Image Courtesy of NDTV
ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ପୋଷ୍ଟ୍ରେ ରୁଷୀୟ ସେନାକୁ ଅସମ୍ମାନ କରିଥିବା ଜଣେ ରୁଷୀୟ ତରୁଣୀଙ୍କୁ ଆତଙ୍କବାଦୀ ସହ ତୁଳନା କରାଯାଇ ଗିରଫ କରାଯିବା ପରେ ଗୃହବନ୍ଦୀ କରାଯାଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ରୁଷ୍ର ଆର୍ଖାଙ୍ଗେଲସ୍କ୍ ଅଞ୍ଚଳର ଉକ୍ତ ୧୯ ବର୍ଷୀୟ ତରୁଣୀ ଓଲେସିଆ କ୍ରିଭ୍ତ୍ସୋଭା ସଂକ୍ରାନ୍ତରେ ପ୍ରକାଶ କରିଥିବା ରିପୋର୍ଟରେ ‘ସିଏନ୍ଏନ୍’ ଲେଖିଛି ଯେ, ଗୋଡ଼ର ବଳାଗଣ୍ଠି ପାଖରେ ପୁଟିନ୍ ବିରୋଧୀ ‘ଟାଟୁ’ କରିଥିବା ଓଲେସିଆଙ୍କୁ ‘ଆଇଏସ୍ଆଇଏସ୍’, ‘ଅଲ୍ କାଏଦା’ ଏବଂ ‘ତାଲିବାନ୍’ ସମକକ୍ଷ ଦର୍ଶାଇ ଆତଙ୍କବାଦୀ ଓ ଉଗ୍ରପନ୍ଥୀ ତାଲିକାଭୁକ୍ତ କରାଯାଇଛି। ଏହାର କାରଣ ହେଲା, ଗତ ଅକ୍ଟୋବର ମାସରେ ଘଟିଥିବା କ୍ରାଇମିଆ ସେତୁ ବିସ୍ଫୋରଣ ଏବଂ ୟୁକ୍ରେନ୍ ଆକ୍ରମଣ ନିମନ୍ତେ ରୁଷ୍କୁ ସମାଲୋଚନା କରି ସେ ‘ଇଷ୍ଟାଗ୍ରାମ୍’ରେ ପୋଷ୍ଟ୍ କରିଥିବା ଆଲେଖ୍ୟ। ଏହାଛଡ଼ା, ଷ୍ଟୁଡେଣ୍ଟ୍ ଚାଟ୍ରେ ରୁଷୀୟ ସାମାଜିକ ନେଟ୍ୱାର୍କ ‘ଭି.କେ.’ରେ ଚାଲିଥିବା ଯୁଦ୍ଧ ସଂକ୍ରାନ୍ତରେ ସମାଲୋଚନାମୂଳକ ରିପୋଷ୍ଟ୍ କରି ରୁଷୀୟ ସେନାକୁ ଅସମ୍ମାନ କରିଥିବାରୁ ମଧ୍ୟ ସେ ଅପରାଧିକ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି।
Image Courtesy of CNNତାଙ୍କ ମାଆ ନାତାଲିଆ କ୍ରିଭ୍ତ୍ସୋଭା ‘ସିଏନ୍ଏନ୍’କୁ କହିଛନ୍ତି, ସ୍ବାମୀ ଇଲିଆଙ୍କ ସହିତ ଝିଅ ରହୁଥିବା ଆପାର୍ଟମେଣ୍ଟ୍ରେ ଡିସେମ୍ବର ୨୬ ତାରିଖ ଦିନ ପୁଲସି ପ୍ରବେଶ କରିଥିଲା। ଦୁହିଁଙ୍କୁ ଜବରଦସ୍ତି ଚଟାଣରେ ମୁହଁ ମାଡ଼ି ଶୋଇବାକୁ କହି ଗୋଟାଏ ହାତୁଡ଼ି ଦେଖାଇ ଧମକ ଦେଇଥିଲେ। ଏହି ହାତୁଡ଼ି ୟେଭ୍ଗେନି ପ୍ରିଗୋଝିନ୍ ନେତୃତ୍ବାଧୀନ ‘ୱାଗ୍ନର୍ ଗ୍ରୁପ୍’ର ସମ୍ଭାଷଣ ବୋଲି ସେମାନେ ଝିଅକୁ କହିଥିଲେ। ଏଥିସହିତ ସେମାନେ ଜେଲ୍ରେ ଜଣେ କଏଦୀକୁ ହାତୁଡ଼ିରେ ପିଟି ହତ୍ୟା କରାଯାଉଥିବାର ଭିଡିଓ ମଧ୍ୟ ଦେଖାଇଥିଲେ। ସେ ଭିଡିଓ ଦେଖି ଓଲେସିଆ ଭୟଭୀତ ହୋଇଯାଇଥିଲା।
ଉଲ୍ଲେଖଯୋଗ୍ୟ, ‘ୱାଗ୍ନର୍ ଗ୍ରୁପ୍’ ଅପରାଧୀମାନଙ୍କୁ ନେଇ ସେନାରେ ଭର୍ତ୍ତି କରୁଛି। ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବା ଉଦ୍ୟମ ଅଭିଯୋଗରେ ୟେଭ୍ଗେନି ନୁଜ୍ହିନ୍ ନାମରେ ଜଣେ ପୁରୁଣା କଏଦୀଙ୍କୁ ସେମାନେ ହାତୁଡ଼ିରେ ପିଟି ହତ୍ୟା କରିଥିବା କୁହାଯାଉଛି।
Image Courtesy of CNNଓଲେସିଆ ହେଉଛନ୍ତି ଉତ୍ତରପଶ୍ଚିମ ନଗରୀ ଆର୍ଖାନ୍ଗେଲ୍ସ୍କସ୍ଥିତ ‘ନର୍ଦନ୍ (ଆର୍କଟିକ୍) ଫେଡେରାଲ୍ ୟୁନିଭର୍ସିଟି’ର ଛାତ୍ରୀ। ସମ୍ପ୍ରତି ତାଙ୍କୁ ସେଭେରୋଦ୍ଭିନ୍ସ୍କି ଅଞ୍ଚଳରେ ଥିବା ତାଙ୍କ ମାଆଙ୍କ ଆପାର୍ଟମେଣ୍ଟ୍ରେ ଗୃହବନ୍ଦୀ କରାଯାଇଛି। ତାଙ୍କୂ ଅନ୍ଲାଇନ୍ ହେବା ଏବଂ ଅନ୍ୟନ୍ୟା ଯୋଗାଯୋଗ ମାଧ୍ୟମ ବ୍ୟବହାରରୁ ବଞ୍ଚିତ କରାଯାଇଛି।
ତାଙ୍କ ଓକିଲ ଆଲେକ୍ସି କିଚିନ୍ କହିଛନ୍ତି, ସେ ରୁଷୀୟ ସେନାକୁ ଅସମ୍ମାନିତ କରିଥିବାରୁ ୩ ବର୍ଷ ଓ ଆତଙ୍କବାଦକୁ ଯଥାର୍ଥ ଦର୍ଶାଇଥିବା ଲେଖା ପାଇଁ ୭ ବର୍ଷ ଜେଲ୍ ଭୋଗି ପାରନ୍ତି।
Follow Us