Image Courtesy of India Today
ଲଣ୍ଡନ୍: ପରିଶେଷରେ ‘ବୁଦ୍ଦୁ ଜୋକର୍’ ଉପଯୁକ୍ତ ଫଳ ପାଇଛି କହି ଗୁରୁବାର ଦିନ ରୁଷୀୟ ରାଜନେତାମାନେ ବୋରିସ୍ ଜନ୍ସନ୍ଙ୍କ କ୍ଷମତାଚ୍ୟୁତିକୁ ଉତ୍ସବ ଭାବେ ପାଳନ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ‘ବ୍ରିକ୍ସିଟ୍’ ଅଭିଯାନର ପୁରୋଧା ଜନ୍ସନ୍ ୨୦୧୯ରେ ବିପୁଳ ସଂଖ୍ୟାରେ ଭୋଟ୍ ପାଇ ବିଜୟ ହାସଲ କରିଥିଲେ। ଗୁଡ଼ିଏ କେଳେଙ୍କାରୀ ଘଟଣାରେ ଅନେକ ମନ୍ତ୍ରୀ (ବିଷେଶକରି ତାଙ୍କ ‘କଞ୍ଜର୍ଭେଟିଭ୍ ପାର୍ଟି’ର) ଇସ୍ତଫା ଦେବାରୁ ଗତକାଲି ସେ ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ।
ଜନ୍ସନ୍ଙ୍କୁ ସେ ପସନ୍ଦ କରୁ ନ ଥିଲେ ବୋଲି କ୍ରେମ୍ଲିନ୍ ମଧ୍ୟ କହିଛି।
ଇସ୍ତଫା ଘୋଷଣା କରିବା ଲାଗି ଜନ୍ସନ୍ ଡାଉନିଙ୍ଗ୍ ଷ୍ଟ୍ରିଟ୍ରେ ଠିଆ ହେବାର କ୍ଷଣିକ ପୂର୍ବରୁ କ୍ରେମ୍ଲିନ୍ ମୁଖପାତ୍ର ଡିମିତ୍ରି ପେସ୍କୋଭ୍ କହିଥିଲେ, ସେ ଆମକୁ ପସନ୍ଦ କରୁ ନ ଥିଲେ, ଆମେ ତାଙ୍କୁ ପସନ୍ଦ କରୁ ନ ଥିଲୁ।
Image Courtesy of Reutersରୁଷ୍ର ଅନ୍ୟତମ ବିଶିଷ୍ଟ ବ୍ୟବସାୟୀ ଓଲେଗ୍ ଡେରିପାସ୍କା ‘ଟେଲିଗ୍ରାମ୍’ରେ କହିଛନ୍ତି, ଜଣେ ‘ବୁଦ୍ଦୁ ଜୋକର୍’ର ‘ଲଜ୍ଜାଜନକ ଅବସାନ’।
ରୁଷ୍ ସଂସଦର ନିମ୍ନ ସଦନର ବାଚସ୍ପତି ଭିୟାଚେସ୍ଲାଭ୍ ଭୋଲୋଦିନ୍ କହିଛନ୍ତି, ‘ଜୋକର୍’ ବିଦାୟ ନେଉଛି। ରୁଷ୍ ବିପକ୍ଷରେ ଯୁଦ୍ଧ ପାଇଁ ୟୁକ୍ରେନ୍କୁ ଉସ୍କାଇବାରେ ସେ ହେଉଛନ୍ତି ଅନ୍ୟତମ ନେତା। ଏଭଳି ନୀତିର ପରିଣତି କ’ଣ ହୋଇପାରେ ତାହା ୟୁରୋପୀୟ ନେତାମାନେ ଚିନ୍ତା କରିବା ଉଚିତ।
ଫେବ୍ରୁଆରି ୨୪ ତାରିଖ ଦିନ ପୁଟିନ୍ ୟୁକ୍ରେନ୍ ଆକ୍ରମଣ ପାଇଁ ଆଦେଶ ଦେବା ପୂର୍ବରୁ ମଧ୍ୟ ଅନେକ ଥର ଜନ୍ସନ୍ ତାଙ୍କୁ ସମାଲୋଚନା କରିଥିଲେ।
ରୁଷୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ରୀ ମାରିଆ ଜାଖାରୋଭା ମଧ୍ୟ କହିଛନ୍ତି, ଜନ୍ସନ୍ଙ୍କ ପତନ ହେଉଛି ପାଶ୍ଚାତ୍ୟ ଦେଶସମୂହର ପତନ। ଏକଥାର ସାରାଂଶ ହେଲା: ରୁଷ୍କୁ ଧ୍ବଂସ କରି ହେବନାହିଁ। ଯେତେ ଯାହା କଲେ ବି ଏହା ସମ୍ଭବ ନୁହେଁ। ଜନ୍ସନ୍ ନିଜେ ହିଁ ନିଜ ପତନର କାରଣ।
Follow Us