ଯୁଦ୍ଧ ବନ୍ଦ ପାଇଁ ରୁଷ୍‌ର କଠୋର ଆଭିମୁଖ୍ୟ; ଆତ୍ମସମର୍ପଣ କଲେ ଯୁଦ୍ଧ ବନ୍ଦ: ପୁଟିନ

Advertisment

ଖାରକିଭ୍‌ରେ ଅନବରତ ଗୋଳାବର୍ଷା, ମାରିୟୁପୋଲ୍‌ ଦଖଲ ପାଇଁ ଜୋରଦାର ଲଢ଼େଇ

ଖାରକିଭ୍‌ରେ ଅନବରତ ଗୋଳାବର୍ଷା, ମାରିୟୁପୋଲ୍‌ ଦଖଲ ପାଇଁ ଜୋରଦାର ଲଢ଼େଇ

ଯୁଦ୍ଧ ବନ୍ଦ ପାଇଁ ରୁଷ୍‌ର କଠୋର ଆଭିମୁଖ୍ୟ; ଆତ୍ମସମର୍ପଣ କଲେ ଯୁଦ୍ଧ ବନ୍ଦ: ପୁଟିନ

CNN

କିବ୍‌: ୟୁକ୍ରେନ୍‌ର ପୂର୍ବ ଭାଗରେ ଏବେ ଯୁଦ୍ଧ ଜୋରଦାର ହୋଇଛି। ପୂର୍ବାଞ୍ଚଳରେ ଆକ୍ରମଣକୁ ଅଧିକ ତୀବ୍ର କରିବାପାଇଁ ରୁଷ୍‌ ବିପୁଳ ଭାରୀ ଯୁଦ୍ଧାସ୍ତ୍ର ଠୁଳ କରୁଛି। ରାଜଧାନୀ କିବ୍‌ର ପତନ ପାଇଁ ରୁଷ୍‌ ଏହାର ଲକ୍ଷ୍ୟ ହାସଲ କରିପାରି ନଥିବାରୁ ରଣନୀତି ବଦଳାଇ ଏହା ଏବେ ପୂର୍ବ ଭାଗରେ ସୈନ୍ୟ ମୁତୟନ ବଢ଼ାଇଛି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି। ଅନ୍ୟପକ୍ଷରେ ଉଭୟ ଦେଶ ମଧ୍ୟରେ ଶାନ୍ତି କଥାବାର୍ତ୍ତା ପ୍ରକ୍ରିୟା ମଧ୍ୟ ଜାରି ରହିଛି। ତୁର୍କୀରେ ଦ୍ବିତୀୟ ପର୍ଯ୍ୟାୟ କଥାବାର୍ତ୍ତା ପୂର୍ବରୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ସାମ୍ନାକୁ ଆସିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନଙ୍କ ସହ କଥା ହେବା ସମୟରେ ପୁଟିନ କହିଛନ୍ତି, ଧ୍ବଂସରୁ ରକ୍ଷା ପାଇବା ପାଇଁ ହେଲେ ୟୁକ୍ରେନ୍‌କୁ ଆତ୍ମସର୍ମପଣ କରିବାକୁ ହେବ। ଯୁଦ୍ଧ ବନ୍ଦ କରିବା ନିମନ୍ତେ ଏହା ହିଁ ଏକମାତ୍ର ରାସ୍ତା ବୋଲି ପୁଟିନ ସ୍ପଷ୍ଟ କରିଦେଇଛନ୍ତି। ପଶ୍ଚିମ ରାଷ୍ଟ୍ରମାନଙ୍କ ଦ୍ବାରା ନିୟନ୍ତ୍ରିତ ନହୋଇ ୟୁକ୍ରେନ୍‌ ସ୍ବାଧୀନ ଭାବେ ଚିନ୍ତା କରୁ ଏବଂ ନାଟୋରେ ସାମିଲ ନହେବା ପାଇଁ ଗ୍ୟାରେଣ୍ଟି ଦେଉ ବୋଲି ରୁଷ୍‌ ଚାହୁଛି। ଏଥିପାଇଁ ୟୁ‌କ୍ରେନ୍‌ ଆତ୍ମସମର୍ପଣ କଲେ ହିଁ କୂଟନୈତିକ ବାର୍ତ୍ତା ସଫଳ ହୋଇପାରିବ ବୋଲି କେତେକ କୂଟନୀତି ବିଶେଷଜ୍ଞ କହିଛନ୍ତି।

ଉତ୍ତରପୂର୍ବ ୟୁକ୍ରେନ୍‌ର ଖାରକିଭର ଅର୍ଦ୍ଧାଧିକ ଅଂଚଳ ଛାରଖାର ହୋଇସାରିଥିବା ବେଳେ ଗତ ୨୪ ଘଣ୍ଟା ଧରି ସେଠାରେ ରୁଷ୍‌ ଅନବରତ ଗୁଳିବର୍ଷା‌ କରିଛି। ଖାରକିଭ ଗଭର୍ଣ୍ଣର ଆଜି ଏକ ବିବୃତି ଜାରି କରି କହିଛନ୍ତି ଯେ ସହରରେ ୩୮୦ ଥର ଗୋଳାବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସଲ୍‌ତିଭକାରେ ରୁଷ୍ ସୈନିକ ଗ୍ୟାସ୍‌ ପାଇପ୍‌ଲାଇନ୍‌ ନଷ୍ଟ କରିଦେଇଛନ୍ତି। ଖାରକିଭ୍‌ର ଉତ୍ତରପଶ୍ଚିମ ସହର ଡେରହାଚିରେ ରୁଷ୍‌ ବାହିନୀ ପ୍ରବଳ ଗୋଳାବର୍ଷା କରିଛନ୍ତି। ଏଥିଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ମାରିୟୁପୋଲ୍‌ରେ ଧ୍ବଂସଲୀଳା ଜାରି ରହିଛି। ମାରିୟୁପୋଲ୍‌ ଦଖଲ ପାଇଁ ଲଢ଼େଇ ଜୋରଦାର ହେଉଛି। ମାରିୟୁପୋଲ୍‌ରେ ଆଜି ରୁଷ୍‌ ଦିନକ ପାଇଁ ଯୁଦ୍ଧବିରତି ଘୋଷଣା କରିଛି। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଜି କିବ୍‌ରୁ ମାରିୟୁପୋଲ୍‌କୁ ୪୫ଟି ବସ୍‌ ଯାଇଛି। କିବ୍‌ରୁ ମଧ୍ୟ ରୁଷ୍‌ ସେନା ପ୍ରତ୍ୟାହାର କରିବ ବୋଲି କହିଥିଲେ ସୁଦ୍ଧା କିବ୍‌ର ପୂର୍ବ ଏବଂ ପଶ୍ଚିମରେ ରୁଷ୍‌ ସୈନିକ ମୁତୟନ ଅଛନ୍ତି। କିବ୍‌ ଏବଂ ଚେର୍ନିହିବରେ ରୁଷ୍‌ ଆକ୍ରମଣ ଜାରି ରହିଥିବାରୁ ରୁଷ୍‌ ରଣନୀତିକୁ ପଶ୍ଚିମ ରାଷ୍ଟ୍ରମାନେ ବୁଝିପାରୁ ନାହାନ୍ତି। ପଶ୍ଚିମ ଗଣମାଧ୍ୟମରେ ରୁଷ୍‌ ସେନାକୁ ନେଇ ପ୍ରକାଶ ପାଉଥିବା ଅନେକ ଖବର ମିଥ୍ୟା ପ୍ରମାଣିତ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe