ୟୁକ୍ରେନ୍‌ ସୀମା‌ରେ ରୁଷ୍‌ର ଘନଘନ କ୍ଷେପଣାସ୍ତ୍ର ପରୀକ୍ଷା: ପୁଟିନ୍‌ଙ୍କ ପ୍ରତ୍ୟକ୍ଷ ତଦାରଖରେ ପରମାଣୁ ସମରାଭ୍ୟାସ

Advertisment
ରୁଷ୍‌ ଦଖଲରେ ଥିବା ଅଞ୍ଚଳରେ ୟୁକ୍ରେନ୍‌ର ଭୀଷଣ ଆକ୍ରମଣ

The Times of Israel

ମସ୍କୋ: ୟୁକ୍ରେନ୍‌ ସୀମାରେ ଆଜି ରୁଷ୍‌ର ରଣନୀତିକ ପରମାଣୁ ସମରାଭ୍ୟାସ ଏବଂ ଘନଘନ କ୍ଷେପଣାସ୍ତ୍ର ପରୀକ୍ଷା ଆଗକୁ ଏକ ବଡ଼ ଯୁଦ୍ଧର ସଙ୍କେତ ଦେଉଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତ୍ୟକ୍ଷ ତଦାରଖରେ ଆଜି ୟୁକ୍ରେନ୍‌ ସୀମାରେ ବାଲିଷ୍ଟିକ୍‌ ଏବଂ କ୍ରୁଜ୍‌ ‌ କ୍ଷେପଣାସ୍ତ୍ର ପରୀକ୍ଷା ହୋଇଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଉଭୟ ସ୍ଥଳ ଓ ଜଳଭାଗରେ ଲକ୍ଷ୍ୟଭେଦ କରିଥିବା ବେଳେ ୟୁକ୍ରେନ୍‌ ବାୟୁସୀମାରେ ରୁଷ୍‌ର ଯୁଦ୍ଧ ବିମାନଗୁଡ଼ିକର ଗର୍ଜନ ଆତଙ୍କ ସୃଷ୍ଟି କରିଛି। ୟୁକ୍ରେନ୍‌କୁ ଭୟଭୀତ କରି ପ୍ରବଳ ଚାପରେ ରଖିବାକୁ ରୁଷ୍‌ର ଏହି ରଣନୀତି ନାଟୋ ରାଷ୍ଟ୍ରମାନଙ୍କ ନିଦ ହଜାଇ ଦେଇଛି। କ୍ରେମଲିନର ‘ସିଚୁଏସନ ସେଣ୍ଟର’ରୁ ପୁଟିନ ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ ତଦାରଖ କରିଛନ୍ତି। ପୁଟିନଙ୍କ ଘନିଷ୍ଠ ସହଯୋଗୀ ତଥା ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକା‌ସେଙ୍କୋ‌ ମଧ୍ୟ ପୁଟିନଙ୍କ ସହ ନିୟନ୍ତ୍ରଣ କକ୍ଷରେ ଉପସ୍ଥିତ ଥିଲେ। ପରମାଣୁ ସମରାଭ୍ୟାସ କାର୍ଯ୍ୟକ୍ରମରେ ରୁଷ୍‌ ହାଇପରସୋନିକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର, କ୍ରୁଜ୍‌ କ୍ଷେପଣାସ୍ତ୍ର ଏବଂ ପରମାଣୁ ଶକ୍ତି ସମ୍ପନ୍ନ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଛାଡ଼ିଛି। ସମସ୍ତ କ୍ଷେପଣାସ୍ତ୍ର ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି ବୋଲି କ୍ରେମ୍‌ଲିନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। ସମରାଭ୍ୟାସରେ ଟିୟୁ-୯୫ ବମ୍ବର୍‌ ଏବଂ ବୁଡ଼ାଜାହାଜ ମଧ୍ୟ ସାମିଲ ଅଛି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ ରୁଷ୍‌ ଏରୋସ୍ପେସ୍‌ ଫୋର୍ସ‌୍ , ଦକ୍ଷିଣ ମିଲିଟାରି ଡିଷ୍ଟ୍ରିକ୍ଟ ୟୁନିଟ୍‌, ଷ୍ଟ୍ରାଟେଜିକ୍‌ ମିସାଇଲ୍‌ ଫୋର୍ସ୍‌, ନର୍ଦ୍ଦନ୍‌ ଏବଂ ବ୍ଲାକ୍‌ ସି ଫ୍ଲିଟ୍‌ ଏହ‌ି ସମରାଭ୍ୟାସରେ ସାମିଲ ଅଛନ୍ତି। ମିଲିଟାରି କମାଣ୍ଡ, କମ୍ବାଟ୍‌ ଲଞ୍ଚିଂ ୟୁନିଟ୍‌ , କମ୍ବାଟ୍‌ ସିପ୍‌, ଏବଂ ଷ୍ଟ୍ରାଟେଜିକ୍‌ ମିସାଇଲ୍‌ କ୍ୟାରିୟର୍‌ର ଶକ୍ତି ପରୀକ୍ଷା ପାଇଁ ଏହି ସମରାଭ୍ୟାସ କରାଯାଉଥିବା ମନ୍ତ୍ରାଳୟ ଦାବି କରିଛି।

ଅନ୍ୟପକ୍ଷେ ଉପଗ୍ରହ ଚିତ୍ରରୁ ଦେଖିବାକୁ ମିଳିଛି ଯେ, ୟୁକ୍ରେନ ସୀମା ନିକଟସ୍ଥ ଏକ ଏୟାରଫିଲ୍ଡରେ ରୁଷ୍‌ ଯୁଦ୍ଧ ଜାହାଜ ମୁତୟନ କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ଯେ ରୁଷ୍‌ ସେନା ଏବେ ସିଧାସଳଖ ଆକ୍ରମଣ କରିବା ସ୍ଥିତିରେ ଥିବାରୁ ପରିସ୍ଥିତି ଅତି ଜଟିଳ ହୋଇସାରିଛି। ୟୁକ୍ରେନ୍‌ରେ ରୁଷ୍‌ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ମଧ୍ୟ ଅନର୍ଥ ସୃଷ୍ଟି କରିଛନ୍ତି। ସେମାନଙ୍କ ଗୋଳା ମାଡ଼ରେ ଅନେକ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି ଏବଂ ୩ ଜଣ ୟୁକ୍ରେନ୍‌ ସୈନିକ ନିହତ ହୋଇଛନ୍ତି। ରୁଷ୍‌ ସେନା ଏବେ ୟୁକ୍ରେନ୍‌କୁ ତିନି ପଟୁ ଘେରି ରହିଛି।

କିବ୍‌ ଦଖଲ ପୁଟିନଙ୍କ ମୁଖ୍ୟ ଲକ୍ଷ୍ୟ: ବାଇଡେନ୍‌, ଯେ କୌଣସି ସ୍ଥିତିରେ ବି ଆକ୍ରମଣ କରିବ ରୁଷ୍‌
ୱାସିଂଟନ୍‌ ରୁଷ୍‌ ରା‌ଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି। ଯେ କୌଣସି ସ୍ଥିତିରେ ବି ସେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଜି ଦାବି କରିଛନ୍ତି। ଆମେରିକାରେ ଏକ ଗୁଇନ୍ଦା ରିପୋର୍ଟକୁ ଆଧାର କରି ବାଇଡେନ୍‌ ଏଭଳି ଦୃଢ଼ୋକ୍ତି ବାଢ଼ିଛନ୍ତି। ବାଇଡେନ୍‌ କହିଛନ୍ତି ପୁଟିନଙ୍କ ମୁଖ୍ୟ ଟାର୍ଗେଟ୍‌ ହେଉଛି ୟୁକ୍ରେନର ରାଜଧାନୀ କିବ୍‌। ୨.୮ ନିୟୁତ ଜନସଂଖ୍ୟା ବିଶିଷ୍ଟ କିବ୍‌କୁ ରୁଷ୍‌ ସଂପୂର୍ଣ୍ଣ ଦଖଲ କରିନେବାକୁ ଯୋଜନା କରିଛି ବୋଲି ବାଇଡେନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe