ରୁଷ-ୟୁକ୍ରେନ୍‌ ଯୁଦ୍ଧ; ଖେଳିବା ବୟସରେ ଦେଶକୁ ସୁରକ୍ଷା ଦେଉଛନ୍ତି ୟୁକ୍ରେନ୍‌ର କୁନି ପିଲା

Advertisment
ରୁଷ-ୟୁକ୍ରେନ୍‌ ଯୁଦ୍ଧ;  ଖେଳିବା ବୟସରେ ଦେଶକୁ ସୁରକ୍ଷା ଦେଉଛନ୍ତି ୟୁକ୍ରେନ୍‌ର କୁନି ପିଲା

www.aajtak.in

କିବ୍‌: ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ୟା ମଧ୍ୟରେ ୪୦ ଦିନରୁ ଊର୍ଧ୍ବ ହୋଇଗଲାଣି। ଏହି ଦୁଇ ଦେଶ ମଧ୍ୟରେ କଳହ ଲାଗି ରହିଥିବା ବେଳେ ଅଧିକାଂଶ ସମୟ‌ରେ ଚକିତ କରିବା ପରି ନୂଆ ନୂଆ ଘଟଣା ସବୁ ଦେଖିବାକୁ ମିଳୁଛି। ରୁଷର ଆକ୍ରମଣରେ ୟୁକ୍ରେନ୍‌ର ଅନେକ ସହର ଧ୍ବଂସ ପାଇଛି। ଏବେ ସୁଦ୍ଧା ୧ କୋଟି ୧୦ ଲକ୍ଷରୁ ଅଧିକ ୟୁକ୍ରେନବାସୀ ନିଜ ଘରୁ ବେଘର ହୋଇ ଯାଇଛନ୍ତି।

ଏପରିସ୍ଥିତିରେ ଡରି ନଯାଇ ରୁଷ ବିରୋଧରେ ଅଣ୍ଟା ଭିଡିଛନ୍ତି ୟୁକ୍ରେନ୍‌ବାସୀ। କେବଳ ୟୁକ୍ରେନ୍‌ର ସୈନିକ ନୁହଁନ୍ତି ମହିଳାରୁ ନେଇ ଶିଶୁ ପର୍ଯ୍ୟନ୍ତ ରୁଷ ବିରୋଧରେ ଅଣ୍ଟା ଭିଡ଼ିଥିବା ଅନେକଙ୍କୁ ଏବେ ଦେଖିବାକୁ ମିଳୁଛି। ଶତ୍ରୁ ଦେଶ ସହ ଲଢ଼ିବା ପାଇଁ ଏବେ ୟୁକ୍ରେନ୍‌ର ପିଲାମାନଙ୍କୁ ବି ଯୁଦ୍ଧ ଶିକ୍ଷା ଦିଆଯାଉଛି।

ପିଲାମାନଙ୍କର କିଛି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଫଟୋରେ ଦେଖିବାକୁ ମିଳିଛି ଅଳ୍ପ ବୟସର ପିଲାମାନେ ନିଜର ଏକ ଚେକ୍‌ପୋଷ୍ଟ୍‌ ବନେଇ ପୂରା ବୃତ୍ତିଗତ ଶୈଳୀରେ ପ୍ରୋଟୋକଲ୍‌କୁ ବ୍ୟବହାର କରୁଥିବାର ନଜର ଆସିଛନ୍ତି। ସେମାନଙ୍କୁ ସେଠାରେ କାମ କରିବାକୁ ସିଭିଲ୍‌ ପ୍ରତିରକ୍ଷା ବିଭାଗ ଓ ସାଧାରଣ ନାଗରିକ ଉଭୟ ଅନୁମତି ଦେଉଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ ଆଜିଠାରୁ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଛି। କିବ୍‌ ଏବଂ ଚେର୍ନିହିବରୁ ସୈନ୍ୟ ପ୍ରତ୍ୟାହାର ପରେ ରୁଷ୍‌ ଏବେ ପୂର୍ବ ୟୁକ୍ରେନ୍‌ ଉପରେ ଫୋକସ୍‌ କରିଛି। ଏଠାରେ ୫୦ରୁ ଅଧିକ ସ୍ଥାନରେ ଏକ ସମୟରେ ଆକ୍ରମଣ ଆରମ୍ଭ ହେବାରୁ ଆଜି ଏନେଇ ୟୁକ୍ରେନ୍‌ ଉପପ୍ରଧାନମନ୍ତ୍ରୀ ଲୋକଙ୍କୁ ସତର୍କ କରିଛନ୍ତି। ଉପପ୍ରଧାନମନ୍ତ୍ରୀ ଇରିନା ଭେରେସ୍ତୁକ କହିଛନ୍ତି, ଜନସାଧାରଣ ଯଥାଶୀଘ୍ର ନିଜ ନିଜ ଅଂଚଳ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଯିବା ଆବଶ୍ୟକ। ଯଦି ଲୋକମାନେ ପୂର୍ବ ୟୁକ୍ରେନ୍‌ ନ ଛାଡ଼ନ୍ତି ତେବେ ସେମାନଙ୍କୁ ଆଗକୁ ଗୁଳିଗୋଳାର ଶିକାର ହେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe