Image Courtesy of The Indian Express
ମସ୍କୋ: ବର୍ଷ ଶେଷସୁଦ୍ଧା ରୁଷ୍ ମାସକୁ ୧.୫ ନିୟୁତରୁ ୨ ନିୟୁତ ସଂଖ୍ୟାରେ କୋଭିଡ୍-୧୯ ଟିକା ଉତ୍ପାଦନ କରିବ ବୋଲି ଶିଳ୍ପମନ୍ତ୍ରୀ ଦେନିସ୍ ମାନ୍ତୁରୋଭ୍ ରବିବାର ଦିନ କହିଥିବା କଥା ‘ଆର୍ଆଇଏ’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି। କ୍ରମଶଃ ପରିମାଣ ବୃଦ୍ଧି କରାଯାଇ ପ୍ରତି ମାସରେ ୬ ନିୟୁତ ଡୋଜ୍ ଟିକା ଉତ୍ପାଦନ କରାଯିବ ବୋଲି ‘ଆର୍ଆଇଏ’ କହିଛି।
ରୁଷ୍ ବିକଶିତ କରିଥିବା ବିଶ୍ବର ପ୍ରଥମ କରୋନାଭାଇରସ୍ ବିରୋଧୀ ଟିକା ‘ସ୍ପୁଟ୍ନିକ୍-୫’ ସମ୍ପୂର୍ଣ୍ଣ ଫଳପ୍ରଦ ହୋଇଥିବା କଥା ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଘୋଷଣା କରିଥିଲେ। ମସ୍କୋର ଗାମାଲେୟା ପ୍ରତିଷ୍ଠାନ ଦ୍ବାରା ବିକଶିତ ଏହି ଟିକା ବ୍ୟାପକ ପରୀକ୍ଷା ରୁଷ୍ରେ ଆସନ୍ତା ସପ୍ତାହରେ ଆରମ୍ଭ ହେବ। ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କିଂବା ନୈଦାନିକ ପରୀକ୍ଷା ବ୍ୟାପକ କରାଯାଇନାହିଁ।
Image Courtesy of India Today‘ସ୍ପୁଟ୍ନିକ୍-୫’ ଟିକାର ଦୁଇଟି ‘ସଟ୍’ ରହିଛି। ଏଥିରେ ସାଧାରଣ ଥଣ୍ଡା ଶର୍ଦ୍ଦି କରାଉଥିବା କେତେକ ‘ଆଡେନୋଭାଇରସ୍’ ପ୍ରଜାତି ଭୂତାଣୁ ବ୍ୟବହାର କରାଯାଇଛି। କୋଭିଡ୍-୧୯ର କାରଣ ହେଉଥିବା ‘ସାର୍ସ-ସିଓଭି-୨’ର ଉପରିଭାଗରେ ଥିବା ପୁଷ୍ଟିସାରର ଗୁଣସୂତ୍ର ବହନ କରିବାକୁ ନିର୍ମାତାମାନେ ସେହି ‘ଆଡେନୋଭାଇରସ୍’ର ଜେନମ୍କୁ ପରିବର୍ତ୍ତନ କରିଛନ୍ତି।
ପୁତିନ୍ଙ୍କ ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି କିଛି ସପ୍ତାହ ତଳେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଥିଲା, ରୁଷୀୟ ଟିକା ବ୍ୟବହାର ନିମନ୍ତେ ସୁପାରିସ କରିବା ପୂର୍ବରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତାହାର ବିଷଦ୍ ସମୀକ୍ଷା ଏବଂ ମୂଲ୍ୟାୟନ କରିବ।
Follow Us