ଆକାଶପଥରେ ମୁହାଁମୁହିଁ ହେଲେ ଆମେରିକା ଓ ଋଷିଆ ବିମାନ: ଏ ପ୍ରକାର ଆଚରଣରୁ ବିରତ ରହିବାକୁ ଆମେରିକାର ଚେତାବନୀ

Advertisment
ଆକାଶପଥରେ ମୁହାଁମୁହିଁ ହେଲେ ଆମେରିକା ଓ ଋଷିଆ ବିମାନ: ଏ ପ୍ରକାର ଆଚରଣରୁ ବିରତ ରହିବାକୁ ଆମେରିକାର ଚେତାବନୀ

Fox News

ନୂଆଦିଲ୍ଲୀ: ଏକ ଆମେରିକୀୟ ଗୁଇନ୍ଦା ବିମାନକୁ ଏକ ଋଷୀୟ ଯୁଦ୍ଧ ବିମାନ ଗତ ସୋମବାର ଦିନ କୃଷ୍ଣସାଗର ଉପରେ ଅଟକାଇବା ସହ ତା’ର ଗତିରୋଧ କରିବା ଘଟଣାକୁ କେନ୍ଦ୍ର କରି ଏବେ ଉଭୟ ଆମେରିକା ଓ ଋଷିଆ ମୁହାଁମୁହିଁ ହୋଇଛନ୍ତି। ଆମେରିକା ଆଜି ଏହି ଘଟଣାର ତୀବ୍ର ପ୍ରତିବାଦ କରିବା ସହ ଋଷିଆକୁ ନିଜ ସୀମା ମଧ୍ୟରେ ରହିବା ସହ ଏ ପ୍ରକାରର ବିପଦପୂର୍ଣ୍ଣ ଆଚରଣ ବନ୍ଦକରି ଆନ୍ତର୍ଜାତିକ ନୀତି ନିୟମ ମଧ୍ୟରେ ରହିବାକୁ ଚେତାବନୀ ଦେଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଆମେରିକାର ୟୁଏସ୍‌ ଇପି-୩ ଏରିସ୍‌ ନାମକ ଏକ ଗୁଇନ୍ଦା ବିମାନ ଏକ ମିଶନ୍‌ରେ ଗତ ସୋମବାର ଦିନ କୃଷ୍ଣ ସାଗର ଉପରେ ଉଡ଼ାଣ କରୁଥିବା ସମୟରେ ଋଷିଆର ଏକ ଫାଇଟର୍‌ ଜେଟ୍‌ ଏସ୍‌ୟୁ-୨୭ ତାହାର ଗତିରୋଧ କରିଥିଲା। ଏପରିକି ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ଅତ୍ୟନ୍ତ ବିପଦଜନକ ଭାବେ ଋଷିଆର ଫାଇଟର୍‌ ଜେଟ୍‌ଟି ଆମେରିକାର ଗୁଇନ୍ଦା ବିମାନଟିର ଅତି ନିକଟକୁ ଅର୍ଥାତ୍‌ ୫ଫୁଟ (୧.୫ ମିଟର) ମଧ୍ୟକୁ ଚାଲିଆସିବା ସହ ତା’କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ଏହିପରି ଭାବେ ମାତ୍ର ୫ ଫୁଟ୍‌ର ବ୍ୟବଧାନ ମଧ୍ୟରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଉଭୟ ବିମାନ ଦୀର୍ଘ ୨ ଘଣ୍ଟା ୪୦ ମିନିଟ ଧରି କୃଷ୍ଣ ସାଗର ଉପରେ ଉଡ଼ାଣ କରିଥିଲେ।

publive-image YouTube

ଆମେରିକୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ ଋଷିଆର ଏକ ଫାଇଟର୍‌ ଜେଟ୍‌ ଏସ୍‌ୟୁ-୨୭ ଯେପରି ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଆମେରିକୀୟ ବିମାନର ପଥ ଅବରୋଧ କଲା, ତାହା ସମସ୍ତ ଅନ୍ତର୍ଜାତିକ ନୀତି ନିୟମ ବିରୋଧୀ। କାରଣ, ଋଷିଆର ଏକ ଫାଇଟର୍‌ ଜେଟ୍‌ ଏସ୍‌ୟୁ-୨୭ଟି ଆକାଶପଥରେ ଆମେରିକୀୟ ବିମାନଟିର ଏତେ ନିକଟକୁ ଆସି ଯାଇଥିଲା ଯେ ଯେକୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିପାରି ଥାଆନ୍ତା! ଋଷିଆର ବିମାନ ଅନ୍ତର୍ଜାତୀୟ ଆକାଶପଥରେ ଉଡ଼ିବାରେ କୌଣସି ଅସୁବିଧା କିମ୍ବା ପ୍ରତିବନ୍ଧକ ନାହିଁ; ହେଲେ ଏଥିପାଇଁ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଅନ୍ତର୍ଜାତୀୟ ନୀତି ନିୟମକୁ ପାଳନ କରିବାର ଆବଶ୍ୟକତା ରହିଛି ବୋଲି କହିଛି ଆମେରିକାର ପ୍ରତିରକ୍ଷା ବିଭାଗ।

ଅନ୍ୟ ପକ୍ଷରେ ଋଷିଆର ପ୍ରତିରକ୍ଷା ବିଭାଗ ପକ୍ଷରୁ ଆମେରିକାର ଏ ପ୍ରକାରର ଅଭିଯୋଗକୁ ଖଣ୍ଡନ କରାଯାଇ କୁହାଯାଇଛି ଯେ ଋଷିଆର ଆକାଶ ସୀମା ନିକଟରେ କୃଷ୍ଣ ସାଗର ଉପରେ କିଛି ଅଜ୍ଞାତ ବସ୍ତୁ ସନ୍ଦେହଜନକ ଅବସ୍ଥାରେ ଉଡ଼ୁଥିବା ସଂପର୍କରେ ରାଡାର୍‌ ସୂଚନା ମିଳିବା ପରେ ଏସଂପର୍କରେ ଋଷିଆର ନୌସେନା ପକ୍ଷରୁ ବାୟୁସେନାକୁ ସତର୍କ ସୂଚନା ଦିଆ ଯାଇଥିଲା। ସୂଚନା ମିଳିବା ପରେ ଋଷିଆ ବାୟୁସେନାର ଫାଇଟର୍‌ ଜେଟ୍‌ ଏସ୍‌ୟୁ-୨୭ ବିମାନ ଘଟଣାସ୍ଥଳକୁ ଉଡ଼ାଣ ଭରିବା ସହ ଋଷିଆର ଆକାଶ ସୀମାର ଅତି ନିକଟରେ ସନ୍ଦେହଜନକ ଅବସ୍ଥାରେ ଉଡ଼ୁଥିବା ଅଜ୍ଞାତ ବସ୍ତୁଟି ଆମେରିକାର ୟୁଏସ୍‌ ଇପି- ୩ଇ ଏରିସ୍‌ । ବିମାନ ଥିବା ଦେଖିବାକୁ ପାଇଥିଲା; ଯାହାକି ଏକ ବୈଦ୍ୟୁତିକ ଯୁଦ୍ଧାସ୍ତ୍ର!

ତେବେ, ଋଷିଆର ଫାଇଟର୍‌ ଜେଟ୍‌ ଏସ୍‌ୟୁ-୨୭କୁ ନିକଟରେ ଦେଖିବା ପରେ ଆମେରିକୀୟ ବିମାନଟି ତା’ର ଗତିପଥ ପରିବର୍ତ୍ତନ କରି ଫେରିଯିବା ପରେ ଫାଇଟର୍‌ ଜେଟ୍‌ ଏସ୍‌ୟୁ-୨୭ଟି ଘଟଣାସ୍ଥଳରୁ ଫେରିଆସିଥିଲା। ତେବେ, ଏହି ଘଟଣାରେ କୌଣସି ପ୍ରକାରର ଅନ୍ତର୍ଜାତୀୟ ନୀତି ନିୟମର ଉଲ୍ଲଂଘନ ଋଷିଆ ବାୟୁସେନା ପକ୍ଷରୁ କରାଯାଇ ନାହିଁ ବୋଲି ପ୍ରତିରକ୍ଷା ବିଭାଗର ସୂଚନାକୁ ଆଧାର କରି କହିଛି ଋଷିଆର ସମ୍ବାଦ ସରବରାହ ସଂସ୍ଥା ତାସ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe