ଇସଲାମାବାଦ : ପାକିସ୍ତାନ ଓ ରୁଷ ସେମାନଙ୍କ ସମ୍ପର୍କକୁ ଉନ୍ନତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଉଭୟ ଦେଶ ସିଧାସଳଖ ସ୍ଥଳ ତଥା ବିମାନ ସଂଯୋଗ ବୃଦ୍ଧି କରି ବାଣିଜ୍ୟ ଏବଂ ଆର୍ଥିକ କାର୍ଯ୍ୟକଳାପକୁ ବଢ଼ାଇବାକୁ କରିବାକୁ ସହମତ ହୋଇଛନ୍ତି। ତୁର୍କୀର ଇସ୍ତାନବୁଲରେ ଓଆଇସି(ଇସଲାମିକ ଦେଶ ସଂଗଠନ)ପରିବହନ ମନ୍ତ୍ରୀ ସମ୍ମିଳନୀରେ ପାକିସ୍ତାନୀ ମନ୍ତ୍ରୀ ଅବଦୁଲ ଅଲିମ ଖାନ ଓ ରୁଷ ମନ୍ତ୍ରୀ ଦିମିତ୍ରୀ ଷ୍ଟାନିସ୍ଲାଭୋଭିଚ୍ ଜଭେରେଭଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅବଦୁଲ ଅଲିମ ଖାନ ଏବଂ ଦିମିତ୍ରୀ ଷ୍ଟାନିସ୍ଲାଭୋଭିଚ୍‌ଙ୍କ ମଧ୍ୟରେ ହୋଇଥିବା ବୈଠକ ସମୟରେ ମସ୍କୋ ଓ ଇସଲାମାବାଦ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବିଳମ୍ବ ନକରି ଆରମ୍ଭ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅଲିମ ଖାନ କହିଛନ୍ତି ଯେ, ପରିବହନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ପାକିସ୍ତାନ ସରକାର ରୁଷ ସହିତ ରାସ୍ତା ନେଟୱାର୍କ ଓ ଲଜିଷ୍ଟିକ୍ କରିଡର ବିକାଶ କରିବାରେ କାମ କରିବେ।

ଅଧିକପଢ଼ନ୍ତୁ:ଉତ୍ତର ଓଡ଼ିଶାର କାଶ୍ମୀର ‘ଉପର ବାରହାକାମୁଡ଼ା’: ଏବେ ବି ତାପମାତ୍ରା ୩ଂ ତଳେ

ରୁଷ ଓ ପାକିସ୍ତାନ ମଧ୍ୟରେ ଟ୍ରକ୍‌ରେ ମାଲ ପରିବହନ

ଦୁଇ ମନ୍ତ୍ରୀ ପାକିସ୍ତାନୀ ମାଲ ପରିବହନ ଟ୍ରକ୍ ଡ୍ରାଇଭରମାନେ ସମ୍ମୁଖୀନ ହେଉଥିବା ଭିସା ଏବଂ ସମ୍ପର୍କିତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦୁଇ ଦେଶ ମଧ୍ୟରେ ବ୍ୟାଙ୍କିଂ ଚ୍ୟାନେଲଗୁଡ଼ିକୁ ବିସ୍ତାର କରିବା ଓ ଆର୍ଥିକ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲ। ଏହା ଦୁଇ ଦେଶ ମଧ୍ୟରେ ଟ୍ରକ୍ ଦ୍ୱାରା ମାଲ ପରିବହନକୁ ସହଜ କରିବ।ଆଲିମ ଖାନ କହିଥିଲେ ଯେ, ପାକିସ୍ତାନର ଚୀନ୍ ଓ ଅନ୍ୟାନ୍ୟ ଦେଶ ସହିତ ସ୍ଥଳଭାଗ କରିଡର ବିକାଶ କରିବାରେ ଆଗ୍ରହ ରହିଛି। ଯାହା ଦ୍ୱାରା ମଧ୍ୟ ଏସୀୟ ଦେଶଗୁଡ଼ିକ ମାଧ୍ୟମରେ ରୁଷ ସହିତ ପ୍ରଭାବଶାଳୀ ସଂଯୋଗୀକରଣ ସମ୍ଭବ ହୋଇପାରିବ। ଦିମିତ୍ରୀ ଜେଭେରେଭ ପାକିସ୍ତାନ ସହିତ ପରିବହନ ଓ ରାଜପଥ ସଂଯୋଗୀକରଣ ବୃଦ୍ଧି କରିବାରେ ଆଗ୍ରହ ପ୍ରକାଶ କରି ସହଯୋଗର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ।

ପାକିସ୍ତାନ-ରୁଷ ସମ୍ପର୍କ ନିବିଡ଼ ହେଉଛି

ଗତ କିଛି ମାସ ମଧ୍ୟରେ ପାକିସ୍ତାନ ଓ ରୁଷ ମଧ୍ୟରେ ସମ୍ପର୍କରେ ଉନ୍ନତି ଆସିଛି। ଇତି ମଧ୍ୟରେ ରୁଷ ପାକିସ୍ତାନ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ କରିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ରହିଛି। ରୁଷ ଓ ପାକିସ୍ତାନ ସେମାନଙ୍କର ବାଣିଜ୍ୟ ଏବଂ ଆର୍ଥିକ ସହଯୋଗକୁ ବିକଶିତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।ରୁଷ ପାକିସ୍ତାନର ଅନେକ କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ବିଶେଷକରି ପାକିସ୍ତାନର ଇସ୍ପାତ କାରଖାନା ଏବଂ ରେଳପଥକୁ ରୁଷ ଉନ୍ନତ କରୁଛି। ଏପର୍ଯ୍ୟନ୍ତ, ପାକିସ୍ତାନ ଓ ରୁଷ ମଧ୍ୟରେ ସମ୍ପର୍କ ମୁଖ୍ୟତଃ ବାଣିଜ୍ୟ ଉପରେ କେନ୍ଦ୍ରିତ ଥିଲା। ପାକିସ୍ତାନ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ରୁଷ ସହିତ ସମ୍ପର୍କ ବିକଶିତ କରିବାକୁ ଚେଷ୍ଟା କରିଆସୁଛି।

ବନ୍ଧୁତା କରୁଛି ଦୃଷ୍ଟି ଆକର୍ଷଣ

ଦଶନ୍ଧି ଧରି ରୁଷ ଓ ଭାରତ ବିଶ୍ୱସ୍ତ ସହଯୋଗୀ ହୋଇ ରହିଆସିଛନ୍ତି। ଏହି ସମୟରେ ପାକିସ୍ତାନକୁ ଆମେରିକୀୟ ସମର୍ଥକ ବୋଲି ବିବେଚନା କରାଯାଉଛି। ଫଳସ୍ୱରୂପ, ରୁଷ ସହିତ ପାକିସ୍ତାନର ବୃଦ୍ଧି ପାଉଥିବା ନିବିଡ଼ତା ବିଶ୍ୱସ୍ତରୀୟ ଦୃଷ୍ଟି ଆକର୍ଷଣ କରୁଛି। ଚୀନ୍ ମଧ୍ୟ ପାକିସ୍ତାନକୁ ରୁଷ ସହିତ ସମ୍ପର୍କ ଉନ୍ନତ କରିବାରେ ସାହାଯ୍ୟ କରୁଛି। ଏପରି କରି ଚୀନ୍ ଭାରତ ଚାରିପାଖରେ ଏକ ମୋର୍ଚ୍ଚା ଗଠନ କରିବାକୁ ଚେଷ୍ଟା କରୁଛି।

ଅଧିକପଢ଼ନ୍ତୁ:ହ୍ୱାଇଟ୍ ହାଉସ୍ ଭାଲେଣ୍ଟାଇନ୍ସ ଡେ କାର୍ଡ ଶିରୋନାମାରେ: ମାଦୁରୋଙ୍କୁ ତୁମେ ମୋ ହୃଦୟକୁ କବ୍‌ଜା କରିଛ ବାର୍ତ୍ତା ପଠାଇଲା