ପରାଜୟ? ଖାରକିଭରୁ ପ୍ରତ୍ୟାହାର ନେଇ ରୁଷୀୟ ଜାତୀୟତାବାଦୀଙ୍କ କ୍ଷୋଭ

Advertisment
ପରାଜୟ? ଖାରକିଭରୁ ପ୍ରତ୍ୟାହାର ନେଇ ରୁଷୀୟ ଜାତୀୟତାବାଦୀଙ୍କ କ୍ଷୋଭ

photo-the japan times

ଲଣ୍ଡନ: ଉତ୍ତରପୂର୍ବ ୟୁକ୍ରେନ୍‌ର ଖାରକିଭ୍‌ରୁ ସୈନ୍ୟ ପ୍ରତ୍ୟାହାର ନେଇ ରୁଷୀୟ ଜାତୀୟତାବାଦୀମାନେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଏଥି ସହ ରୁଷ୍ ଯେପରି ୟୁକ୍ରେନ୍ ଯୁଦ୍ଧରେ ଅନ୍ତିମ ବିଜୟ ହାସଲ କରେ ତାହା ସୁନିଶ୍ଚିତ କରିବା ଲାଗି ସେମାନେ ଦାବି କରିଛନ୍ତି। ୟୁକ୍ରେନ୍‌ର ରାଜଧାନୀ କିବ୍‌ରୁ ଗତ ମାର୍ଚ୍ଚ ମାସରେ ପଛଘୁଞ୍ଚା ଦେବା ପରେ ଖାରକିଭ ପ୍ରଦେଶର ଇଜିୟମ ସହରରୁ ସୈନ୍ୟ ପ୍ରତ୍ୟାହାର ପାଇଁ ବାଧ୍ୟ ହେବା ରୁଷ୍ ପକ୍ଷରେ ଏକ ବଡ଼ ପରାଜୟ। ଶନିବାର ରୁଷ୍ ସେନା ଖାରକିଭର ଗୋଟିକ ପରେ ଗୋଟିଏ ସହରରୁ ସୈନ୍ୟ ପ୍ରତ୍ୟାହାର କରୁଥିବା ବେଳେ ପୁଟିନ ମସ୍କୋର ଏକ ପାର୍କରେ ୟୁରୋପର ବୃହତ୍ତମ ଫେରିଜ୍ ହ୍ବିଲ୍ ଉନ୍ମୋଚନ କରୁଥିଲେ ଏବଂ ୧୧୪୭ ମସିହାରେ ପ୍ରତିଷ୍ଠିତ ନଗରୀର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଲାଲ ଚୌକଠାରେ ଆତସବାଜି ପ୍ରଦର୍ଶନ କରାଯାଉଥିଲା।

ପୁଟିନଙ୍କ ସହଯୋଗୀ ଚେଚେନ ନେତା ରମଜାନ କାଡିରୋଭ, ଯାହାଙ୍କ ସେନା ରୁଷ୍ ପାଇଁ ୟୁକ୍ରେନ୍‌ରେ ସମ୍ମୁଖ ଯୁଦ୍ଧରେ ଲଢ଼ୁଛନ୍ତି, ସେ ୧୧ ମିନିଟର ଏକ ଭଏସ୍ ମେସେଜରେ କହିଛନ୍ତି ଯେ ଖାରକିଭର ଇଜିୟମରେ ରୁଷ୍ ସେନା ହାରି ନାହାନ୍ତି। କିନ୍ତୁ ଅଭିଯାନ ଯୋଜନାବଦ୍ଧ ଭାବେ ହୋଇ ନ ଥିବା ସେ ସ୍ବୀକାର କରିଛନ୍ତି। ତେବେ ଉତ୍ତରପୂର୍ବ ୟୁକ୍ରେନ୍‌ରୁ ସୈନ୍ୟ ପ୍ରତ୍ୟାହାର ନେଇ ମସ୍କୋ ସମ୍ପୂର୍ଣ୍ଣ ନିରବ ରହିଛି। ଏହାକୁ ନେଇ ଯୁଦ୍ଧ-ସପକ୍ଷବାଦୀ ରୁଷିଆର ଜାତୀୟତାବାଦୀ ନାଗରିକମାନେ ସାମାଜିକ ଗଣମାଧ୍ୟମରେ କ୍ରୋଧ ପ୍ରକାଶ କରିଛନ୍ତି। ପୁଟିନଙ୍କ ନୀରବତାକୁ ନେଇ ଜନୈକ ଜାତୀୟତାବାଦୀ କହିଛନ୍ତି , ଏହା ନିରବ ରହିବାର ବେଳ ନୁହେଁ। ଶନିବାର ମନ୍ତ୍ରଣାଳୟ ପକ୍ଷରୁ ରିଗ୍ରୁପିଂ ବିଷୟରେ ଘୋଷଣା କରାଯାଇଥିଲା ଏବଂ କୁହାଯାଇଥିଲା ଯେ ଖାରକିଭ୍‌ର ସେନା ପ୍ରତ୍ୟାହାର କରି ଡୋନେସ୍କ ଅଞ୍ଚଳ ଉପରେ ଫୋକସ କରାଯାଉଛି। ଏହା ମଧ୍ୟ ଜାତୀୟତାବାଦୀମାନଙ୍କୁ କ୍ଷୁବ୍ଧ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe