ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟ ବିଦା, ଆଉ ଦୁଇ କ୍ୟାବିନେଟ୍ ମନ୍ତ୍ରୀ ବି ପଦରୁ ହଟିଲେ

Advertisment
ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟ ବିଦା, ଆଉ ଦୁଇ କ୍ୟାବିନେଟ୍ ମନ୍ତ୍ରୀ ବି ପଦରୁ ହଟିଲେ

India Today

ଜୟପୁର: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ଅସନ୍ତୁଷ୍ଟ କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି। ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଦଳୀୟ ସଂକଟର ସମାଧାନ କରିବାକୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବ‌େ ଦିଲ୍ଲୀରୁ ଯାଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ଏଥିସହ ପାଇଲଟଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି। ସଚିନ୍ ପାଇଲଟଙ୍କୁ ସନ୍ତୁଷ୍ଟ କରିବା ଲାଗି ବହୁ ଚେଷ୍ଟା ସତ୍ତ୍ବେ ସେ ବିରୋଧ ଜାରି ରଖିଥିବାରୁ ଦଳ ପକ୍ଷରୁ ଏହି କଠୋର ନିଷ୍ପତ୍ତି ନିଆଗଲା ବୋଲି ସୁରଜେୱାଲା କହିଛନ୍ତି । ଏଥିସହ ସଚିନ ପାଇଲଟଙ୍କ ଦୁଇ ସମର୍ଥକ କ୍ୟାବିନେଟ ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ ଏବଂ ରମେଶ ମୀନାଙ୍କୁ ମଧ୍ୟ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି।

ରାଜସ୍ଥାନରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାରକୁ ବଞ୍ଚାଇବାପାଇଁ କଂଗ୍ରେସ ଜୋରଦାର ଉଦ୍ୟମ ଜାରି ରଖିଛି। ଦଳ ପକ୍ଷରୁ ପାଇଲଟ୍ ଓ ଗେହଲଟଙ୍କ ମଧ୍ୟରେ ବୁଝାମଣା ଲାଗି ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ। ତେଣୁ କଂଗ୍ରେସ ପକ୍ଷରୁ ସଚିନ୍ ପଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ଗ୍ରହଣ କରାଯାଇଛି।  ଗତକାଲି ମୁଖ୍ୟମନ୍ତ୍ରୀ ଅଶେ‌ାକ ଗେହେଲଟଙ୍କ ବାସଭବନରେ ପ୍ରବଳ ଛକାପଞ୍ଝା ମଧ୍ୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକକୁ ଆସି ନଥିଲେ ପାଇଲଟ୍। ତାଙ୍କୁ ମନାଇବ‌ା ଲାଗି ଉଦ୍ୟମ ଜାରି ରହିଥିବା ବେଳେ ଦଳୀୟ ବିଧାୟକମାନଙ୍କୁ ଏକଜୁଟ୍ ରଖିବା ଲାଗି ସେମାନଙ୍କୁ ଏକ ହୋଟେଲକୁ ନେଇ ରଖାଯାଇଥିଲା। ମାତ୍ର ସଚିନ ପାଇଲଟଙ୍କ ସହ ବୁଝାମଣା ସମ୍ଭବ ହୋଇ ନ ଥିଲା।

ଇତିମଧ୍ୟରେ ସରକାରକୁ ବାହାରୁ ସମର୍ଥନ ଦେଉଥିବା ଭାରତୀୟ ଟ୍ରାଇବାଲ ପାର୍ଟିର ଦୁଇ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଜଣାଇଛନ୍ତି। ୨୦୦ ସଭ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ଥିବା ବେଳ ୧୦ ଜଣ ସ୍ବାଧୀନ ବିଧାୟକ ସମର୍ଥନ କରୁଛନ୍ତି। ଅନ୍ୟପକ୍ଷରେ ବିଜେପିର ୭୨ ଏବଂ ତିନି ଜଣ ସହଯୋଗୀ ପାର୍ଟିର ବିଧାୟକ ରହିଛନ୍ତି। ତେବେ ପାଇଲଟ୍‌ଙ୍କ ଶିବିର ପକ୍ଷରୁ ଦାବି କରାଯାଇଛି ଯେ ଗେହଲଟ୍‌ଙ୍କ ସହ ମାତ୍ର ୮୪ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଗେହଲଟଙ୍କ ବୈଠକରେ ମାତ୍ର ୧୦୬ ଜଣ ବିଧାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe