‘ସ୍ପୁଟନିକ୍‌-ଭି’ ନେବାକୁ ଭାରତକୁ ରୁଷ୍‌ର ପ୍ରସ୍ତାବ

ସାର୍ବଜନୀନ ବ୍ୟବହାର ପାଇଁ ଆସିଲା ‘ସ୍ପୁଟନିକ୍‌ ଭି’

Image Courtesy of The Financial Express

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଠାରେ ସାର୍ବଜନୀନ ବ୍ୟବହାର ନିମନ୍ତେ ବିଶ୍ବର ପ୍ରଥମ ତଥା ରୁଷ୍ ଦ୍ବାରା ବିକଶିତ ‘ସ୍ପୁଟନିକ୍‌-ଭି’ ନାମକ ଟିକାର ସହପ୍ରସ୍ତୁତି ଓ ସହଯୋଗାଣ ପାଇଁ ମସ୍କୋ ପ୍ରଶାସନ ନୂଆଦିଲ୍ଲୀ ପ୍ରତିପକ୍ଷଙ୍କୁ ପ୍ରସ୍ତାବ ଦେଇଥିବା ଜଣାଯାଇଛି। ଏଠାରେ ଅବସ୍ଥାପିତ ରୁଷୀୟ ରାଷ୍ଟ୍ରଦୂତ ନିକୋଲାୟ କୁଦେସେଭ ଏ ଦିଗରେ ସହଯୋଗ ପାଇଁ ଭାରତ ସରକାରଙ୍କ ସହ ବିଭିନ୍ନ ସ୍ତରରେ ଆଲୋଚନା କରିଥିବା କହିଛନ୍ତି। ଚଳିତ ସପ୍ତାହରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ମସ୍କୋ ଗସ୍ତ କାଳରେ ମଧ୍ୟ ଏ ବିଷୟରେ ଆଲୋଚନା କରାଯିବ ବୋଲି କୁଦେସେଭ୍‌ କହିଛନ୍ତି। ସୂଚନା ଥାଉ କି, ଖ୍ୟାତନାମା ଲାନ୍ସେଟ ପତ୍ରିକାର ରିପୋର୍ଟ ଅନୁସାରେ ଗତମାସରେ ରୁଷ୍‌ରେ ଲୋକାର୍ପିତ ହୋଇଥିବା ଉକ୍ତ ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ଫଳାଫଳ ଆଶାନୁରୂପ ଫଳପ୍ରଦ ରହିଛି।

ଏହି ସଂକ୍ଷିପ୍ତ ପ୍ରାରମ୍ଭିକ ମାନବୀୟ ପରୀକ୍ଷଣରେ ସ୍ବେଚ୍ଛାସେବୀଙ୍କ ଶରୀରରେ ଭୂତାଣୁ ପ୍ରତିରୋଧୀ ଆଣ୍ଟିବଡି ସୃଷ୍ଟିହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ କୌଣସି ପ୍ରକାର ପ୍ରତିକୂଳ ପ୍ରତିକ୍ରିୟା ମଧ୍ୟ ପରିଲକ୍ଷିତ ହୋଇନଥିବା ଏହି ରିପୋର୍ଟରେ କୁହାଯାଇଛି। ଏପରିକି ଟିକା ନେବାର ୪୨ ଦିନ ଯାଏ ତାହା ନିରାପଦ ମନେ ହେବା ସହ ୨୧ ଦିନ ଭିତରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ଜଣାଯାଇଛି। ସେହିପରି ୨୮ ଦିନ ଭିତରେ କରୋନା ଭୂତାଣୁ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ଟି-କୋଷିକା ବିକଶିତ କରିବାରେ ଏହା ମଧ୍ୟ ସକ୍ଷମ ହୋଇଛି ବୋଲି ଗବେଷକମାନେ କହିଛନ୍ତି। ସୁତରାଂ ଟିକା ସଂକ୍ରାନ୍ତ ଯାବତୀୟ ତଥ୍ୟ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ଭାରତ ସରକାର ସବୁଗୁଡ଼ିକର ତର୍ଜମା କରୁଛନ୍ତି ବୋଲି କୁଦେସେଭ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe