ୱେବ୍‌ସାଇଟ୍‌ ‘ଏଭିଆସେଲ୍‌ସ୍‌’ରେ ‘ସର୍ଚ’ ବୃଦ୍ଧି ପାଇଛି।

ସେହିପରି ‘ଏଏଫ୍‌ପି’ ରିପୋର୍ଟ କରିଛି, ଚଳିତ ସପ୍ତାହ ନିମନ୍ତେ ରୁଷ୍‌ରୁ ବିଦେଶ ଯାଉଥିବା ସମସ୍ତ ବିମାନର ଟିକେଟ୍‌ ପ୍ରାୟ ବୁକ୍‌ ହୋଇସାରିଥିବା କଥା ଏୟାର୍‌ଲାଇନ୍‌ ଓ ଟ୍ରାଭେଲ୍‌ ଏଜେଣ୍ଟ୍‌ଙ୍କ ତଥ୍ୟାବଳୀରୁ ବୁଧବାର ଦିନ ଜଣାପଡ଼ିଛି। ପୁଟିନ୍‌ ୟୁକ୍ରେନ୍‌ରେ ‘ମସ୍କୋର ସ୍ବତନ୍ତ୍ର ସାମରିକ ଅଭିଯାନ’ ଘୋଷଣା କରିବା ସମୟରୁ ରୁଷ୍‌ ଓ ୟୁରୋପୀୟ ସଂଘ ରାଷ୍ଟ୍ର ମଧ୍ୟରେ ବିମାନ ଚଳାଚଳ ବନ୍ଦ ରହିଛି।

ସୂଚନାଯୋଗ୍ୟ, ୟୁକ୍ରେନ୍‌ ଆକ୍ରମଣ କଠୋର କରିବା ଲାଗି ଗତକାଲି ୩୦୦,୦୦୦ ରିଜର୍ଭ ସ‌ୈନ୍ୟଙ୍କୁ ଏକତ୍ର କରିବା ଲାଗି ପୁଟିନ୍‌ ‘ପାର୍ସିଆଲ୍‌ ମୋବିଲାଇଜେନ୍‌’ ଘୋଷଣା କରିଥିଲେ।

ବୁଧବାର ଦିନ ଜାତି ଉଦ୍ଦେଶ୍ୟରେ ଟେଲିଭିନ୍‌ରେ ପ୍ରସାରିତ ଉଦ୍‌ବୋଧନରେ ପୁଟିନ୍‌ କହିଲେ, ଆମ ଦେଶର ଅଖଣ୍ଡତା ପ୍ରତି ବିପଦ ଦେଖାଦେଲେ, ରୁଷ୍‌ ଓ ରୁଷ୍‌ବାସୀଙ୍କ ସୁରକ୍ଷା ନିମନ୍ତେ ଆମ ପାଖରେ ଥିବା ସବୁ ପ୍ରକାର ସମ୍ବଳ ଆମେ ନିଶ୍ଚୟ ବ୍ୟବହାର କରିବୁ। ଏଇଟା ମିଥ୍ୟା ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe