ମହାକାଶରେ ପ୍ରଥମ ଚଳଚ୍ଚିତ୍ର ସୁଟିଙ୍ଗ୍‌ ଶେଷ କରି ପୃଥିବୀକୁ ଫେରିଲେ ରୁଷୀୟ ଟିମ୍‌

Advertisment
ମହାକାଶରେ ପ୍ରଥମ ଚଳଚ୍ଚିତ୍ର ସୁଟିଙ୍ଗ୍‌ ଶେଷ କରି ପୃଥିବୀକୁ ଫେରିଲେ ରୁଷୀୟ ଟିମ୍‌

Image Courtesy of NDTV

ମସ୍କୋ: ପ୍ରଥମ ଥର ପାଇଁ ମହାକାଶରେ ଏକ ଚଳଚ୍ଚିତ୍ରର କେତୋଟି ଦୃଶ୍ୟାବଳୀ ସୁଟିଙ୍ଗ୍‌ ଶେଷ କରି ଥିବା ଜଣେ ରୁଷୀୟ ଅଭିନେତ୍ରୀ ଏବଂ ନିର୍ଦେଶକ ଗତରାତି ୧୨.୩୫ରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଯଦି ଏହି ପ୍ରକଳ୍ପ ଅଗ୍ରଗତି କରେ, ତେବେ ଏହି ରୁଷୀୟ ଚଳଚ୍ଚିତ୍ର ଟିମ୍‌ ଗତବର୍ଷ ହଲିଉଡ୍‌ ଘୋଷଣା କରିଥିବା ପ୍ରକଳ୍ପକୁ ପ୍ରତିହତ କରିବ। ‘ମିସନ୍‌ ଇମ୍ପସିବଲ୍‌’ର ଅଭିନେତା ଟମ୍‌ କ୍ରୁଜ୍‌, ‘ନାସା’ ଏବଂ ‘ଏଲନ୍‌ ମସ୍କ୍‌’ର ‘ସ୍ପେସ୍‌ଏକ୍ସ’କୁ ନେଇ ଚଳଚ୍ଚିତ୍ର ସୁଟିଙ୍ଗ୍‌ କରାଯିବ ବୋଲି ଗତବର୍ଷ ହଲିଉଡ୍‌ ଘୋଷଣା କରିଥିଲା।

‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର କେତୋଟି ଦୃଶ୍ୟାବଳୀର ଚିତ୍ରତ୍ତୋଳନ ନିମନ୍ତେ ଏ ମାସ ପ୍ରାରମ୍ଭରେ ପୂର୍ବତନ ସୋଭିଏତ୍‌ ଦେଶର କାଜାଖସ୍ତାନରେ ଥିବା ‘ବୈକୋନୁର୍‌ କସ୍ମୋଡ୍ରୋମ୍‌’ରୁ ୩୭ ବର୍ଷୀୟ ଅଭିନେତ୍ରୀ ୟୁଲିୟା ପେରେସିଲ୍‌ଡ୍‌ ଏବଂ ୩୮ ବର୍ଷିୟ ନିର୍ଦେଶକ କ୍ଲିମ୍‌ ସିପେଙ୍କୋ ରକେଟ୍‌ ଯୋଗେ ଶୂନ୍ୟରେ ଥାଇ ପୃଥିବୀ ପରିକ୍ରମା କରୁଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାଇଥିଲେ।

publive-image Image Courtesy of India Today

ଏହି ଚଳଚ୍ଚିତ୍ରର କଥାବସ୍ତୁ ଏବଂ ବ୍ୟୟ ଅଟକଳ ଗୁପ୍ତ ରଖାଯାଇଥିଲେ ମଧ୍ୟ କୁହାଯାଉଛି ଯେ, ଜଣେ ମହାକାଶଚାରୀଙ୍କୁ ରକ୍ଷା କରିବା ଲାଗି ଜଣେ ଶଲ୍ୟ ଚିକିତ୍ସିକାଙ୍କୁ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ପଠାଯିବା ଘଟଣାକୁ କେନ୍ଦ୍ର କରି ଏହି ଚଳଚ୍ଚିତ୍ରର କଳ୍ପନା କରାଯାଇଛି। ସେମାନେ ଏଥିପାଇଁ ମହାକାଶରେ ୧୨ ଦିନ ବିତାଇଛନ୍ତି।

ପୂର୍ବରୁ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ରେ ଥିବା ୪୯ ବର୍ଷିୟ ସ୍କାପ୍ଲେରୋଭ୍‌ ଏବଂ ଅନ୍ୟ ଦୁଇଜଣ ରୁଷୀୟ ମହାକାଶଚାରୀ ଏହି ଚଳଚ୍ଚିତ୍ରରେ ଛୋଟକାଟର ଭୂମିକାରେ ଅଭିନୟ କରିଛନ୍ତି।

ଏହି ଅଭିଯାନରେ କେତେକ ବାଧାବିଘ୍ନ ମଧ୍ୟ ଘଟିଥିଲା। ଚଳଚ୍ଚିତ୍ର ସୁଟିଙ୍ଗ୍‌ ‘କ୍ରୁ’ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ରେ ପହଞ୍ଚିବା ପରେ ସ୍କାପ୍ଲେରୋଭ୍‌ଙ୍କୁ ମାନୁଆଲ୍‌ କଣ୍ଟ୍ରୋଲ୍‌ ଅନ୍‌ କରି କାମ କରିବାକୁ ପଡ଼ିଥିଲା। ସେହିପରି ଚଳଚ୍ଚିତ୍ର ସୁଟିଙ୍ଗ୍‌ ‘କ୍ରୁ’ମାନଙ୍କ ପୃଥିବୀକୁ ଫେରାଇ ଆଣିବା ଲାଗି ଶୁକ୍ରବାର ଦିନ ରୁଷୀୟ ‘ଫ୍ଲାଇଟ୍‌ କଣ୍ଟ୍ରୋଲର୍‌’ମାନେ ମହାକାଶଯାନ ‘ସୋୟୁଜ୍‌ ଏମ୍‌ଏସ୍‌-୧୮’କୁ ପରୀକ୍ଷା କରିବା ବେଳେ ଅପ୍ରତ୍ୟାଶିତ ଭାବେ ତାହାର ‘ଥ୍ରଷ୍ଟର୍‌’ ଫାୟାର୍‌ ହୋଇ ୩୦ ମିନିଟ୍‌ ପାଇଁ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ପ୍ରାୟ ୩୦ ମିନିଟ୍‌ ପାଇଁ ସ୍ଥାନଚ୍ୟୁତ କରି ପକାଇଥିଲା ବୋଲି ‘ନାସା’ର ମୁଖପାତ୍ର ରୁଷୀୟ ସମ୍ବାଦ ଏଜେନ୍‌ସି ‘ଟାସ୍‌’କୁ କହିଥିଲେ।

କିନ୍ତୁ, ଶନିବାର ସନ୍ଧ୍ୟାରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ମେଲାଣି ନେଇଥିବା ପେରେସିଲ୍‌ଡ୍‌ ଓ ସିପେଙ୍କୋ ନିର୍ଦ୍ଧାରିତ ସମୟ ଅନୁସାରେ ପୃଥିବୀକୁ ଫେରିଆସିବେ ବୋଲି ମୁଖପାତ୍ରଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe