ୟୁରୋପକୁ ଧମକାଇଲା ରୁଷ

Advertisment

ଅର୍ଥନୈତିକ କଟକଣା ଯୁଦ୍ଧ ସହ ସମାନ: ପୁଟିନ

ଅର୍ଥନୈତିକ କଟକଣା ଯୁଦ୍ଧ ସହ ସମାନ: ପୁଟିନ

ୟୁରୋପକୁ ଧମକାଇଲା ରୁଷ

ନୋଫ୍ଲାଏ ଜୋନ୍ ଘୋଷଣା କଲେ ଜବାବ ଦିଆଯିବ
ୟୁକ୍ରେନ୍‌ରେ କ୍ଲଷ୍ଟର ବୋମାମାଡ଼, ୧୫ ଲକ୍ଷ ଲୋକ ଦେଶ ଛାଡ଼ିଲେଣି

ନୂଆଦିଲ୍ଲୀ : ୟୁକ୍ରେନ ଦଖଲ ପାଇଁ ରୁଷ ଗୋଟିଏ ପଟେ ସାମରିକ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଥିବା ବେଳେ ଅନ୍ୟପଟେ ଏହାଉପରେ ଅର୍ଥନୈତିକ କଟକଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ରୁଷ୍ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ପରେ ତାଙ୍କ ଦେଶ ବିରୋଧରେ ୟୁରୋପୀୟ ରାଷ୍ଟ୍ର ଯେଉଁ ଅର୍ଥନୈତିକ କଟକଣା ଜାରି କରିଛନ୍ତି ତାହା ଯୁଦ୍ଧ ଘୋଷଣା ସହିତ ସମାନ। ଏହା ଗ୍ରହଣଯୋଗ୍ୟ ନୁହେଁ। ‌ଏହାସହିତ ସେ ବ୍ରିଟେନ ସମେତ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଚେତାବନୀ ଶୁଣାଇଛନ୍ତି ଯେ ୟୁକ୍ରେନରେ ନୋଫ୍ଲାଏ ଜୋନ୍ ଘୋଷଣା କଲେ ପରିଣତି ଭୟଙ୍କର ହେବ। ଏହାକୁ ପ୍ରତ୍ୟକ୍ଷ ଭାବେ ଯୁଦ୍ଧ ଭାବେ ବିଚାର କରାଯିବ। ରୁଷ ପ୍ରତି ବିପଦ ସୃଷ୍ଟି ‌ହେଲେ ଏହାର ମୁକାବିଲା ଲାଗି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ଅଭିଯାନରେ ଯେଉଁ ରାଷ୍ଟ୍ର ସାମିଲ ହେଲେ ମଧ୍ୟ ମୁହଁତୋଡ଼ ଜବାବ ଦେବାକୁ ରୁଷ ପଛାଇବ ନାହିଁ।

ସୂଚନା‌ଯୋଗ୍ୟ ଯେ ୟୁକ୍ରେନରେ ‌ନୋଫ୍ଲାଏ ଜୋନ୍ ଘୋଷଣା କରିବା ଲାଗି ୟୁକ୍ରେନ ରାଷ୍ଟ୍ରପତି ‘ନାଟୋ’ ସଂଗଠନକୁ ଅନୁରୋଧ କରିଥିଲେ। କିନ୍ତୁ ପାଶ୍ଚାତ୍ୟ ଦେଶଗୁଡ଼ିକୁ ନେଇ ଗଠିତ ‘ନାଟୋ’ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି। ନାଟୋ ପକ୍ଷରୁ କୁହାଯାଇଛି ଯେ ନୋଫ୍ଲାଏ ଜୋନ ଘୋଷଣା ‌ହେଲେ ରୁଷ ସହିତ ସଂଘର୍ଷର ଆଶଙ୍କା ସୃଷ୍ଟି ହୋଇପାରେ। ଏହାପରେ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ଯେ ଏବେ ଠାରୁ ୟୁକ୍ରେନର ଯାହା କ୍ଷତି ହେବ ସେଥିପାଇଁ ନାଟୋ ଦାୟୀ ରହିବ।

publive-image TheCable

ଇତିମଧ୍ୟରେ ରୁଷ୍‌ ଲଗାତାର ଭାବେ ୟୁକ୍ରେନର ପ୍ରମୁଖ ସହରମାନଙ୍କରେ ଆକ୍ରମଣ ଜାରି ରଖିଛି। ୟୁକ୍ରେନ୍‌ ରାଜଧାନୀ କିବ୍‌ରେ ରୁଷ୍‌ର ବିମାନ ଆକ୍ରମଣ‌ ଯୋଗୁଁ ୨ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ କିବ୍‌କୁ ଚାରି ପଟୁ ଘେରି ରହିଥିବା ରୁଷ୍‌ ସେନା ଆଜି ସହରର ଯୋଗାଣ କରିଡରକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ସହର ତଳି ଅଂଚଳ ଏବଂ ସହର ନିକଟବର୍ତ୍ତୀ ଅଂଚଳଗୁଡ଼ିକରେ ତୁହାକୁ ତୁହା ବୋମାମାଡ଼ ଜାରି ରହିଛି। କିବ୍‌ର ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ କ୍ଷେପଣାସ୍ତ୍ରରେ ଟାର୍ଗେଟ୍‌ କରାଯାଉଛି । କିବ୍‌ ନିକଟସ୍ଥ ମରଖଲେବକାରେ ରୁଷ୍‌ ସେନା ଆଜି ପ୍ରଚଣ୍ଡ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ୟୁକ୍ରେନ୍‌ର ଫାଇଟର କ୍ୟାପ୍‌ଟେନ ଚିବ୍‌ନିଭ୍‌ ଆଜି ରୁଷ୍‌ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ କିବ୍‌ର ବୁଚା ଚିଲ୍ଲାରେ ଆଜି ରୁଷ୍‌ ସୈନିକମାନେ ଏକ କାର୍‌ ଉପରକୁ ଗୁଳି ମାଡ଼ କରିବା ଦ୍ବାରା ଜଣେ ନାବାଳିକାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି। ଇତିମଧ୍ୟରେ ରୁଷ୍‌ ୟୁକ୍ରେନ୍‌ର ଦ୍ବିତୀୟ ପରମାଣୁ କେନ୍ଦ୍ରର ନିକଟବର୍ତ୍ତୀ ହେଉଛି। ଗତକାଲି ରୁ‌ଷ୍‌ ୟୁକ୍ରେନ୍‌ର ଜାପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ରକୁ ଦଖଲ କରିଥିଲା। ତେବେ ରୁଷ୍‌ ଏବେ ୟୁକ୍ରେନ୍‌ର ଦ୍ବିତୀୟ ପରମାଣୁ କେନ୍ଦ୍ରଠାରୁ ୩୨ କିମି ଦୂରରେ ଅଛି ବୋଲି ଆମେରିକା କହିଛି।

ୟୁକ୍ରେନର ୪ ସହର ଖାରକିଭ, ଚେର୍ନିହିବ, ସୁମି ଏବଂ ମରିପଲ୍‌ରେ ଏବେ ସବୁଠି ରୁଷ୍‌ ସୈନିକଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ଚେର୍ନିହିଭରେ ରୁଷ୍‌ ଘନ ଘନ ରକେଡ୍‌ ମାଡ଼ କରୁଛି। ଚେର୍ନିହିବରେ ରକେଟ୍‌ ଓ ବୋମା ମାଡ଼ ‌ ଯୋଗୁଁ ୪୭ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ‌ଚେର୍ନିହିବ ବେଲାରୁସ୍‌ ସୀମାରୁ କିବ୍‌ ଅଭିମୁଖେ ଉତ୍ତରପୂର୍ବ ରାସ୍ତାକୁ ନିୟନ୍ତ୍ରଣ କରୁଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ପ୍ରଥମ ଟାର୍ଗେଟ୍‌ ଥିଲା ଚେର୍ନିହିବ। ଗୁରୁବାର ଦିନ ରୁଷ୍‌ ଚେର୍ନିହିବରେ ଘନଘନ ବିମାନ ଆକ୍ରମଣ କରିଥିଲା। ଆଜି ମଧ୍ୟ ଚେର୍ନିହିବରେ ଲଗାତାର ଗୁଳିଗୋଳା ବର୍ଷା ସହ କେତେକ ସ୍ଥାନରେ କ୍ଲଷ୍ଟର ବୋମାମାଡ଼ ହୋଇଛି। ପ୍ରାଣ ବିକଳରେ ଏବେ ଲୋକମାନେ ଚେର୍ନିହିବ ଛାଡ଼ି ଚାଲି ଯାଉଛନ୍ତି। କ୍ଲଷ୍ଟର ବୋମା ବ୍ୟବହାରକୁ ନେଇ ଜି-୭ ରାଷ୍ଟ୍ରମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ପ୍ରାୟ ୧୫ ଲକ୍ଷ ଲୋକ ଦେଶ ଛାଡ଼ିଥିବା ଜାତିସଂଘ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଲକ୍ଷ ଲୋକ ପୋଲାଣ୍ଡ ଯାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe