ୟୁକ୍ରେନ ସ୍ବାଧୀନତା ଦିବସରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼, ୨୫ ସାଧାରଣ ନାଗରିକଙ୍କ ମୃତ୍ୟୁ

Advertisment
ୟୁକ୍ରେନ ସ୍ବାଧୀନତା ଦିବସରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼, ୨୫ ସାଧାରଣ ନାଗରିକଙ୍କ ମୃତ୍ୟୁ

The Guardian

କିବ୍‌ : ୟୁକ୍ରେନ ଗତକାଲି ସ୍ବାଧୀନତା ଦିବସ ପାଳନ କରିଥିଲା। ସ୍ବାଧୀନତା ଦିବସରେ ରୁଷ୍‌ ୟୁକ୍ରେନ୍‌ ରାଜଧାନୀ କିବ୍‌ରେ ଭୟଙ୍କର ଆକ୍ରମଣ କରିଛି। ପୂର୍ବ ୟୁକ୍ରେନ୍‌ର ସାଧାରଣ ଜନବସତି ଅଞ୍ଚଳ ଏବଂ ରେଳ ଷ୍ଟେସନ୍‌କୁ ଟାର୍ଗେଟ୍‌ କରି ରୁଷ୍‌ ଗତକାଲି ଘନ ଘନ ମିସାଇଲ ମାଡ଼ କରିଥିଲା। ଫଳରେ ୨୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ରୁଷ୍‌ ମିସାଇଲ ମାଡ଼ରେ ଗତକାଲି ଚାପଲିନ୍‌ରେ ଏକ ବହୁ ମହଲା ବିଶିଷ୍ଟ ଘର ଭୁଶୁଡ଼ି ପଡ଼ିଥିଲା। ଭଗ୍ନ ଘର ତଳେ ଅନେକ ଲୋକ ଫସି ରହିଥିଲେ। ଗତକାଲି ଠାରୁ ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଆଜି ଶେଷ ହୋଇଛି। କିବ୍‌ର ଉତ୍ତରରେ ଭିଶଗୋରୋଡ଼ ଅଞ୍ଚଳରେ ରୁଷ୍‌ ର‌କେଟ୍‌ ମାଡ଼ କରିଥିଲା। କିନ୍ତୁ ଏଠାରେ କେହି ମୃତାହତ ହୋଇନାହାନ୍ତି।

ତେବେ ସ୍ବାଧୀନତା ଦିବସରେ ରୁଷ୍‌ ବଡ଼ ଧରଣର ଆକ୍ରମଣ ‌ଯୋଜନା କରିଥିବା ନେଇ ଆମେରିକା ସତର୍କ କରିଥିଲା। ଅଗଷ୍ଟ ୨୪ ୟୁକ୍ରେନ୍‌ର ସ୍ବାଧୀନତା ଦିବସ। ଏହି ଦିନ ମଧ୍ୟ ୟୁକ୍ରେନ୍‌ରେ ରୁଷ୍‌ ଯୁଦ୍ଧକୁ ୬ ମାସ ପୂରିଛି। ତେଣୁ ଏହିଦିନ ରୁଷ୍ ୟୁକ୍ରେନରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରୁଛି ବୋଲି କୁହାଯାଇଥିଲା। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇନି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ସୋଇଗୁ ପୂର୍ବ ଦାବିକୁ ଦୋହରାଇ କହିଛନ୍ତି ‌ଯେ ୟୁ‌କ୍ରେନରେ ଏହା ସ୍ବତନ୍ତ୍ର ସାମରିକ ଅପରେସନ ଚଳାଇଛି। ତେବେ ଜନଗହଳିପୂର୍ଣ୍ଣ ୟୁ‌କ୍ରେନ ରେଳ ଷ୍ଟେସନ୍‌ରେ ରୁଷ୍‌ର ଆକ୍ରମଣକୁ ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ କଡ଼ା ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe