ନିର୍ବାଚନରେ ହସ୍ତକ୍ଷେପ କରିଥିବା ପୁଟିନ୍‌ ପ୍ରତିଫଳ ଭୋଗିବେ ବୋଲି ବାଇଡେନ୍‌ କହିବା ପରେ ରାଷ୍ଟ୍ରଦୂତ ପ୍ରତ୍ୟାହାର କଲା ରୁଷ୍‌

Advertisment
ନିର୍ବାଚନରେ ହସ୍ତକ୍ଷେପ କରିଥିବା ପୁଟିନ୍‌ ପ୍ରତିଫଳ ଭୋଗିବେ ବୋଲି ବାଇଡେନ୍‌ କହିବା ପରେ ରାଷ୍ଟ୍ରଦୂତ ପ୍ରତ୍ୟାହାର କଲା ରୁଷ୍‌

Image Courtesy of India Today

ଓ୍ଵାସିଂଟନ୍‌: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଜଣେ ‘ଆତତାୟୀ’ ଏବଂ ନିର୍ବାଚନରେ ହସ୍ତକ୍ଷେପ କରିଥିବା କାରଣରୁ ସେ ‘ପ୍ରତିଫଳ’ ଭୋଗିବେ ବୋଲି ରାଷ୍ଟ୍ରପତି ଜୋ’ ବାଇଡେନ୍‌ କହିବାରୁ ବୁଧବାର ଦିନ ବିଚାରବିମର୍ଶ ଲାଗି ରୁଷ୍‌ ଆମେରିକାରେ ଥିବା ତା’ର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରି ନେଇଛି।

‘ଏବିସି ନିଉଜ୍‌’ ସହ ସାକ୍ଷାତ୍‌କାର ବେଳେ ଜୋ ବାଇଡେନ୍‌ଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ରିପୋର୍ଟ ବିଷୟରେ ପଚରାଯାଇଥିଲା। ଗୁଇନ୍ଦା ରିପୋର୍ଟ ଅନୁସାରେ, ୨୦୨୦ ନଭେମ୍ବର ନିର୍ବାଚନରେ ବାଇଡେନ୍‌ଙ୍କର କ୍ଷତି ଏବଂ ଟ୍ରମ୍ପ୍‌ଙ୍କର ଉପକାର କରିବା ଲାଗି ପୁଟିନ୍‌ ଉଦ୍ୟମ କରିଥିଲେ।
ଜୋ ବାଇଡେନ୍‌ କହିଲେ, ସେ ଏହାର ‘ପ୍ରତିଫଳ’ ଭୋଗିବେ।

ରୁଷ୍‌ ସରକାରଙ୍କ ବିରୋଧୀ ନେତା ଆଲେକ୍ସି ନାଭାଲନି ଏବଂ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଷ ଦେବା ଲାଗି ଆଦେଶ ଦେଇଥିବା ପୁଟିନ୍‌ଙ୍କୁ ସେ ଜଣେ ‘ଆତତାୟୀ’ ଦୃଷ୍ଟିରେ ଦେଖନ୍ତି କି, ବୋଲି ପଚରାଯିବାରୁ ବାଇଡେନ୍‌ କହିଲେ, ହଁ, ମୁଁ ତାଙ୍କୁ ସେହି ଦୃଷ୍ଟିରେ ଦେଖେ।

publive-image Image Courtesy of The Mosco Times

ଏହାଛଡ଼ା, ନାଭାଲ୍‌ନିଙ୍କୁ ବିଷ ଦେଇଥିବା କାରଣରୁ ‘ଯୁକ୍ତରାଷ୍ଟ୍ର ଆମେରିକାର ବାଣିଜ୍ୟ ବିଭାଗ’ ରୁଷ୍‌ ପ୍ରତି ଲାଗୁ କରିଥିବା ରପ୍ତାନି କଟକଣାକୁ ଆହୁରି କଠୋର କରିବ ବୋଲି ମଧ୍ୟ ଘୋଷଣା କରିଛି।

ଏ ସମ୍ବାଦ ପ୍ରସାରଣ ହେବା ପରେ, ଓ୍ଵାସିଂଟନ୍‌ରେ ଥିବା ରୁଷୀୟ ରାଷ୍ଟ୍ରଦୂତ ଆନାଟୋଲି ଆଣ୍ଟୋନୋଭ୍‌ଙ୍କୁ ରୁଷ୍‌ ପ୍ରତ୍ୟାହାର କରିନେଇଛି। କିନ୍ତୁ, ମସ୍କୋରେ ଥିବା ତା’ର ରାଷ୍ଟ୍ରଦୂତଙ୍କୁ ଓ୍ଵାସିଂଟନ୍‌ ପ୍ରତ୍ୟାହାର କରିନାହିଁ।

ଏ ସଂକ୍ରାନ୍ତରେ ରୁଷ୍‌ର ବୈଦେଶିକ ମନ୍ତ୍ରାଳୟ କହିଛି, ଯୁକ୍ତରାଷ୍ଟ୍ର ଆମେରିକା ସହ ଥିବା ସମ୍ପର୍କ ବିଷୟରେ ବିଭିନ୍ନ ଦୃଷ୍ଟିକୋଣରୁ ପର୍ଯ୍ୟାଲୋଚନା କରିବା ନିମନ୍ତେ ଆନାଟୋଲି ଆଣ୍ଟୋନୋଭ୍‌ଙ୍କୁ ସ୍ୱଦେଶକୁ ଆମନ୍ତ୍ରଣ କରାଯାଇଛି।

ରୁଷ୍‌ର ଉପ-ବୈଦେଶିକ ମନ୍ତ୍ରୀ ସର୍ଗେଇ ରିୟାବ୍‌କୋଭ୍‌ ସମ୍ବାଦ ସରବରାହ ସଂସ୍ଥାନ ‘ରିଆ ନୋଭୋସ୍ତି’କୁ କହିଛନ୍ତି ଯେ, ରୁଷ୍‌-ଆମେରିକା ମଧ୍ୟରେ ଥିବା ସମ୍ପର୍କରେ ଆହୁରି ଅବନତି ଘଟିବ କି, ନାହିଁ, ତାହା ଯୁକ୍ତରାଷ୍ଟ୍ର ଆମେରିକା ଉପରେ ନିର୍ଭର କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe