ଭାରତକୁ ବାଦ ଦେଇ ଆଫଗାନିସ୍ତାନ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ବୈଠକକୁ ଆମେରିକା, ଚୀନ୍‌ ଓ ପାକିସ୍ତାନକୁ ନିମନ୍ତ୍ରଣ କରିଛି ରୁଷ୍‌: ରିପୋର୍ଟ

ଭାରତକୁ ବାଦ ଦେଇ ଆଫଗାନିସ୍ତାନ ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ବୈଠକକୁ ଆମେରିକା, ଚୀନ୍‌ ଓ ପାକିସ୍ତାନକୁ ନିମନ୍ତ୍ରଣ କରିଛି ରୁଷ୍‌: ରିପୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ରୁଷ୍‌ ଡକାଇଥିବା ଆଫଗାନିସ୍ତାନ ପରିସ୍ଥିତି ସଂକ୍ରାନ୍ତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଂଶ ଗ୍ରହଣ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍‌ ଓ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇଥିବା ବେଳେ ଭାରତ ବାଦ ପଡ଼ିଛି ବୋଲି ଏ ବିଷୟରେ ଅବଗତ ଥିବା ଲୋକେ ଗଣମାଧ୍ୟମକୁ କହିଛନ୍ତି।

ଯୁଦ୍ଧ-ବିକ୍ଷତ ଆଫଗାନିସ୍ତାନରେ ତାଲିବାନମାନଙ୍କ ପ୍ରକୋପ ବୃଦ୍ଧି ପାଉଥିବାରୁ ସେଠାରେ ହିଂସାକାଣ୍ଡ ରୋକିବା ସହ ଶାନ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରୁଷ୍‌ ଆଗଭର ହୋଇଛି।

‘ଏକ୍‌ଷ୍ଟେଣ୍ଡେଡ୍‌ ତ୍ରୋକିଆ’ ଶୀର୍ଷକ ଏହି ବୈଠକ ଅଗଷ୍ଟ ୧୧ ତାରିଖ ଦିନ କତାର୍‌ରେ ଆୟୋଜନ କରାଯାଇଛି। ଏହି ବୈଠକର ପ୍ରାକ୍‌-ପ୍ରସ୍ତୁତି ଆଲୋଚନା ମାର୍ଚ ୧୮ ଏବଂ ଏପ୍ରିଲ୍‌ ୩୦ରେ ଅନୁଷ୍ଠିତ ହୋଇଥିଲା। ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ଏବଂ ଜାତୀୟ ପୁନର୍ମିଳନ ପ୍ରକ୍ରିୟା ପାଇଁ ବାତାବରଣ ସୃଷ୍ଟି କରିବା ଲାଗି ରୁଷ୍‌ ମଧ୍ୟ ‘ମସ୍କୋ ଫର୍ମାଟ୍‌’ରେ ଆଲୋଚନା ଚଳାଇଛି।

publive-image Image Courtesy of India Today

ଗତ ମାସରେ ରୁଷ୍‌ର ବୈଦେଶିକ ମନ୍ତ୍ରୀ ସେର୍ଗେ ଲାଭରୋଭ୍‌ ତାସ୍‌କେଣ୍ଟ୍‌ରେ କହିଥିଲେ ଯେ, ଆଫଗାନିସ୍ତାର ପରିସ୍ଥିତିକୁ ପ୍ରଭାବିତ କରିବା ଭଳି ଭାରତ ସମେତ ଅନ୍ୟ ଦେଶମାନଙ୍କ ସହ ରୁଷ୍‌ କାର୍ଯ୍ୟଧାରା ଚାଲୁ ରଖିବ। ତାଙ୍କର ଏଭଳି ବିବୃତିରୁ ଜଣାପଡୁଥିଲା କି, ‘ଏକ୍‌ଷ୍ଟେଣ୍ଡେଡ୍‌ ତ୍ରୋକିଆ’ ବୈଠକରେ ଯୋଗ ଦେବା ଲାଗି ଭାରତକୁ ଆମନ୍ତ୍ରଣ କରାଯିବ।

ସଦ୍ୟତମ ସୂଚନା ଅନୁସାରେ, ‘ଏକ୍‌ଷ୍ଟେଣ୍ଡେଡ୍‌ ତ୍ରୋକିଆ’ ସଂକ୍ରାନ୍ତରେ ଭାରତ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇ ନାହିଁ।

ସେପଟେ, ଜାତିସଂଘସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଟିଏସ୍‌ ତିରୁମୂର୍ତ୍ତି କହିଛନ୍ତି ଯେ, ଭାରତୀୟ ଅଧ୍ୟକ୍ଷତ୍ବରେ ଶୁକ୍ରବାର ଦିନ ଆୟୋଜନ ହେବାକୁ ଥିବା ‘ଜାତିସଂଘ ନିରାପତ୍ତା ପରିଷଦ୍‌’ ବୈଠକରେ ଆଫଗାନ ପରିସ୍ଥିତିର ଆଲୋଚନା ଏବଂ ସମୀକ୍ଷା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe