Image Courtesy of NDTV
ୱାର୍ସ: ମଙ୍ଗଳବାର ଦିନ ପୋଲାଣ୍ଡ୍ରେ ରୁଷ୍ ନିର୍ମିତ କ୍ଷେପଣାସ୍ତ୍ର ପଡ଼ି ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବାରୁ ପୋଲାଣ୍ଡ୍ ତା’ର ସେନାବାହିନୀକୁ ସଜାଗ ରହିବାକୁ ନିର୍ଦେଶ ଦେଇଛି।
ୱାର୍ସ କହିଛି, ରୁଷ୍ ନିକ୍ଷେପ କରିଥିବା ଗୋଟାଏ କ୍ଷେପଣାସ୍ତ୍ର ପୋଲାଣ୍ଡ୍ର ପୂର୍ବ ପ୍ରାନ୍ତ ଅନ୍ତର୍ଗତ ପ୍ରେଓଡ୍ ଗ୍ରାମରେ ପଡ଼ିବା ଯୋଗୁଁ ବିସ୍ଫୋରଣ ଘଟି ୨ଜଣ ପ୍ରାଣ ହରାଇଛନ୍ତି। ୟୁକ୍ରେନ୍ ସୀମାନ୍ତଠାରୁ ୧୫ କିଲୋମିଟର୍ ଦୂର ପୋଲାଣ୍ଡ୍ରେ ଏହି ରୁଷୀୟ କ୍ଷେପଣାସ୍ତ୍ରଟି ପଡ଼ିଛି। ୟୁକ୍ରେନ୍ ଆକ୍ରମଣ ପରଠାରୁ କୌଣସି ‘ନାଟୋ’ ସଦସ୍ୟ ରାଷ୍ଟ୍ର ଉପରେ ରୁଷୀୟ କ୍ଷେପଣସ୍ତ୍ର ପଡ଼ିବାରେ ଏହା ହେଉଛି ପ୍ରଥମ ଘଟଣା।
ପୋଲାଣ୍ଡ୍ର ପ୍ରଧାନମନ୍ତ୍ରୀ ମାତେୟୁସ୍ ମୋରାୱିଏସ୍କି କହିଛନ୍ତି, ସରକାର ଉକ୍ତ ଘଟଣାର ତଦନ୍ତ କରିବା ସହିତ ସାମରିକ ପ୍ରସ୍ତୁତି ତ୍ବରାନ୍ବିତ କରାଇଛନ୍ତି। କିନ୍ତୁ, ରାଷ୍ଟ୍ରପତି ଅଣ୍ଡ୍ରି ଡୁଡ଼ା କହିଛନ୍ତି, ଏହି କ୍ଷେପଣାସ୍ତ୍ରଟି କିଏ ନିକ୍ଷେପ କରିଛି ଓ କେଉଁଠାରେ ନିର୍ମିତ ହୋଇଛି, ସେ ସଂକ୍ରାନ୍ତରେ ପୋଲାଣ୍ଡ୍ ସରକାରୀ ଅଧିକାରୀମାନେ ଜାଣି ନାହାନ୍ତି। ଯେତେଦୂର ମନେହୁଏ, ତାହା ରୁଷୀୟ ନିର୍ମିତ। କିନ୍ତୁ, ସେ ବିଷୟରେ ଏବେ ବି ଯାଞ୍ଚ ଚାଲିଛି।
Image Courtesy of Zee Newsଉକ୍ତ କ୍ଷେପଣାସ୍ତ୍ର ନିକ୍ଷେପକାରୀଙ୍କ ବିଷୟରେ ସୁନିଶ୍ଚିତ ହୋଇ ନ ଥିଲେ ସୁଦ୍ଧା, ସବିଶେଷ କୈଫିୟତ ଦେବା ପାଇଁ ୱାର୍ସ ମସ୍କୋ ରାଷ୍ଟ୍ରଦୂତଙ୍କୁ ଡକାଇଛି।
ୱାର୍ସର ମୁଖପାତ୍ର ପିଓଟର୍ ମୁଲର୍ ସାମ୍ବାଦିକମାନଙ୍କୁ କହିଛନ୍ତି, କେତେକ ‘କମ୍ବାଟ୍ ୟୁନିଟ୍’ ଏବଂ ଅନ୍ୟ ‘ୟୁନିଫର୍ମଡ୍ ସର୍ଭିସ୍’କୁ ସଜାଗ ରହିବା ପାଇଁ ନିର୍ଦେଶ ଦେବାକୁ ଜାତୀୟ ନିରାପତ୍ତା ପରିଷଦ୍ର ଜରୁରୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ହ୍ବାଇଟ୍ ହାଉସ୍ କହିଛି, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଫୋନ୍ ଯୋଗେ ପୋଲାଣ୍ଡ୍ର ରାଷ୍ଟ୍ରପତି ଅଣ୍ଡ୍ରି ଡୁଡ଼ାଙ୍କ ସହିତ କଥାବାର୍ତ୍ତା କରିବା ସହିତ କହିଛନ୍ତି, ପୋଲାଣ୍ଡ୍ର ତଦନ୍ତରେ ଆମେରିକା ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରିବ।
ଏହା ବ୍ୟତିରେକେ, ବାଇଡେନ୍ ପୋଲାଣ୍ଡ୍ ବିସ୍ଫୋରଣ ବିଷୟରେ ‘ନାଟୋ’ ମୁଖ୍ୟ ଜେନ୍ସ୍ ଷ୍ଟୋଲ୍ଟେନ୍ବର୍ଗଙ୍କୁ ଅବଗତ କରାଇଛନ୍ତି। ‘ନାଟୋ’ ସଦସ୍ୟ ରାଷ୍ଟ୍ରମାନେ ଆଜି ଏ ସଂକ୍ରାନ୍ତରେ ଜରୁରୀ ବୈଠକ ଡକାଇଛନ୍ତି।
Follow Us