କିବ୍ : ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପଞ୍ଚମ ମାସରେ ଉପନୀତ ହୋଇଥିବା ବେଳେ ଶନିବାର ରୁଷିଆ ୟୁକ୍ରେନ୍ର ପଶ୍ଚିମ ଓ ଉତ୍ତରରେ ଥିବା ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଘନଘନ କ୍ଷେପଣାସ୍ତ୍ର ବୃଷ୍ଟି କରିବା ଦେଖାଯାଇଛି।
ଶୁକ୍ରବାର ପୂର୍ବ ଲୁହାଂସ୍କ ଅଞ୍ଚଳର ଯମଜ ନଗରୀ ସିଭେରୋଡୋନେସ୍କ ଓ ଲିସିଚଂସ୍କ ଉପରକୁ ଆକାଶମାର୍ଗରୁ ଗୋଳାମାଡ଼ କରିବା ସହ ରୁଷ୍ ସେନା ଶତାଧିକ ସାଧାରଣ ନାଗରିକ ଫସି ରହିଥିବା ଏକ ରାସାୟନିକ କାରଖାନାକୁ ଧ୍ବଂସ କରିଦେଇଥିବା ଶନିବାର ୟୁକ୍ରେନୀୟ ଅଧିକାରୀମାନେ ଅଭିଯୋଗ କରିଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଉପଦେଷ୍ଟା ମିଖାଇଲୋ ପୋଡୋଲ୍ୟାକ ଟ୍ବିଟରରେ କହିଛନ୍ତି ଯେ ଗତକାଲି ରାତିସାରା ରୁଷ୍ କ୍ଷେପଣାସ୍ତ୍ର ମାଡ଼ କରୁଛି। ୪୮ଟି କ୍ରୁଜ୍ ମିସାଇଲ ୟୁକ୍ରେନ୍ ସାରା ମାଡ଼ କରାଯାଇଛି ବୋଲି ସେ କହିଛନ୍ତି। ରୁଷିଆ ଏବେ ବି ଲୋକଙ୍କୁ ଭୟଭୀତ କରିବା, ଆତଙ୍କ ସୃଷ୍ଟି କରିବା ଏବଂ ୟୁକ୍ରେନ୍କୁ ଡରେଇ ଦବେଇ ରଖିବା ପାଇଁ ଚେଷ୍ଟା କରୁଛି ବୋଲି ପୋଡୋଲ୍ୟାକ୍ କହିଛନ୍ତି।
Follow Us