Image Courtesy of Zee News
ନ୍ୟୁୟର୍କ: ରୁଷ୍ର ୟୁକ୍ରେନ୍ ଆକ୍ରମଣ ଘଟଣା ଅବସାନ ନିମନ୍ତେ ଗୁରୁବାର ଦିନ ମେକ୍ସିକୋ ଔପଚାରିକ ଭାବେ ଯେଉଁ ଶାନ୍ତି କମିଟି ଗଠନ କରିବା ଲାଗି ପ୍ରସ୍ତାବ ଦେଇଛି, ସେଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାମିଲ କରାଯାଇଛି।
ମେକ୍ସିକୋର ବୈଦେଶିକ ମନ୍ତ୍ରୀ ମାର୍ସିଲୋ ଏବ୍ରାର୍ଡ କହିଛନ୍ତି ଯେ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ଙ୍କ ମଧ୍ୟସ୍ଥତା ଉଦ୍ୟମକୁ ସୁଦୃଢ଼ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ, ପୋପ୍ ଫ୍ରାନ୍ସିସ୍ ଏବଂ ଅନ୍ୟାନ୍ୟ ନେତାମାନଙ୍କୁ ସାମିଲ କରି ୟୁକ୍ରେନ୍ରେ ଆଲୋଚନା ଓ ଶାନ୍ତି ନିମନ୍ତେ ଏକ କମିଟି ଗଠନ କରାଯିବା ଉଚିତ।
ଜାତିସଂଘର ନିରାପତ୍ତା ପରିଷଦ୍ରେ ଉଦ୍ବୋଧନ ଦେବା ବେଳେ ସେ କହିଛନ୍ତି, ଆଲୋଚନା ନିମନ୍ତେ ନୂଆ ଉପାୟ ଏବଂ ମଧ୍ୟସ୍ଥତା ନିମନ୍ତେ ଅତିରିକ୍ତ ପରିସର ସୃଷ୍ଟି କରିବା ଲାଗି ଗଠନ କରାଯିବା ଥିବା ଏହି କମିଟିର ଉଦ୍ଦେଶ୍ୟ ଅତି ସୁସ୍ପଷ୍ଟ। ଏହି କମିଟି ବିଶ୍ବାସ ବୃଦ୍ଧି, ଉତ୍ତେଜନା ହ୍ରାସ ଏବଂ ସ୍ଥାୟୀ ଶାନ୍ତି ନିମନ୍ତେ ଉପାୟ କରିବ।
Image Courtesy of Times Nowଶୁକ୍ରବାର ଦିନ ସ୍ବାଧୀନତା ଦିବସ ଭାଷଣ ଦେବା ବେଳେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋଜେପ୍ ଓବ୍ରାଡର୍ ପ୍ରସ୍ତୁତ କରିଥିବା ପ୍ରସ୍ତାବକୁ ବୈଦେଶିକ ମନ୍ତ୍ରୀ ମାର୍ସିଲୋ ଏବ୍ରାର୍ଡ ନିରାପତ୍ତା ପରିଷଦ୍ରେ ଉପସ୍ଥାପନ କରିଛନ୍ତି।
ଉକ୍ତ ଭାଷଣରେ ଓବ୍ରାଡର୍ କହିଛନ୍ତି ଯେ, ମୋଦୀ ଓ ପୋପ୍ଙ୍କୁ ନେଇ ଗଠନ ହେବାକୁ ଥିବା ଏହି କମିଟି ତୁରନ୍ତ ୟୁକ୍ରେନ୍ରେ ସଂଘର୍ଷର ଅବସାନ ଘଟାଇବା ସହ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏବଂ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହିତ ସିଧାସଳଖ ଆଲୋଚନା ଆରମ୍ଭ କରିବ।
ସୂଚନାଯୋଗ୍ୟ, ନିରାପତ୍ତା ପରିଷଦ୍ରେ ରୁଷ୍ର ଭିଟୋ ପ୍ରୟୋଗ କ୍ଷମତା ଥିବାରୁ ‘ଜାତିସଂଘ ନିରାପତ୍ତା ପରିଷଦ୍’ ଏବଂ ଆନ୍ତର୍ଜାତିକ ସମ୍ପ୍ରଦାୟ ୟୁକ୍ରେନ୍ ଆକ୍ରମଣର ଅବସାନ ଘଟାଇବା ନିମନ୍ତେ ଉପାୟ ପାଉ ନାହାନ୍ତି।
Follow Us