ଗାନ୍ଧୀଙ୍କ ପରାମର୍ଶରେ ସାବରକର କ୍ଷମା ଆବେଦନ କରିଥିଲେ: ରାଜନାଥ

ଆର୍‌ଏସ୍‌ଏସ୍‌କୁ ନକ୍ସଲଙ୍କ ସହ ତୁଳନା କଲେ ବାଘେଲ

ଗାନ୍ଧୀଙ୍କ ପରାମର୍ଶରେ ସାବରକର କ୍ଷମା ଆବେଦନ କରିଥିଲେ: ରାଜନାଥ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର କହିଛନ୍ତି ଯେ, ସ୍ବାଧୀନତା ଆନ୍ଦୋଳନ ସମୟରେ ହିନ୍ଦୁ ମହାସଭା ନେତା ବିନାୟକ ଦାମୋଦର ସାବରକର ମହାତ୍ମା ଗାନ୍ଧୀଙ୍କ ପରାମର୍ଶରେ ବ୍ରିଟିଶ ସରକାରଙ୍କୁ କ୍ଷମା ଆବେଦନ ପ୍ରଦାନ କରିଥିଲେ। କ୍ଷମା ନିବେଦନ ପ୍ରଦାନ କରି ସାବରକର ନିଜର ଗୌରବ ନଷ୍ଟ କରିଥିଲେ ବୋଲି ହେଉଥିବା ସମାଲୋଚନାକୁ ସିଂହ ଭୁଲ ବୋଲି କହିଥିଲେ। ସେ କହିଥିଲେ ଯେ ମହାନ୍ ସ୍ବାଧୀନତା ସଂଗ୍ରାମୀ ସାବରକରଙ୍କ ନାମରେ ଅନେକ ମିଥ୍ୟା ରଟନା ଚାଲିଛି। ଉଦୟ ମହୁରକର ଓ ଚିରାୟୁ ପଣ୍ଡିତଙ୍କ ଦ୍ବାରା ସାବରକରଙ୍କ ଉପରେ ଲିଖିତ ପୁସ୍ତକ ‘ବୀର ସାବରକର: ଦ ମ୍ୟାନ୍ ହୁ କୁଡ୍ ହାଭ୍ ପ୍ରିଭେଣ୍ଟେଡ୍ ପାର୍ଟିସନ୍’ର ଉନ୍ମୋଚନ ଅବସରରେ ରାଜନାଥ କହିଲେ ଯେ, ବାରମ୍ବାର କୁହାଯାଉଛି ଯେ ଜେଲରୁ ମୁକ୍ତି ନିମନ୍ତେ ସାବରକର ବ୍ରିଟିଶ ସରକାରଙ୍କୁ ଦୟା ଯାଚିକା ପ୍ରଦାନ କରିଥିଲେ। କିନ୍ତୁ ସତ୍ୟ ହେଉଛି ସେ ନିଜ ଇଚ୍ଛାରେ ଏହି ଆବେଦନ ପ୍ରଦାନ କରି ନ ଥିଲେ।

ମହାତ୍ମା ଗାନ୍ଧୀଙ୍କ କଥା ମାନି ସେ ଏହା କରିଥିଲେ। ରାଜନାଥ କହିଲେ ଯେ, ସାବରକର ହେଉଛନ୍ତି ଜାତୀୟ ପ୍ରତୀକ। ସେ ଦେଶକୁ ଏକ ‘ବଳିଷ୍ଠ ପ୍ରତିରକ୍ଷା ଓ କୂଟନୈତିକ ଆଦର୍ଶ’ ଦେଇଯାଇଛନ୍ତି। ଅନ୍ୟପକ୍ଷରେ ସାବରକରଙ୍କ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆର୍‌ଏସ୍‌ଏସ୍‌କୁ ନକ୍ସଲପନ୍ଥୀଙ୍କ ସହ ତୁଳନା କରିଛନ୍ତି। ପୂରା ଦେଶରେ ଆର୍‌ଏସ୍‌ଏସ୍‌ ନିଜର ସାଂପ୍ରଦାୟିକ ଏଜେଣ୍ଡା କାର୍ଯ୍ୟକାରୀ କରୁଛି ଏବଂ ଲୋକଙ୍କ ମଧ୍ୟରେ ଧର୍ମ ଆଧାରରେ ବିଦ୍ବେଷ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି। ଏହି ସଂଗଠନ ନକ୍ସଲବାଦ ଓ ମାଓବାଦ ଭଳି କାମ କରୁଛି ବୋଲି ବାଘେଲ କହିଛନ୍ତି। ତେବେ ବାଘେଲ କେବଳ ହୀନମନ୍ୟତାର ଶିକାର ହୋଇ ଏଭଳି କହୁଛନ୍ତି ଏବଂ ଆର୍‌ଏସ୍‌ଏସ୍‌କୁ ବୁଝିବା ପାଇଁ ତାଙ୍କୁ ଅନେକ ଜନ୍ମ ଲାଗିଯିବ ବୋଲି ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe