ମସ୍କୋ : ୟୁକ୍ରେନ୍ ଆକ୍ରମଣ ପାଇଁ ବୈଶ୍ୱିକ ମଂଚରେ ନାନା ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ରୁଷ୍କୁ ସାଉଦି ଆରବ ସହଯୋଗର ହାତ ବଢ଼ାଇବା ସମ୍ଭାବନା ଦେଖାଦେଇଛି। ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଗତକାଲି ପୁଟିନଙ୍କ ସହ ଫୋନ୍ରେ ଆଲୋଚନା ହୋଇଥିବା ବେଳେ ଉଭୟ ଦେଶର ସଂପର୍କକୁ ପଶ୍ଚିମ ରାଷ୍ଟ୍ରମାନଙ୍କ ପ୍ରଭାବରୁ ମୁକ୍ତ ରଖିବାକୁ ସହମତି ହୋଇଥିବା ଜଣାପଡ଼ିଛି। ରୁଷ୍ର ଅର୍ଥ ବ୍ୟବସ୍ଥାକୁ ତଳିତଳାନ୍ତ କରିଦେବା ପାଇଁ ପଶ୍ଚିମ ରାଷ୍ଟ୍ରମାନଙ୍କ କଠୋର କଟକଣା ଭିତରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବଢ଼ିଯାଇଛି। ଏଭଳି ସ୍ଥିତିରେ ରୁଷ୍କୁ ସମର୍ଥନ କରିବା ପାଇଁ ସାଉଦି ଆରବ ତୈଳ ଦର ହ୍ରାସ କରିବ ନାହିଁ ବୋଲି କୁହାଯାଉଛି।
ଓପେକ୍ ରାଷ୍ଟ୍ରମାନଙ୍କ ନେତୃତ୍ୱ ସାଉଦି ଆରବ୍ ଏବଂ ରୁଷ୍ ନିୟନ୍ତ୍ରଣରେ ରହିଛି । ଦୁଇ ଦିନ ତଳେ ଓପେକ୍ ବୈଠକରେ ରୁଷ୍ -ୟୁକ୍ରେନ୍ ଯୁଦ୍ଧ ନେଇ ପଶ୍ଚିମ ରାଷ୍ଟ୍ରମାନଙ୍କ ଉଦ୍ବେଗକୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିଲା। ଅନ୍ୟପକ୍ଷରେ ଆମେରିକାକୁ ଚେତାବନୀ ଦେଇ କ୍ରାଉନ୍ ପ୍ରିନ୍ସ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଆମ ସଂପର୍କରେ କିଭଳି ଚିନ୍ତା କରୁଛନ୍ତି ତାହାକୁ ଆମେ ଖାତିର୍ କରୁନାହୁ। ବାଇଡେନ୍ ନିଜ ଦେଶର ଲୋକଙ୍କ କଥା ଅଧିକ ଚିନ୍ତା କରନ୍ତୁ ବୋଲି କ୍ରାଉନ୍ ପ୍ରିନ୍ସ କହିଛନ୍ତି।
Follow Us