Ukrinform
କିବ୍: ୟୁକ୍ରେନ୍ର ସେବ୍ରୋଦନେସ୍କ ସହରରେ ରୁଷ୍ର ବିମାନ ଆକ୍ରମଣ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ରୁଷ୍-ୟୁକ୍ରେନ୍ ଯୁଦ୍ଧର ୧୪ ଦିନରେ ୟୁକ୍ରେନ୍ର ପ୍ରମୁଖ ସହରମାନଙ୍କରେ ଆଜି ବୋମାମାଡ଼ ସାଙ୍ଗକୁ ଗୁଳିଗୋଳା ବର୍ଷା ହୋଇଛି। ରୁଷ୍ ଏବେ ୯ଟି ସହରରେ ଆକ୍ରମଣ ବଢ଼ାଇ ଚାଲିଛି। ରୁଷ୍ ଆକ୍ରମଣରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମୃତାହତଙ୍କୁ ନେଇ ସ୍ପଷ୍ଟ ଚିତ୍ର ଜଣାପଡ଼ିନି। ଜାତିସଂଘ ମାନବାଧିକାର ତଥ୍ୟ ଅନୁଯାୟୀ ରୁଷ୍ ଆକ୍ରମଣ ଯୋଗୁଁ ପ୍ରାୟ ୬୦୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୮୬୧ ଜଣ ଆହତ ହୋଇଛନ୍ତି। ୨୧ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ି ପଳାଇଛନ୍ତି।
ଅନ୍ୟପକ୍ଷେ କିବ୍ରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। କିବ୍ ସହରତଳି ଅଂଚଳରେ ୧୮ ହଜାର ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ବୋଲି ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି କହିଛନ୍ତି। ୟୁକ୍ରେନରେ ଅଧିକରୁ ଅଧିକ ମାନବୀୟ କରିଡର ଖୋଲିବାଦ୍ବାରା ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ମାତ୍ର ୨ ସପ୍ତାହ ପୂର୍ବେ କିବ୍ର ସବୁକିଛି ଠିକ୍ ଥିଲା। କିନ୍ତୁ ରୁଷ୍ର ଆକ୍ରମଣ ସବୁକିଛି ବଦଳାଇଦେଲା। ବହୁ ସଂଖ୍ୟାରେ ନାଗରିକ ଏବେ ସ୍ବେଚ୍ଛାକୃତ ସୈନିକ ପାଲଟିଛନ୍ତି। ଜୀବନ ବଞ୍ଚାଇବାପାଇଁ ଏବଂ ସହରକୁ ସୁରକ୍ଷା ଦେବାପାଇଁ ସେମାନେ ଲଢ଼ୁଛନ୍ତି। କିବ୍ର ଲୋକମାନେ ସହରକୁ ସୁରକ୍ଷା ଦେବାପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରାୟ ୪୦,୦୦୦ ଭଲ୍ୟୁଣ୍ଟିୟର ଟେରିଟୋରିଆଲ୍ ଡିଫେନ୍ସ ଫୋର୍ସରେ ଯୋଗ ଦେଇଛନ୍ତି। କିବ୍ରେ ୧୮ ହଜାର ଯୁବକ ସପ୍ତାହକ ମଧ୍ୟରେ ଅସ୍ତ୍ର ଧରିଛନ୍ତି।
Follow Us