Image Courtesy of India Today
ନୂଆଦିଲ୍ଲୀ: ଭାରତରେ କୋଭିଡ୍ ଟିକା ସ୍ପୁଟ୍ନିକ୍-୫ ଉତ୍ପାଦନ କରିବାକୁ ମସ୍କୋ ଆଗ୍ରହୀ ବୋଲି ରୁଷ୍ର ‘ଡାଇରେକ୍ଟ୍ ଇନ୍ଭେଷ୍ଟମେଣ୍ଟ୍ ଫଣ୍ଡ୍’ର ସିଇଓ କିରିଲ୍ ଡିମିତ୍ରିଏଭ୍ କହିଛନ୍ତି। ରୁଷୀୟ ଟିକା ବିକାଶ ନିମନ୍ତେ ଏହି ସଂସ୍ଥା ଅର୍ଥ ବିନିଯୋଗ କରିଛି।
ଏକ ଭାରତୀୟ ନିଉଜ୍ ଚାନେଲ୍ ସହ ସାକ୍ଷାତ୍କାରରେ ଡିମିତ୍ରିଏଭ୍ କହିଛନ୍ତି ଯେ ଏହି ଟିକା ଭାରତରେ ଉତ୍ପାଦନ ନିମନ୍ତେ ରୁଷ୍ ଭାରତୀୟ ନିୟନ୍ତ୍ରକ ଏବଂ ଉତ୍ପାଦନକାରୀଙ୍କ ସହ ଯୋଗାଯୋଗ ଚଳାଇଛନ୍ତି। ସେ କହିଛନ୍ତି, ଭାରତ, ଭାରତୀୟ ବୈଜ୍ଞାନିକ ଏବଂ ଭାରତୀୟ ନିର୍ମାତାଙ୍କ ସହ ଆମର ଉତ୍ତମ ସହଯୋଗ ରହିଛି। ସେମାନେ ଆମର ଜ୍ଞାନକୌଶଳ ବୁଝନ୍ତି।
ଡିମିତ୍ରିଏଭ୍ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟାପକ ପରିମାଣର କୋଭିଡ୍ ଟିକା ଉତ୍ପାଦନ ନିମନ୍ତେ ଭାରତର ଉତ୍ପାଦନକାରୀ ସାମର୍ଥ୍ୟ ଅଛି। ସେହି ଦୃଷ୍ଟିରୁ ରୁଷ୍ ଭାରତକୁ ଉତ୍ପାଦନକାରୀ ଅଂଶୀଦାର କରିବାକୁ ଆଗ୍ରହୀ।
Image Courtesy of France 24ଭାରତ ଟିକା ଉତ୍ପାଦନ ନିମନ୍ତେ ଉନ୍ମୁକ୍ତ ଥିବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟରୁ ଆମେ ଶୁଣିଛୁ। ଟିକା କ୍ଷେତ୍ରରେ ଶୀର୍ଷସ୍ତରୀୟ କମ୍ପାନିମାନଙ୍କରେ ଭାରତ ବ୍ୟାପକ ଅର୍ଥ ବିନିଯୋଗ କରିସାରିଛି। ଏହାଛଡ଼ା ଭାରତରେ ଉତ୍ପାଦନ କ୍ଷମତା ମଧ୍ୟ ରହିଛି। ସୁତରାଂ, ଭାରତରେ ସ୍ପୁଟ୍ନିକ୍-୫ ଉତ୍ପାଦନ ନିମନ୍ତେ ମସ୍କୋ ଆଗ୍ରହୀ।
ଏହା ବ୍ୟତିରେକେ ସେ ମଧ୍ୟ କହିଛନ୍ତି ଯେ, ଭାରତରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ନିମନ୍ତେ ରୁଷ୍ ଉନ୍ମୁକ୍ତ ରହିଛି। ଭାରତ, ସାଉଦି ଆରବ ଏବଂ ୟୁଏଇ ସମେତ ୨୦ଟି ଦେଶ ସହିତ ଆମେ କାର୍ଯ୍ୟ କରୁଛୁ। ଆମେ ଚାହୁଁ ଏହି ଟିକା ବିଶ୍ବବ୍ୟାପୀ ଉତ୍ପାଦନକାରୀ ଅଂଶୀଦାରଙ୍କ ଲାଗି ସୁଲଭ ଓ ଗ୍ରହଣୀୟ ହେଉ।
Follow Us