‌ଓଡ଼େଶାରେ ପ୍ରଚଣ୍ଡ ଆକ୍ରମଣ: ଗଣ କବରରୁ ମିଳିଲା ୩୦୦ ଶବ, କିବ୍‌ ପୁଣି ୟୁକ୍ରେନ୍‌ ନିୟନ୍ତ୍ରଣରେ

Advertisment
‌ଓଡ଼େଶାରେ ପ୍ରଚଣ୍ଡ ଆକ୍ରମଣ: ଗଣ କବରରୁ ମିଳିଲା ୩୦୦ ଶବ, କିବ୍‌ ପୁଣି ୟୁକ୍ରେନ୍‌ ନିୟନ୍ତ୍ରଣରେ

The New Indian Express

ମସ୍କୋ: ୟୁକ୍ରେନ୍‌ ପୁଣି ଥରେ ରାଜଧାନୀ କିବ୍‌ର ସମସ୍ତ ଅଂଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି। ତୁର୍କୀରେ ପ୍ରଥମ ଶାନ୍ତି କଥାବାର୍ତ୍ତା ପରେ ହୋଇଥିବା ଘୋଷଣା ମୁତାବକ ରୁଷ୍‌ ଏଠାରୁ ସମସ୍ତ ସେନା ପ୍ରତ୍ୟାହାର କରିନେଇଛି ଏବଂ ସମସ୍ତ ଅଂଚଳ ପୁଣି ଥରେ ୟୁକ୍ରେନ୍‌ ସେନା ନିୟନ୍ତ୍ରଣକୁ ଯାଇଛି। ତେବେ ଆଜି ରୁଷ୍‌ ୟୁକ୍ରେନ୍‌ର ବନ୍ଦର ସହର ଓଡ଼େଶାରେ ପ୍ରଚଣ୍ଡ ଆକ୍ରମଣ କରିଛି। ଯୁଦ୍ଧ ବିମାନରୁ କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ବେଳେ କେତେକ ଅଂଚଳରେ ତୁହାକୁ ତୁହା ବୋମାମାଡ଼ କରି ରୁଷ୍‌ ଏହି ସହରର ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବନ୍ଦର ସହର ଖାଲି କରି ଲୋକେ ପ୍ରାଣ ବିକଳରେ ପଳାୟନ କରୁଛନ୍ତି। ମାରିୟୁପୋଲ ସହରକୁ ରୁଷ୍‌ ଯେଭଳି ସଂପୂର୍ଣ୍ଣ ଛାରଖାର କରିଛି ଠିକ୍‌ ସେଭଳି ଦଶା ଏବେ ଓଡ଼େଶାର ହେବାକୁ ଯାଉଛି। ଅନ୍ୟପକ୍ଷରେ ଡୋନ୍‌ବାସ ଅଂଚଳରେ ମଧ୍ୟ ରୁଷ୍‌ ଆକ୍ରମଣ ତୀବ୍ର ହୋଇଛି ଏବଂ ସେଠାରେ ୟୁକ୍ରେନ୍‌ ସେନା ଦ୍ବାରା ହେଉଥିବା ପ୍ରତିରୋଧ ଅତ୍ୟନ୍ତ ନଗଣ୍ୟ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ରୁଷ୍‌ ନିୟନ୍ତ୍ରଣରୁ ମୁକ୍ତ ହୋଇଥିବା କିବ୍‌ ନିକଟସ୍ଥ ଏକ ଗୁରୁତ୍ବପୂର୍ଣ୍ଣ ସହର ବୁସାରୁ ୩୦୦ ଲୋକଙ୍କ ଏକ ଗଣ କବର ମିଳିଛି। ବୁସା ମେୟର ଏଣ୍ଟୋଲି ଫେଡ୍ରୋକ୍‌ କହିଛନ୍ତି ଯେ ଏହି ଗଣକବର ରୁଷ୍‌ ସେନାର ଭୟାନକ ବର୍ବରତାକୁ ଦର୍ଶାଉଛି। ରୁଷ୍‌ ସେନା ସାଧାରଣ ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ଏବଂ ଏଭଳି ଯୁଦ୍ଧ ଅପରାଧ ବିରଳ ବୋଲି ସେ କହିଛନ୍ତି। ବିଭିନ୍ନ ସ୍ଥାନରେ ରୁଷ୍‌ ସେନା ଲ୍ୟାଣ୍ଡ୍‌ମାଇନ୍‌ ମଧ୍ୟ ଲଗାଇଥିବାରୁ କେତେବେଳେ କେଉଁଠି ବିସ୍ଫୋରଣ ହେବ କହିହେଉନାହିଁ। ରାସ୍ତାଘାଟରେ ସବୁଠି ଶବ ପଡ଼ିଥିବା ବେଳେ ଶତାଧିକ ଧ୍ବସ୍ତ କୋଠା ତଳେ ଅନେକ ଶବ ଦବି ରହିଥିବା ସେ କହିଛନ୍ତି। ରୁଷ୍‌ ସେନା ବୁସା ଛାଡ଼ିବା ପୂର୍ବରୁ ବିନା କାରଣରେ ଶହ ଶହ ଲୋକଙ୍କୁ ହତ୍ୟା କରିଛି ବୋଲି ୟୁକ୍ରେନ୍‌ ବିଦେଶ ମନ୍ତ୍ରାଳୟ ଦାବି କରିଛି। ଆଜି ୟୁକ୍ରେନ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଯୁଦ୍ଧରେ ରୁଷ୍‌ର ୧୮ ହଜାର ସୈନିକ ନିହତ ହୋଇଛନ୍ତି। ତେବେ ନାଟୋ କହିଛି ଯେ ରୁଷ୍ ୭ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ସୈନିକ ହରାଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ପରବର୍ତ୍ତୀ ଶାନ୍ତି କଥାବାର୍ତ୍ତାର ମିଳିତ ଏଜେଣ୍ଡା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବଂ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କିଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe