କୃଷ୍ଣ ସାଗରରେ ବୁଡ଼ିଗଲା ରୁଷ୍‌ର ଯୁଦ୍ଧପୋତ, ବାଲ୍‌ଟିକ ସାଗରରେ ନାଟୋର ଯୁଦ୍ଧ ଜାହାଜ

କୃଷ୍ଣ ସାଗରରେ ବୁଡ଼ିଗଲା ରୁଷ୍‌ର ଯୁଦ୍ଧପୋତ, ବାଲ୍‌ଟିକ ସାଗରରେ ନାଟୋର ଯୁଦ୍ଧ ଜାହାଜ

Utkal Updates

ମସ୍କୋ: ରୁଷ୍‌ର ଏକ ଅତି ଗୁରୁତ୍ବପୂର୍ଣ୍ଣ ଯୁଦ୍ଧପୋତ ତଥା ଗାଇଡେଡ୍‌ ମିସାଇଲ୍‌ କ୍ରୁଜର୍‌ ‘ମୋସ୍କଭା’ ଗତକାଲି ୟୁକ୍ରେନ୍‌ ଆକ୍ରମଣରେ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଜି ତାହା କୃଷ୍ଣ ସାଗରରେ ବୁଡ଼ି ଯାଇଛି। ୫୧୦ ପରିଚାଳକ ସଦସ୍ୟ ବିଶିଷ୍ଟ ଏହି ଜାହାଜ ରୁଷ୍‌ ସାମରିକ ଶକ୍ତିର ଏକ ପ୍ରତୀକ ଥିଲା। ୟୁକ୍ରେନ୍‌ ଉପରେ ସାମୁଦ୍ରିକ ଆକ୍ରମଣର ନେତୃତ୍ବ ନେଉଥିବାଏହି ଯୁଦ୍ଧ ଜାହାଜ ୟୁକ୍ରେନ୍‌ର ମିସାଇଲ୍‌ ମାଡ଼ ଯୋଗୁଁ ନଷ୍ଟ ହୋଇଥିବା ୟୁକ୍ରେନ୍‌ ଦାବି କରିଥିବା ବେଳେ ଜାହାଜରେ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ନିଆଁ ଲାଗି ଯାଇଥିଲା। ଆଜି ଏହା ବୁଡ଼ି ଯିବା ପରେ ଏହାକୁ ନେଇ ଯୁଦ୍ଧ ଆହୁରି ଭୀଷଣ ହେବ ବୋଲି ଜଣାପଡ଼ିଛି। ରୁଷ୍‌ ପ୍ରଥମେ କହିଥିଲା ଯେ ଜାହାଜରେ ନିଆଁ ଲାଗିଯିବାରୁ ବିସ୍ଫୋରଣ ଘଟିଥିଲା। ତେବେ ୟୁକ୍ରେନ୍‌ ଆକ୍ରମଣ ନେଇ ଦାବି କରିବା ପରେ ରୁଷ୍‌ ସରକାରୀ ଟିଭି କହିଛି ଯେ ଏହା ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ପାଇଁ ରାସ୍ତା ଖୋଲି ଦେଇଛି। ତେବେ ରୁଷ୍‌ କର୍ତ୍ତୃପକ୍ଷ ଏ ବାବଦରେ କିଛି ସ୍ପଷ୍ଟ କରିନାହାନ୍ତି।

୧୨,୪୯୦ ଟନ୍‌ର ଏହି ଜାହାଜ ରୁଷ୍‌ର ସବୁଠାରୁ ବଡ଼ ଯୁଦ୍ଧ ଜାହାଜ ଯାହାକି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବୁଡ଼ି ଯାଇଛି। ୟୁକ୍ରେନ୍‌ ସାମରିକ ଅଧିକାରୀମାନେ କହିଛନ୍ତି, ସେମାନେ ୟୁକ୍ରେନ୍‌ ନିର୍ମିତ ନେପଚୁନ୍‌ କ୍ଷେପଣାସ୍ତ୍ର ଦ୍ବାରା ‘ମୋସ୍କଭା’ ଉପରକୁ ଆକ୍ରମଣ କରିଥିଲେ। ବିପୁଳ ବିସ୍ଫୋରକ ଜାହାଜରେ ମହଜୁଦ୍‌ ଥିବାରୁ ବିସ୍ଫୋରଣ ଯୋଗୁଁ ଏହାକୁ ଅଧିକ କ୍ଷତି ପହଞ୍ଚିଥିଲା। ରୁଷ୍‌ର ଯୁଦ୍ଧ ଜାହାଜ ବୁଡ଼ିଯିବା ରୁଷ୍‌ ପାଇଁ ଏକ ବଡ଼ ଝଟ୍‌କା ବୋଲି ଆମେରିକୀୟ ଅଧିକାରୀମାନେ କହିଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ପାଇଁ ଏହା ସବୁଠାରୁ ବଡ଼ ବିଫଳତା ବୋଲି କୁହାଯାଉଥିବା ବେଳେ ରୁଷ୍‌ ଏଥିରେ ଉତ୍‌କ୍ଷିପ୍ତ ହୋଇ କିଛି ବଡ଼ ଆକ୍ରମଣ କରିବା ଆଶଙ୍କା ରହିଛି। ଅନ୍ୟପକ୍ଷରେ ନାଟୋର କେତେକ ଯୁଦ୍ଧ ଜାହାଜ ଆଜି ବାଲ୍‌ଟିକ ସାଗରରେ ପହଞ୍ଚିଛି। ମିଳିତ ନୌସମରାଭ୍ୟାସ ଏହାର ଉଦ୍ଦେଶ୍ୟ ବୋଲି ନାଟୋ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe