Image Courtesy of NDTV
ମସ୍କୋ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର କହିଛନ୍ତି ଯେ, ରୁଷ୍ ସଫଳତାର ସହ ‘ସର୍ମତ’ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି, ଯାହା ଆଣବିକ ଅସ୍ତ୍ର ବହନକ୍ଷମ। ଏହି କ୍ଷେପଣାସ୍ତ୍ରର ପରୀକ୍ଷା ପରେ କ୍ରେମ୍ଲିନ୍ ସହ ପଙ୍ଗା ନେବା ପାଇଁ ଶତ୍ରୁମାନେ ଦୁଇଥର ଚିନ୍ତା କରିବେ ବୋଲି ପୁଟିନ କହିଛନ୍ତି। ପାଶ୍ଚାତ୍ୟ ବିଶ୍ଳେଷକଙ୍କ ଦ୍ବାରା ସଇତାନ ୨ ବୋଲି କୁହାଯାଉଥିବା ସର୍ମତ ହେଉଛି ରୁଷିଆର ପରବର୍ତ୍ତୀ ପିଢ଼ିର ମିସାଇଲ, ଯାହାକୁ ପୁଟିନ ଅବ୍ୟର୍ଥ ବୋଲି କହିଛନ୍ତି। ଏହା ଭିତରେ କିନଝାଲ ଓ ଆଭାଂଗାର୍ଡ ହାଇପରସୋନିକ ମିସାଇଲ ଅନ୍ତର୍ଭୁକ୍ତ। ଗତ ମାସରେ ରୁଷିଆ କହିଥିଲା ଯେ, ୟୁକ୍ରେନ୍ ଯୁଦ୍ଧରେ ଏକ ଟାର୍ଗେଟ୍କୁ ମାଡ଼ କରିବା ପାଇଁ ଏହା କିନଝାଲ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟବହାର କରିଥିଲା।
ସର୍ମତ ହେଉଛି ଅତ୍ୟନ୍ତ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଯାହା ୨୦୦ ଟନ୍ ପର୍ଯ୍ୟନ୍ତ ଆଣବିକ ଅସ୍ତ୍ର ବା ପାରମ୍ପରିକ ଅସ୍ତ୍ର ବହନ କରି ୧୦ ହଜାର କିମି ଗତିକରି ବିଶ୍ବର ଯେକୌଣସି ସ୍ଥାନରେ ଲକ୍ଷ୍ୟସ୍ଥଳକୁ ଭେଦ କରିପାରିବ। ଏହା ଯେକୌଣସି ଦେଶର କ୍ଷେପଣାସ୍ତ୍ର-ଧ୍ବଂସୀ ପ୍ରତିରକ୍ଷା ବ୍ୟବସ୍ଥାକୁ ଏଡ଼େଇ ପାରିବ ଏବଂ ଶତ୍ରୁର ନିରୀକ୍ଷଣ ବ୍ୟବସ୍ଥା ଏହାକୁ ଟ୍ରାକ୍ କରିପାରିବ ନାହିଁ।
Follow Us