Image Courtesy of India Today
ନୂଆଦିଲ୍ଲୀ: ବୁଧବାର ଦିନ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍କୁ ବିଦାୟ ଦେବା ବେଳେ ଶକ୍ତି ପ୍ରଦର୍ଶନସ୍ବରୂପ ରାତିସାରା ରୁଷ୍ ସେନା ୟୁକ୍ରେନ୍ରେ ଗୋଟାଏ ଆପାର୍ଟମେଣ୍ଟ୍ରେ କ୍ଷେପଣାସ୍ତ୍ର ନିକ୍ଷେପ କରିବା ସହିତ ୟୁକ୍ରେନ୍ ବିଭିନ୍ନ ନଗରୀରେ ଡ୍ରୋନ୍ ଆକ୍ରମଣ ଜାରି ରଖିଥିବା ରିପୋର୍ଟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି।
ଜାପୋରିଝ୍ଝିଆରେ ଦୁଇଟି ନଭଶ୍ଚୁମ୍ବୀ ଆବାସିକ ଅଟ୍ଟାଳିକା ଉପରେ ଦୁଇଟି ରୁଷୀୟ କ୍ଷେପଣାସ୍ତ୍ର ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୩୩ଜଣ ଆହତ ହୋଇଛନ୍ତି ବୋଲି ଏକ ରିପୋର୍ଟରେ ଉଲ୍ଲେଖ ଅଛି।
ଗୋଟିଏ ଆପାର୍ଟମେଣ୍ଟ୍ ଅଟ୍ଟାଳିକାରେ ବିସ୍ଫୋରଣ ହେବା ସମୟରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଟୁଇଟ୍ କରି ଲେଖିଲେ: ସାଧାରଣ ଜନତା ଓ ପିଲାମାନେ ବାସ କରୁଥିବା ଆବାସିକ ଅଞ୍ଚଳରେ ଏବେ ଏବେ କ୍ଷେପଣାସ୍ତ୍ର ପଡ଼ିଛି। ୟୁକ୍ରେନ୍ କିଂବା ବିଶ୍ବର ଅନ୍ୟତ୍ର କେଉଁଠି ଏଭଳି ଦିନ ନ ଆସୁ। ଯଥାଶୀଘ୍ର ରୁଷ୍ର ଆତଙ୍କକୁ ପରାଜିତ କରି ଜନଜୀବନ ରକ୍ଷା କରିବା ଲାଗି ବିଶ୍ବ ଅଧିକ ଏକତ୍ର ଏବଂ ପ୍ରତିବଦ୍ଧ ହେବା ଆବଶ୍ୟକ।
Image Courtesy of India Todayଘଟଣାସ୍ଥଳରେ ଥିବା ଗୋଟାଏ ଖେଳପଡ଼ିଆ ଏବଂ କାର୍ ପାର୍କରେ କାଚ, ଭଙ୍ଗାରୁଜା ଟୁକୁଡ଼ା ଏବଂ କାର୍ର ଭଗ୍ନାଂଶ ବିଛାଡ଼ି ହୋଇ ପଡ଼ିଛି। ଜରୁରୀକାଳୀନ ସେବା ପ୍ରଦାନକାରୀମାନେ ଆହତମାନଙ୍କୁ ଉଠାଇ ନେବା ସହିତ ଯେଉଁମାନେ ଚାଲିବାକୁ ସମର୍ଥ ସେମାନଙ୍କୁ ବାଟ କଢ଼ାଇ ନେଉଛନ୍ତି ବୋଲି ‘ରଏର୍ଟସ୍’ ରିପୋର୍ଟ କରିଛି।
ରାଜଧାନୀ କିବ୍ର ଦକ୍ଷିଣ ପାର୍ଶ୍ବରେ ଥିବା ନଦୀକୂଳ ନଗରୀ ରିଝିଶ୍ଚିଭ୍ରେ ଦୁଇଟି କଲେଜ୍ ଡର୍ମିଟରିରେ ଗୋଟାଏ ଡ୍ରୋନ୍ ଆକ୍ରମଣ କରିବାରୁ ଅନ୍ୟୂନ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ୨୦ଜଣ ଆହତ ହୋଇଛନ୍ତି ଏବଂ ୪ଜଣଙ୍କର ପତ୍ତା ମିଳୁନାହିଁ।
ରାତିବେଳା ରାଜଧାନୀ ଏବଂ ଉତ୍ତର ୟୁକ୍ରେନ୍ରେ ଅସୁମାରି ଡ୍ରୋନ୍ ପଇଁତରା ମାରୁଥିଲେ। ଇରାନ୍ ନିର୍ମିତ ୨୧ଟି ଆତ୍ମଘାତୀ ଡ୍ରୋନ୍ରୁ ୧୬ଟି ଗୁଳି କରି ଖସାଇ ଦେଇଥିବା କଥା ୟୁକ୍ରେନ୍ ସେନା କହିଛି।
Follow Us