Image Courtesy of India Today
ମସ୍କୋ : ଯେଉଁମାନେ ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେମାନଙ୍କ ଉପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଜଣାପଡିଛି । ୟୁକ୍ରେନ ଯୁଦ୍ଧ ବିରୋଧରେ କହୁଥିବା କିମ୍ବା ଶାନ୍ତି ପାଇଁ ନିବେଦନ କରୁଥିବା ଲୋକମାନଙ୍କୁ ରୁଷରେ କଠୋର ଦଣ୍ଡ ଭୋଗ କରିବାକୁ ପଡ଼ୁଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପୂର୍ବତନ ଭାଷଣ ଲେଖକ ଅବ୍ବାସ ଗାଲିମୋଭଙ୍କୁ ମୋଷ୍ଟ ୱାଣ୍ଟେଡ ଘୋଷଣା କରିଛି ରୁଷିଆ ପୁଲିସ । ୟୁକ୍ରେନ ଯୁଦ୍ଧକୁ ନେଇ ସେ ରୁଷ ସରାକର ଓ ପୁଟିନଙ୍କୁ ସମାଲୋଚନା କରିଥିବା ଅଭିଯୋଗ ହୋଇଛି ।
ରୁଷିଆ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଗୃହ ମନ୍ତ୍ରାଳୟର ଡାଟାବେସରେ ମୋଷ୍ଟ ୱାଣ୍ଟେଡ୍ ବ୍ୟକ୍ତିଙ୍କ ତାଲିକାରେ ଅବ୍ବାସ ଗାଲିମୋଭଙ୍କ ନାମ ସାମିଲ ହୋଇଛି। ଅବ୍ବାସ ଜଣେ ବିଦେଶୀ ଏଜେଣ୍ଟ ବୋଲି ଅଭିଯୋଗ ହୋଇଛି। ଗତ ମାସରେ ରୁଷିଆର ନ୍ୟାୟ ମନ୍ତ୍ରଣାଳୟ ଅବ୍ବାସଙ୍କୁ ବିଦେଶୀ ଏଜେଣ୍ଟ ଘୋଷଣା କରିଥିଲା। ମନ୍ତ୍ରଣାଳୟ କହିଛି ଯେ ସେମାନେ ବିଦେଶୀ ଏଜେଣ୍ଟଙ୍କ ଦ୍ୱାରା ପ୍ରସ୍ତୁତ ଏଜେଣ୍ଡାକୁ ପ୍ରସାରିତ କରିଛନ୍ତି। ୟୁକ୍ରେନ ଯୁଦ୍ଧକୁ ସମାଲୋଚନା କରି ସେନାକୁ ବାରମ୍ବାର ଅପମାନିତ କରୁଥିବା ଅଭିଯୋଗ ହୋଇଛି। ସେ ୨୦୦୮ରୁ ୨୦୧୨ ପର୍ୟ୍ୟନ୍ତ ଭ୍ଲାଦିମିର ପୁଟିନଙ୍କ ଭାଷଣ ଲେଖିଥିଲେ । ସେତେବେଳେ ପୁଟିନ୍ ଋଷର ପ୍ରଧାନମନ୍ତ୍ରୀ ଥିଲେ ।
ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ଲୋକଙ୍କ ଉପରେ ରୁଷ୍ କଠୋର କାର୍ୟ୍ୟାନୁଷ୍ଠାନ ନେଉଛି । ଯୁଦ୍ଧ ଆରମ୍ଭରୁ ରୁଷକୁ ସମାଲୋଚନା କରୁଥିବା ଲୋକଙ୍କ ଉପରେ ନଜର ରଖି ରୁଷିଆ କାର୍ୟ୍ୟାନୁଷ୍ଠାନ ନେଉଛି। ଏପରି କରିବା ପାଇଁ ଅନେକଙ୍କୁ ଜେଲରେ ରଖାଯାଇଛି, କେତେକ ଲୋକଙ୍କ ରହସ୍ୟମୟ ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଦେଶ ଛାଡି ଚାଲିଯାଇଛନ୍ତି ।
Follow Us