ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ପରେ ଅଶୋଧିତ ତୈଳର ଦାମ୍ ୮ ବର୍ଷରେ ସର୍ବାଧିକ ସ୍ତରରେ ପହଞ୍ଚିଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ଦାମ୍ ୧୦୩ ଡଲାର୍ ପ୍ରତି ବ୍ୟାରେଲ୍ ପହଞ୍ଚିଯାଇଛି। ଏହାପୂର୍ବରୁ ୨୦୧୪ରେ ବ୍ୟାରେଲ୍ ପିଛା ଅଶୋଧିତ ତୈଳର ଦାମ୍ ୧୦୦ ଡଲାର୍ ପାର ହୋଇଯାଇଥିଲା। ଏହା ବ୍ୟତୀତ ପ୍ରାକୃତିକ ଗ୍ୟାସର ଦାମ୍ ମଧ୍ୟ ବଢିବାରେ ଲାଗିଛି। ତେଣୁ ଆଗାମୀ ଦିନରେ ଏଲପିଜି ଓ ସିଏନଜି ଗ୍ୟାସର ଦାମ୍ ମଧ୍ୟ ୧୦ରୁ ୧୫ ଟଙ୍କା ବଢିପାରେ।
ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଜନତାଙ୍କୁ ପେଟ୍ରୋଲ୍, ଡିଜେଲ୍ ପାଇଁ ଅଧିକ ଅର୍ଥ ଦେବାକୁ ପଡିପାରେ। ବିଧାନସଭା ନିର୍ବାଚନର ଫଳାଫଳ ୧୦ ମାର୍ଚ୍ଚରେ ଆସିବାକୁ ଅଛି। ଏହାପରେ ପେଟ୍ରୋଲ୍, ଡିଜେଲର ଦାମ୍ ବଢିପାରେ। କାରଣ ଆଗରୁ ଦେଖାଯାଇଛି ଯେ ନିର୍ବାଚନ ସମୟରେ ପେଟ୍ରୋଲ୍, ଡିଜେଲର ଦାମ୍ ବଢାଯାଇ ନାହିଁ।
ମିଡିଆ ରିପୋର୍ଟ ଅନୁସାରେ ଋଷିଆ ପୃଥିବୀରେ ସବୁଠାରୁ ଅଧିକ ତେଲ ଉତ୍ପାଦନ କରିଥାଏ। ଯୁଦ୍ଧ ସ୍ଥିତିରେ ଯୋଗାଣ ବାଧାପ୍ରାପ୍ତ ହେଉଛି ତେଣୁ ଅଶୋଧିତ ତୈଳର ମୂଲ୍ୟ ଆକାଶଛୁଆଁ ହୋଇଛି।
ଅନ୍ତର୍ଜାତୀୟ ସ୍ତରରେ ବ୍ୟାରେଲ୍ ପିଛା ତେଲ ଦର ୧୦୦ ଡଲାର୍ ପାର ହେବା ସତ୍ତ୍ବେ ଭାରତରେ ୨୦୨୧ ନଭେମ୍ବର ୩ରୁ ତୈଳ ଦର ବଢି ନାହିଁ। ତେବେ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲ ଦର ପ୍ରତି ବ୍ୟାରେଲ୍ ୨୦ ଡଲାରରୁ ଅଧିକ ମହଙ୍ଗା ହୋଇଛି। ଆଗକୁ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲ ଦର ବଢିବାର ଅନେକ ସମ୍ଭାବନା ଅଛି। ଆଗାମୀ ଦିନରେ ତୈଳ ଦରରେ ୧୫ରୁ ୨୦ ଡଲାର ପର୍ଯ୍ୟନ୍ତ ବଢିପାରେ। ନଭେମ୍ବର ୩ରେ ତୈଳ ଦର ବ୍ୟାରେଲ୍ ପିଛା ୮୦ ଟଙ୍କା ଥିଲା। ଗତ ଅଢେଇ ମାସରେ ତେଲ ଦରରେ ୨୭ ପ୍ରତିଶତ ବୃଦ୍ଧି ଘଟିଛି। ସେତେବେଳ ଠାରୁ ଆଜି ପର୍ଯ୍ୟନ୍ତ ଭାରତରେ ତୈଳ ଦରରେ ବୃଦ୍ଧି ହୋଇ ନାହିଁ। ଏହି କାରଣକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ତୈଳ ଦର ବଢିବାର ଅନେକ ସମ୍ଭାବନା ଅଛି ।
Follow Us