Image Courtesy of GEORIVISTA
କ୍ରେମ୍ଲିନ୍: କୋଭିଡ୍-୧୯ ସମେତ ଅନ୍ୟାନ୍ୟ ଭୂତାଣୁ ଏବଂ ବ୍ୟାକ୍ଟେରିଆ, ବିଷାକ୍ତକଣିକା ଭଳି ବାୟୁବାହିତ ଅଣୁଜୀବ ଠାବ ଓ ବିଶ୍ଳେଷଣ କରିବାକୁ ରୁଷ୍ ଏକ ମେସିନ୍ ବାହାର କରିଛି। ନିମିଷକ ମଧ୍ୟରେ ଏହା ସମ୍ଭାବ୍ୟ ବିପଦ ବିଷୟରେ ସତର୍କସୂଚନା ଦେବା ସହ ତାହାର ନିର୍ଦ୍ଦିଷ୍ଟ୍ ଉତ୍ସ ଦର୍ଶାଇ ପାରିବ ବୋଲି ରୁଷୀୟ ରାଷ୍ଟ୍ରାୟତ ଗଣମାଧ୍ୟମ ‘ଆର୍ଟି’ କହିଛି।
‘ଡିଟେକ୍ଟର୍ ବାୟୋ’ ନାମକ ଏହି ଉପକରଣ ଶୁକ୍ରବାର ଦିନ ମସ୍କୋ ନିକଟରେ ଆୟୋଜିତ ‘ଆର୍ମି ୨୦୨୦’ ସାମରିକ-ଶିଳ୍ପ ମଞ୍ଚରେ ‘କେଏମ୍ଜେଡ୍’ କାରଖାନା ଦ୍ବାରା ପ୍ରଦର୍ଶୀତ ହୋଇଥିଲା। ଏହାକୁ ବିକଶିତ କରିଥିବା ଟିମ୍ରେ ‘ଗାମାଲେୟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି’ ମଧ୍ୟ ସମ୍ପୃକ୍ତ।
‘ଡିଟେକ୍ଟର୍ ବାୟୋ’ ଦେଖିବାକୁ ରେଫ୍ରିଜେରେଟର୍ ଭଳି। କେକ୍ ସ୍ତର ପରି ହୋଇଥିବା ଏହି ମେସିନ୍ରେ ଗୁଡ଼ାଏ ଛୋଟ ଛୋଟ ପରୀକ୍ଷାଗାର ଅଛି। ପ୍ରତ୍ୟେକ ପରୀକ୍ଷାଗାର ଭିନ୍ନ ଭିନ୍ନ ପରୀକ୍ଷା କରନ୍ତି।
Image Courtesy of India Todayସ୍ତର ସ୍ତର ହୋଇଥିବା ଏହି ଟିକି ପରୀକ୍ଷାଗାର ଯୋଗୁଁ ପାଖରେ ପ୍ରବାହିତ ପବନରେ ଥିବା କରୋନାଭାଇରସ୍ କିଂବା ଅନ୍ୟ କୌଣସି ବାୟୁବାହିତ ଅଣୁଜୀବ ଚିହ୍ନଟ କରିହୁଏ। ଏହି ସବୁ ପରୀକ୍ଷାଗାର ଦେଇ ପବନ ଦୁଇ ଥର ବିଶ୍ଳେଷଣ ହୋଇ ଯିବା ପରେ ସ୍ପଷ୍ଟ ଫଳାଫଳ ମିଳିଯାଏ ବୋଲି ଏହାର ନିର୍ମାତା କହିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଏହି ମେସିନ୍ ଚତୁଃପାର୍ଶ୍ବ ପବନର ନମୁନା ସଂଗ୍ରହ କରି ୧୦ରୁ ୧୫ ସେକେଣ୍ଡ୍ ମଧ୍ୟରେ ଭୂତାଣୁ, ଅଣୁଜୀବ କିଂବା ବିଷାକ୍ତକଣିକା ପାଇଲେ ସତର୍କ ସୂଚନା ଜାରିକରେ। କିନ୍ତୁ, ଏହି ପର୍ଯ୍ୟାୟରେ ଚିହ୍ନଟ ଅଣୁଜୀବର ପରିଚୟ ମିଳି ନ ଥାଏ। ଏହାପରେ ମେସିନ୍ ବାୟୁ ନମୁନାକୁ ଦ୍ବିତୀୟ ବାର ପରୀକ୍ଷା କରି ଅଣୁଜୀବର ପରିଚୟ ସୁନିଶ୍ଚିତ କରେ। କିନ୍ତୁ, ଏଥିପାଇଁ ଏକ ଘଣ୍ଟାରୁ ଦୁଇ ଘଣ୍ଟା ସମୟ ଲାଗିଥାଏ।
ଏହା ମୁଖ୍ୟତଃ, ମେଟ୍ରୋ, ରେଳଷ୍ଟେସନ ଏବଂ ବିମାନ ବନ୍ଦର ଭଳି ସର୍ବସାଧାରଣ ସ୍ଥାନ ପାଇଁ ଉପଯୁକ୍ତ।
Follow Us