ଯୁଦ୍ଧପୋତ ‘ମୋସ୍କ୍‌ଭା’ ବୁଡ଼ିରେ ଜଣେ ମୃତ, ୨୭ ନିଖୋଜ ହୋଇଥିବା ସ୍ବୀକାର କଲା ରୁଷ୍‌

ଯୁଦ୍ଧପୋତ ‘ମୋସ୍କ୍‌ଭା’ ବୁଡ଼ିରେ ଜଣେ ମୃତ, ୨୭ ନିଖୋଜ ହୋଇଥିବା ସ୍ବୀକାର କଲା ରୁଷ୍‌

Image Courtesy of NDTV

ମସ୍କୋ: ଗତ ସପ୍ତାହରେ କ୍ଷେପଣାସ୍ତ୍ରବାହୀ ଯୁଦ୍ଧପୋତ ‘ମୋସ୍କ୍‌ଭା’ କୃଷ୍ଣ ସାଗରରେ ବୁଡ଼ିଯିବା ଘଟଣାରେ ଜଣେ ପରିଚାରକଙ୍କର ମୃତ୍ୟୁ ଘଟିଛି ଏବଂ ୨୭ଜଣ ନିଖୋଜ ହୋଇଥିବା କଥା ଶୁକ୍ରବାର ଦିନ ମସ୍କୋ କହିଛି।

‘ମୋସ୍କ୍‌ଭା’ ବୁଡ଼ିଯିବା ପରେ ସେଥିରେ ଥିବା ନାବିକମାନଙ୍କର ପିତାମାତା ଓ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ ଯେ, ସେମାନଙ୍କର ପିଲାମାନେ ନିଖୋଜ ହୋଇଯାଇଛନ୍ତି। ସେମାନେ ଏହାର କାରଣ ଜାଣିବାକୁ ଚାହାଁନ୍ତି।

ଏହାର ଉତ୍ତରରେ ଜାରି କରିଥିବା ବିବୃତିରେ ପ୍ରତିରକ୍ଷା ମନ୍ତ୍ରାଳୟ ଉଲ୍ଲେଖ କରିଛି, ଏପ୍ରିଲ୍‌ ୧୩ ତାରିଖରେ ନିଆଁ ଲାଗିଯିବାରୁ ଆଗ୍ନେୟାସ୍ତ୍ର ବିସ୍ଫୋରଣ ଘଟି ‘ମୋସ୍କ୍‌ଭା ମିସାଇଲ୍‌ କ୍ରୁଜର୍‌’ର ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଫଳତଃ ଜଣେ ନାବିକଙ୍କର ମୃତ୍ୟୁ ଘଟିଛି ଏବଂ ୨୭ଜଣ ନିଖୋଜ ‌ହୋଇଯାଇଛନ୍ତି। ବାକି ୩୯୬ଜଣଙ୍କୁ ନିରାପଦରେ ସ୍ଥାନାନ୍ତରଣ କରାଯାଇଛି। ଶୁକ୍ରବାର ରାତିରେ ରୁଷୀୟ ନିଉଜ୍‌ ଏଜେନ୍‌ସି ସବୁ ପ୍ରତିରକ୍ଷା ମନ୍ତ୍ରାଳୟର ଏହି ବିବୃତି ପ୍ରକାଶ କରିଛନ୍ତି।

publive-image Image Courtesy of New on News

କିନ୍ତୁ, ‘ମୋସ୍କ୍‌ଭା’ରେ ଥିବା ସମସ୍ତ କ୍ରୁ’ ମେମ୍ବର୍‌ଙ୍କୁ ଉଦ୍ଧାର କରାଯାଇଛି ବୋଲି ପ୍ରଥମେ ରୁଷୀୟ ସରକାରୀ କର୍ତ୍ତୃପକ୍ଷ କହିଥିଲେ। ଉପରୋକ୍ତ ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ମୃତ ଓ ନିଖୋଜମାନଙ୍କର ପରିବାରବର୍ଗ ଓ ବନ୍ଧୁମାନଙ୍କୁ ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେଉଛି।

ସୂଚନାଯୋଗ୍ୟ, ପେଣ୍ଟାଗନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ଦୁଇଟି ୟୁକ୍ରେନୀୟ କ୍ଷେପଣାସ୍ତ୍ର ମାଡ଼ରେ ଯୁଦ୍ଧପୋତ ‘ମୋସ୍କ୍‌ଭା’ କୃଷ୍ଣ ସାଗରରେ ବୁଡ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe