ଚନ୍ଦ୍ରାବତରଣ ପୂର୍ବରୁ କକ୍ଷପଥ ପରିବର୍ତ୍ତନ ବେଳେ ରୁଷ୍‌ର ମହାକାଶଯାନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି

Advertisment
ଚନ୍ଦ୍ରାବତରଣ ପୂର୍ବରୁ କକ୍ଷପଥ ପରିବର୍ତ୍ତନ ବେଳେ ରୁଷ୍‌ର ମହାକାଶଯାନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି

Image Courtesy of Times Now

ମସ୍କୋ: ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଶନିବାର ଦିନ ରୁଷ୍‌ର ‘ଲୁନା-୨୫’ର କକ୍ଷପଥ ପରିବର୍ତ୍ତନ କରାଯାଉଥିବା ବେଳେ ଅସ୍ବାଭାବିକ ପରିସ୍ଥିତି  ବା ବୈଷୟିକ ଅସୁବିଧା ସୃଷ୍ଟି ହୋଇଥିଲା ବୋଲି ରୁଷୀୟ ମହାକାଶ ଏଜେନ୍‌ସି ‘ରସ୍‌କସ୍‌ମସ୍‌’ କହିଛି।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ରସ୍‌କସ୍‌ମସ୍‌’ କହିଛି, ‘ପ୍ରୋବ୍‌’କୁ ପ୍ରାକ୍‌ ଅବତରଣକାଳୀନ କକ୍ଷପଥକୁ ପରିବର୍ତ୍ତନ କରିବା ଲାଗି ‘ଥ୍ରଷ୍ଟ୍‌’କୁ ରିଲିଜ୍‌ କରାଯାଇଥିଲା। ଏଭଳି କରାଯିବା ବ‌େଳେ ‘ଅଟୋମେଟିକ୍‌ ଷ୍ଟେସନ୍‌’ର ‘ବ‌ୋର୍ଡ’ରେ ଅସ୍ବାଭାବିକ ଅବସ୍ଥା ସୃଷ୍ଟି ହୋଇଥିଲା। ଫଳତଃ ନିର୍ଦ୍ଧାରିତ ସମୟରେ କକ୍ଷପଥ ପରିବର୍ତ୍ତନ କରାଯାଇ ପାରିଲା ନାହିଁ।

କିନ୍ତୁ, ଉପରୋକ୍ତ ଅସୁବିଧା ଯୋଗୁଁ ‘ଲୁନା-୨୫’ର ଚନ୍ଦ୍ରାବତରଣରେ ବିଳମ୍ବ ହେବ କି, ନାହିଁ, ସେ ବିଷୟରେ ‘ରସ୍‌କସ୍‌ମସ୍’ କିଛି କହିନାହିଁ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ, ସୋମବାର ଦିନ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ‘ବୋଗସ୍‌ଲସ୍କାଏ’ ଗହ୍ବରରେ ଏହା ଅବତରଣ କରିବା କଥା।

Luna-25 Image Courtesy of India Today

ଏଭଳି ଅଭିଯାନ ବିପଜ୍ଜନକ ବୋଲି ଜୁନ୍‌ ମାସରେ ‘ରସ୍‌କସ୍‌ମସ୍‌’ର ମୁଖ୍ୟ ୟୁରି ବୋରିସୋଭ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ କହିଥିଲେ। ଏହାର ସଫଳତାର ସମ୍ଭାବନା ପ୍ରାୟ ୭୦% ବୋଲି ବି ସେ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ୪୭ ବର୍ଷ ପରେ ପୁଣି ରୁଷ୍‌ ଆରମ୍ଭ କରିଥିବା ଏହି ଚନ୍ଦ୍ରାଭିଯାନର ‘ଲ୍ୟାଣ୍ଡର୍‌’କୁ ବୁଧବାର ଦିନ ସଫଳତାର ସହିତ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା। ରୁଷ୍‌ର ସୁଦୂର ପୂର୍ବାଞ୍ଚଳରେ ଥିବା ଭୋସ୍ତୋଚ୍‌ନି କସ୍‌ମୋଡ୍ରୋମ୍‌ରୁ ‘ଲୁନା-୨୫’କୁ ମହାକାଶକୁ ଉତ୍‌କ୍ଷେଣ କରାଯାଇଥିଲା।

ଏହି ଲ୍ୟାଣ୍ଡର୍‌ ଚନ୍ଦ୍ରରେ ଏକ ବର୍ଷ ରହି ନୁମନା ସଂଗ୍ରହ କରିବା ସହିତ ମୃତ୍ତିକା ବିଶ୍ଳେଷଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe