ନୂଆଦିଲ୍ଲୀ: ଭାରତ, ବାଂଲାଦେଶ ପରେ ଏବେ ରୁଷିଆ। ଦେଶ ଅଲଗା କିନ୍ତୁ ଦୁର୍ଘଟଣା ଏକପ୍ରକାରର। ଭାରତରେ ଏୟାର ଇଣ୍ଡିଆ ବିମାନ ଏକ ମେଡିକାଲ କଲେଜ ଉପରେ ଖସିବା ପରେ ପ୍ରାୟ ୨୬୦ଜଣଙ୍କର ମୃତ୍ୟୁ ହୋଇଥିଲା। ବାଂଲାଦେଶରେ ମଧ୍ୟ ଏକ ଲଢ଼ୁଆ ବିମାନ ସ୍କୁଲ ଉପରେ ଖସିବା ପରେ ପ୍ରାୟ ୨୭ଜଣକର ମୃତ୍ୟୁ ହୋଇଥିଲା। ଏବେ ରୁଷିଆରୁ ସେଭଳି ଏକ ଖବର ଆସିଛି। ବିମାନଟି କୌଣସି ବିଲ୍ଡିଂ ନୁହେଁ ବରଂ ଆକାଶରେ ନିଆଁ ପିଣ୍ଡୁଳା ହୋଇ ଜଙ୍ଗଲକୁ ଖସିଥିବା ସାମ୍ନାକୁ ଆସିଛି।
ଏକ୍ସରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ବିମାନର ଭଗ୍ନାଂଶରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ମୋଟ ୫୦ଜଣ ବିମାନରେ ଥିଲେ ବୋଲି କୁହାଯାଉଥିବା ବେଳେ ଏବେ ୪୯ଜଣ ଥିଲେ ବୋଲି ସାମ୍ନାକୁ ଆସିଛି।
ତେବେ ଭାଇରାଲ ହେଉଥିବା ଭିଡିଓଟି ଉଦ୍ଧାର ପାଇଁ ଯାଇଥିବା ହେଲିକପ୍ଟରରୁ ନିଆଯାଇଥିବା ଭିଡିଓ ଦେଖିଲେ ଜଣାପଡ଼ିଛି। ଆକାଶରେ ବିସ୍ଫୋରଣ ଘଟିଥିବାରୁ କେହି ଜୀବିତ ନଥିବା ସାମ୍ନାକୁ ଆସିଛି। ପ୍ରଥମେ ଏହାର କାରଣ ସାମ୍ନାକୁ ଆସିନଥିବା ବେଳେ ଏବେ ପାଇଲଟ୍ଙ୍କ ଭୁଲ ୫୦ଜଣଙ୍କ ଜୀବନ ନେଇଥିବା କୁହାଯାଉଛି।
ପ୍ରାରମ୍ଭିକ ବିଶ୍ଳେଷଣରୁ ଜଣାପଡିଛି ଯେ, ଦୁର୍ବଳ ଦୃଶ୍ୟମାନତା ହେତୁ ଅବତରଣ ସମୟରେ ପାଇଲଟ୍ଙ୍କ ତ୍ରୁଟି ଯୋଗୁଁ ଅମୁର ଅଞ୍ଚଳର ଟିଣ୍ଡା ସହରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ।
ଅଧିକାରୀମାନେ କହିଛନ୍ତି, ଉଡ଼ାଣ ମଝିରେ ଏଏନ-୨୪ ବିମାନ ବିମାନ ସହିତ ଏୟାର ଟ୍ରାଫିକ୍ ନିୟନ୍ତ୍ରକମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାର କିଛି ମିନିଟ୍ ପରେ ଉଦ୍ଧାରକାରୀମାନେ ବିମାନର ଜଳୁଥିବା କିଛି ଅଂଶ ଠାବ କରିଥିଲେ। ଦୁର୍ଘଟଣାକୁ ଦେଖି କେହି ବଞ୍ଚିଥିବେ ବୋଲି ଆଶା ନାହିଁ। ବିମାନଟି ସାଇବେରିଆ ଅଙ୍ଗାରା ଏୟାରଲାଇନ୍ସ ଦ୍ୱାରା ପରିଚାଳିତ । ଏଏନ-୨୪ ବିମାନଟି ତା'ର ଗନ୍ତବ୍ୟସ୍ଥଳ ପହଞ୍ଚିବା ପୂର୍ବରୁ ରାଡାରରୁ ଅଦୃଶ୍ୟ ହୋଇଯାଇଥିବା ବେଳେ ପରେ ତା’ର ଭଗ୍ନାଂଶ ମିଳିଥିଲା।
Follow Us