ଅସ୍ତ୍ରବିରତି କରିନାହିଁ ରୁଷ, ଜନସ୍ଥାନାନ୍ତରଣକୁ ରୋକିିଲା ମାରିଉପୋଲ୍

Advertisment
ଅସ୍ତ୍ରବିରତି କରିନାହିଁ ରୁଷ, ଜନସ୍ଥାନାନ୍ତରଣକୁ ରୋକିିଲା ମାରିଉପୋଲ୍

ମସ୍କୋ: ୟୁକ୍ରେନରେ ଫସି ରହିଥିବା ବିଦେଶୀ ନାଗରିକମାନଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଲାଗି ସାଢ଼େ ୫ଘଣ୍ଟା ଅସ୍ତ୍ରବିରତି ଘୋଷଣା କରିଛି ରୁଷ। ୟୁକ୍ରେନର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବହୁ ସଂଖ୍ୟାରେ ବିଦେଶୀ ନାଗରିକ ଫସି ରହିଛନ୍ତି, ସେମାନଙ୍କୁ ନିରାପଦ ଭାବେ ଯୁଦ୍ଧମୁକ୍ତ ଅଞ୍ଚଳକୁ ଚାଲିଯିବା ଲାଗି କୋହଳ ଦେଇଛି ରୁଷ। କିଛି ସମୟ ତଳେ ଏଭଳି ଖବର ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ବେଳେ ଏବେ କିଛି ଭିନ୍ନ ଖବର ସାମ୍ନାକୁ ଆସିଛି। ରୁଷ ମିଛ କହିିଥିବା କହିଛନ୍ତି ମାରିଉପୋଲର ସ୍ଥାନୀୟ ଅଧିକାରୀ।

ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ କହିଥିଲେ ଯେ, ମାରିଆପୋଲର କର୍ତ୍ତୃପକ୍ଷ ସହରର ବାସିନ୍ଦାଙ୍କୁ ମାନବିକ କରିଡର ଦେଇ ଯିବାକୁ ଅନୁମତି ଦେଉ ନାହାଁନ୍ତି। ଏହାର ଜବାବରେ ମାରିଉପୋଲର ସ୍ଥାନୀୟ ଅଧିକାରୀ କହିିଛନ୍ତି ଯେ,  ସାଧାରଣ ନାଗରିକମାନେ ୟୁକ୍ରେନୀୟ ନଗରୀ ମାରିଉପୋଲ୍ ଏବଂ ଭୋଲ୍ନୋଭାଖା ଛାଡ଼ି ଚାଲିଯିବାକୁ ସୁଯୋଗ ଦେବା ପାଇଁ ସାମୟିକ ଭାବେ ଅସ୍ତ୍ରବିରତି କରିବ ବୋଲି ଘୋଷଣା କରିଥିଲା ରୁଷ। ହେଲେ ଏବେ ରୁଷ ସେନା ମାରିଉପୋଲରେ ଅସ୍ତ୍ରବିରତି ଉଲଂଘନ କରିଛି। ଏନେଇ ମାରିଉପୋଲରେ ଜନସ୍ଥାନାନ୍ତରଣକୁ ରୋକାଯାଇଛି। ତେବେ ମାରିଉପୋଲର ସ୍ଥାନୀୟ ଅଧିକାରୀ ଆଣିଥିବା ଏହି ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ ରୁଷ ସେନା।

ତେବେ କିଛି ସମୟ ତଳେ ରୁଷର ରାଷ୍ଟ୍ରାୟତ ଖବର ସରବରାହ ସଂସ୍ଥାନ ‘ସ୍ପୁଟ୍ନିକ୍’ ରିପୋର୍ଟ କରିଥିଲା ଯେ, ଆଜି ମାର୍ଚ୍ଚ ୫ ତାରିଖ ମସ୍କୋ ସମୟ ପୂର୍ବାହ୍ନ ୧୦ଟା ବେଳେ ରୁଷୀୟ ପକ୍ଷ ଅସ୍ତ୍ରବିରତି ଘୋଷଣା କରିବା ସହ ମାରିଉପୋଲ୍ ଏବଂ ଭୋଲ୍ନୋଭାଖାରୁ ସାଧାରଣ ନାଗରିକମାନଙ୍କ ପ୍ରସ୍ଥାନ ଲାଗି ମାନବୀୟ କରିଡର୍ ଉନ୍ମୁକ୍ତ କରିଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏହାକୁ ୟୁକ୍ରେନୀୟ ପକ୍ଷ ମଧ୍ୟ ସମ୍ମତି ପ୍ରଦାନ କରିଛି। ୟୁକ୍ରେନୀୟ ରାଷ୍ଟ୍ରପତୀୟ ସହଯୋଗୀ ମିଖାଇଲ୍ ପୋଡୋଲିୟାକ୍ କହିଛନ୍ତି ଯେ, ମାରିଉପୋଲ୍ରୁ ୨ ଲକ୍ଷ ଏବଂ ଭୋଲ୍ନୋଭାଖାରୁ ୨୦ ହଜାର ଜନତାଙ୍କୁ ସ୍ଥାନାନ୍ତରଣ ପାଇଁ ଉଦ୍ୟମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe