Image Courtesy of The Mirror
କିବ୍: ୟୁକ୍ରେନ୍ ଆକ୍ରମଣରେ ମୁଖ୍ୟ ଉଦ୍ଦେଶ୍ୟ ହାସଲ ନ ହେବାରୁ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଠାରୁ ଗାଳି ଶୁଣିବା ପରେ ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ଶୋଇଗୁଙ୍କର ହୃଦ୍ଘାତ ହୋଇଥିବା କଥା ଆଜି ୟୁକ୍ରେନୀୟ ସରକାରଙ୍କର ଜଣେ ଉପଦେଷ୍ଟା କହିଛନ୍ତି।
ୟୁକ୍ରେନୀୟ ଗୃହମନ୍ତ୍ରାଳୟରେ କାର୍ଯ୍ୟରତ ଆଣ୍ଟୋନ୍ ଗେରାଶ୍ଚେଙ୍କୋ ଫେସ୍ବୁକ୍ରେ ଲେଖିଛନ୍ତି ଯେ, ପୁଟିନ୍ଙ୍କ ସହିତ ଯୁକ୍ତିତର୍କ ହେବା ଘରେ ହୃଦ୍ଘାତ ଯୋଗୁଁ ମାର୍ଚ ୧୧ ଠାରୁ ଶୋଇଗୁ ସର୍ବସାଧାରଣରେ ଦେଖା ଯାଉନାହାନ୍ତି। ୟୁକ୍ରେନ୍ ଆକ୍ରମଣ ସମ୍ପୂର୍ଣ୍ଣ ବିଫଳ ହେବା ଯୋଗୁଁ ପୁଟିନ୍ ଯେଭଳି ଅପବାଦ ଦେଲେ ସେଥିରେ ଶୋଇଗୁଙ୍କ ହୃଦ୍ଘାତ ହୋଇଛି।
ମାର୍ଚ ୧୧ ତାରିଖ ଠାରୁ ଶୋଇଗୁଙ୍କର ଦେଖା ନ ମିଳୁ ଥିବାରୁ ତାଙ୍କର ଅବସ୍ଥିତି ସଂକ୍ରାନ୍ତରେ ନାନା କଳ୍ପନାଜଳ୍ପନା ଚାଲିଛି। ହଠାତ୍ ଅନ୍ତର୍ଦ୍ଧାନ ହୋଇ ଯାଇଥିବାରୁ କ୍ରେମ୍ଲିନ୍ ତାଙ୍କୁ ଶାସ୍ତି ଦେଇଥିବା ଗୁଜବ ମଧ୍ୟ ଉଠିଛି। କାରଣ ସେ କାର୍ଖିଭ୍ ଅଥବା କିବ୍ ଭଳି ପ୍ରମୁଖ ୟୁକ୍ରେନୀୟ ନଗରୀକୁ ଏଯାବତ୍ ଦଖଲ କରିପାରିଲେ ନାହିଁ।
Image Courtesy of Republic Worldତାଙ୍କ ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧିମାନେ ପଚରିବାରୁ କ୍ରେମ୍ଲିନ୍ ମୁଖପାତ୍ର କହିଛନ୍ତି, ସ୍ବତନ୍ତ୍ର ସାମରିକ ଅଭିଯାନ ଚାଲିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ବ୍ୟସ୍ତ ରହିବା ସ୍ବାଭାବିକ କଥା। ସାମ୍ବାଦିକମାନଙ୍କ ସହ କଥାବର୍ତ୍ତା କରିବା ଲାଗି ଏହା ତାଙ୍କ ପାଇଁ ପ୍ରକୃଷ୍ଟ ସମୟ ନୁହେଁ।
ଏହାପରେ, ଟେଲିଭିଜନ୍ରେ ରୁଷ୍ର ପ୍ରତିରକ୍ଷା ମନ୍ତ୍ରୀ ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଟେଲିକନ୍ଫରେନ୍ସିଙ୍ଗ୍ କରୁଥିବା ଭିଡିଓ ପ୍ରସାରଣ ହୋଇଥିଲା। କିନ୍ତୁ, ମାର୍ଚ ୨୪ ତାରିଖରେ ପୁଟିନ୍ ଓ ଶୋଇଗୁଙ୍କ ମଧ୍ୟରେ ହୋଇଥିବା ଏହି ଭିଡିଓ କଲ୍ ଦୃଶ୍ୟଟି ଜାଲ୍ ବୋଲି ୟୁକ୍ରେନ୍ କହିଛି।
ଏହାଛଡ଼ା, ଶୁକ୍ରବାର ଦିନ ପାଶ୍ଚାତ୍ୟ ରାଷ୍ଟ୍ରର ସରକାରୀ ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ, ୟୁକ୍ରେନ୍ ଆକ୍ରମଣରେ ଏ ପର୍ଯ୍ୟନ୍ତ ୭ଜଣ ରୁଷୀୟ ଜେନେରାଲ୍ଙ୍କର ମୃତ୍ୟୁ ଘଟିଛି। ସେମାନେ ନିହତ ଜେନେରାଲ୍ମାନଙ୍କର ନାମ ମଧ୍ୟ ଘୋଷଣା କରିଛନ୍ତି।
Follow Us