Image Courtesy of The Jerusalem Post
ନୂଆଦିଲ୍ଲୀ: ରାଜଧାନୀ କିବ୍ ସମେତ ୟୁକ୍ରେନୀୟ ସହରଗୁଡ଼ିକୁ ଅକ୍ତିଆର କରିବା ଲାଗି ରୁଷୀୟ ସେନାଙ୍କୁ ସହାୟତା କରିବା ଲାଗି ନଗରାଞ୍ଚଳ ଲଢ଼େଇରେ ଅଭିଜ୍ଞତା ଥିବା ସିରୀୟମାନଙ୍କ ପ୍ରତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଆଗ୍ରହୀ ହୋଇ ଉଠିଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ସରକାରୀ ଅଧିକାରୀଙ୍କ କଥାରୁ ଉଦ୍ଧୃତ କରି ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ କରିଛି ଯେ, ରୁଷ୍ରେ ଥିବା କେତେକ ସିରୀୟ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା ବେଳେ, ଆଉ କେତେକ ସିରୀୟ ରୁଷ୍ ଅଭିମୁଖେ ଆସୁଛନ୍ତି।
ଗୃହଯୁଦ୍ଧରେ ସିରୀୟ ସରକାରଙ୍କୁ ସାହାଯ୍ୟ କରିବା ଲାଗି ୨୦୧୫ରୁ ରୁଷ୍ ସେନା ସିରିୟାରେ ଅଭିଯାନ ଚଳାଇଛି। ଏବେ ମସ୍କୋ ଆଶା କରୁଛି ଯେ, ନଗରାଞ୍ଚଳ ଯୁଦ୍ଧରେ ପାରଙ୍ଗମ ସିରୀୟ ସୈନିକମାନେ କିବ୍ ଅକ୍ତିଆର କରିବାରେ ସହାୟତା କରିପାରିବେ। ଏତାଦୃଶ ପଦକ୍ଷେପ ଯୋଗୁଁ ୟୁକ୍ରେନ୍ରେ ଲଢ଼େଇ ତୀବ୍ରତର ହେବାର ସମ୍ଭାବନା ଅଛି ବୋଲି ଆମେରିକୀୟ ସରକାରୀ ଅଧିକାରୀଜଣକ କହିଛନ୍ତି।
Image Courtesy of Arab Newsୟୁକ୍ରେନ୍ ଆକ୍ରମଣରେ ସିରୀୟ ଯୋଦ୍ଧାଙ୍କୁ ମୁତୟନ କରାଯିବା ସଂକ୍ରାନ୍ତରେ ଆଉ ଯାହା କିଛି ଜଣା ଅଛି, ତାହା କହିବାକୁ ସେ ଅଧିକାରୀଜଣକ ମନା କରି ଦେଇଛନ୍ତି।
ସିରୀୟ ଗଣମାଧ୍ୟମ ମଧ୍ୟ ଉପରୋକ୍ତ ସମ୍ବାଦ ପ୍ରକାଶ କରିଛି। ସିରିୟାର ଦିଆର୍ ଏଜୋରସ୍ଥିତ ଏକ ପ୍ରକାଶନୀ ରିପୋର୍ଟ ଅନୁସାରେ, ଏକାଦିକ୍ରମେ ୬ ମାସ ପାଇଁ ଗାର୍ଡ ଭାବେ କାର୍ଯ୍ୟ କରିବା ଲାଗି ୟୁକ୍ରେନ୍ ଯିବା ପାଇଁ ସ୍ବେଚ୍ଛାସେବୀ-ସୈନିକମାନଙ୍କୁ ରୁଷ୍ ୨୦୦ରୁ ୩୦୦ ଡଲାର୍ ଅର୍ଥ ପ୍ରଦାନ କରୁଛି।
ସୂଚନାଯୋଗ୍ୟ, ଆଜି ରୁଷ୍-ୟୁକ୍ରେନ୍ ଯୁଦ୍ଧ ୧୨ଶ ଦିନରେ ପ୍ରବେଶ କରିଥିଲେ ସୁଦ୍ଧା ୟୁକ୍ରେନ୍ ପୂର୍ବପରି ଦାମ୍ଭିକତା ପ୍ରଦର୍ଶନ କରୁଛି। କିନ୍ତୁ, ଏପର୍ଯ୍ୟନ୍ତ ୟୁକ୍ରେନ୍ ବିପକ୍ଷରେ ରୁଷ୍ ତା’ର ପୂର୍ଣ୍ଣ ସାମରିକ କ୍ଷମତା ପ୍ରୟୋଗ ନ କରିବା କଥା ବିଶେଷଙ୍କମାନଙ୍କୁ ଆଚମ୍ବିତ କରିଛି।
Follow Us