ରୁଷ୍‌ର ଚନ୍ଦ୍ର ଅଭିଯାନ ବିଫଳ: ଖସିପଡ଼ିଲା ଲୁନା-୨୫

Advertisment

ଅନିୟନ୍ତ୍ରିତ କକ୍ଷପଥକୁ ଚାଲିଯିବାରୁ ଦୁର୍ଘଟଣା ହେଲା: ରସ୍‌କସ୍‌ମସ୍‌

ଅନିୟନ୍ତ୍ରିତ କକ୍ଷପଥକୁ ଚାଲିଯିବାରୁ ଦୁର୍ଘଟଣା ହେଲା: ରସ୍‌କସ୍‌ମସ୍‌

ରୁଷ୍‌ର ଚନ୍ଦ୍ର ଅଭିଯାନ ବିଫଳ: ଖସିପଡ଼ିଲା ଲୁନା-୨୫

The Statesman

ନୂଆଦିଲ୍ଲୀ: ରୁଷ୍‌ର ଚନ୍ଦ୍ର ଅଭିଯାନ ବିଫଳ ହୋଇଛି। ଭାରତର ଚନ୍ଦ୍ରଯାନ-୩ ସହ ପ୍ରତିଦ୍ବନ୍ଦ୍ବିତା କରି ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଅବତରଣ କରିବା ଲକ୍ଷ୍ୟରେ ଅଗଷ୍ଟ ୧୧ରେ ରୁଷିଆ ପକ୍ଷରୁ ମହାକାଶକୁ ଛଡ଼ାଯାଇଥିବା ଲୁନା-୨୫ ଲକ୍ଷ୍ୟ ହାସଲ ଅବ୍ୟବହିତ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି। ଘୂରିଘୂରି ଏକ ଅନିୟନ୍ତ୍ରିତ କକ୍ଷପଥକୁ ଚାଲିଯିବା ପରେ ନିୟନ୍ତ୍ରଣ ହରାଇ ଏହା ଚନ୍ଦ୍ରରେ ଖସିପଡ଼ିଛି ବୋଲି ରବିବାର ରୁଷ୍ ମହାକାଶ ଗବେଷଣା ସଂସ୍ଥା ‘ରସ୍‌କସମସ’ ପ୍ରକାଶ କରିଛି। ଲୁନା-୨୫ ଥିଲା ୪୭ ବର୍ଷ ପରେ ରୁଷ୍‌ର ପ୍ରଥମ ଚନ୍ଦ୍ର ମିସନ। ପ୍ରାକ୍-ଅବତରଣ ଅର୍ବିଟ୍‌ରେ ପ୍ରବେଶ କରିବାରେ ସମସ୍ୟା ସୃଷ୍ଟି ହୋଇଥିବା ନେଇ ଗତକାଲି ‘ରସ୍‌କସମସ’ ପକ୍ଷରୁ ସୂଚନା ଦିଆଯାଇଥିଲା।

ଅଗଷ୍ଟ ୧୯ ଓ ୨୦ରେ ଲୁନା-୨୫ ସହ ଆଉ କୌଣସି ଯୋଗାଯୋଗ ରକ୍ଷା କରିବା ସମ୍ଭବ ହୋଇ ନ ଥିଲା। ଏହା ଏକ ଭୁଲ୍‌ ଅର୍ବିଟ୍‌ରେ ପ୍ରବେଶ କରିବା ପରେ ନିୟନ୍ତ୍ରଣ ହରାଇ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଥିଲା ବୋଲି ରୁଷ୍‌ର ମହକାଶ ସଂସ୍ଥା ଜଣାଇଛି। ଲୁନା-୨୫ ଅଗଷ୍ଟ ୨୧ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ଶନିବାର ୧୧:୧୦ ଜିଏମ୍‌ଟି (ଭାରତୀୟ ସମୟ ଅପରାହ୍ଣ ୪ଟା ୪୦)ରେ ଏହାକୁ ଏକ ପ୍ରାକ୍-ଅବତରଣ କକ୍ଷପଥକୁ
ନେବା ପାଇଁ ‘ରସକସମସ’ ଚେଷ୍ଟା କଲାବେଳେ ଏକ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ମାନିଉଭର (କକ୍ଷପଥ ପରିବର୍ତ୍ତନ) ଠିକ୍ ଭାବେ ସମ୍ପନ୍ନ ହୋଇପାରି ନ ଥିଲା। ଶନିବାର ୧୧:୫୭ ଜିଏମ୍‌ଟିରେ ଲୁନା-୨୫ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଲୁନା-୨୫ ଏକ ବର୍ଷ କାଳ ଚନ୍ଦ୍ରରେ ରହି ମୃତ୍ତିକା ନମୁନା ସଂଗ୍ରହ କରିବା ସହ ଜଳର ଉପସ୍ଥିତି ନେଇ ଅନୁସନ୍ଧାନ କରିଥାନ୍ତା। ଏହାର ଲ୍ୟାଣ୍ଡରରେ ଖଞ୍ଜାଯାଇଥିବା କ୍ୟାମେରା ଦ୍ବାରା ଚନ୍ଦ୍ରପୃଷ୍ଠର ଅନେକ ଫଟୋ ଉତ୍ତୋଳନ କରି ପୃଥିବୀକୁ ପଠାଯାଇଥିଲା।

ରୁଷ୍‌ର ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଦୁର୍ଘଟଣାର କାରଣ ନେଇ ଅନୁସନ୍ଧାନ କରାଯାଉଛି। ତେବେ କେଉଁ ବୈଷୟିକ ତ୍ରୁଟି ପାଇଁ ଏହା ଘଟିଲା ସେ ସମ୍ପର୍କରେ ଏହା କୌଣସି ସୂଚନା ଦେଇ ନାହିଁ। ଲୁନା-୨୫ ଥିଲା ରୁଷ୍ ପାଇଁ ଏକ ସମ୍ମାନ ପ୍ରସଙ୍ଗ, ଯାହା ତା’ର ଲକ୍ଷ୍ୟ ହାସଲରେ ବିଫଳ ହୋଇଛି। ୧୯୫୭ରେ ରୁଷ୍ ସ୍ପୁଟନିକ-୧ ଉପଗ୍ରହ ପୃଥିବୀର କକ୍ଷପଥକୁ ପଠାଇଥିଲା ଏବଂ ୧୯୬୧ରେ ୟୁରି ଗାଗାରିନ ପ୍ରଥମ ମହାକାଶଚାରୀ ଭାବେ ମହାକାଶକୁ ଯାତ୍ରା କରିଥିଲେ। ୧୯୭୬ରେ ଲୁନା-୨୪ ଚନ୍ଦ୍ର ମିସନ ପରେ ରୁଷ୍ ଆଉ କୌଣସି ଚନ୍ଦ୍ର ଅଭିଯାନ କରି ନ ଥିଲା। ୪୭ ବର୍ଷ ପରେ ଲୁନା-୨୫କୁ ଚନ୍ଦ୍ରକୁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe