ଅର୍ଣ୍ଣବଙ୍କୁ ଗିରଫ କରିବା ମହଙ୍ଗା ପଡ଼ିଲା କି ? ସଚିନ ଭାଜେଙ୍କ ବିରୋଧରେ ଏନ୍‌ଆଇଏ ଆଣିଲା ସଙ୍ଗୀନ ଅଭିଯୋଗ

ଅର୍ଣ୍ଣବଙ୍କୁ ଗିରଫ କରିବା ମହଙ୍ଗା ପଡ଼ିଲା କି ? ସଚିନ ଭାଜେଙ୍କ ବିରୋଧରେ ଏନ୍‌ଆଇଏ ଆଣିଲା ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ଇଣ୍ଟେରିୟର୍‌ ଡିଜାଇନର୍‌ ଅନଭୟ ନାୟକଙ୍କ ଆତ୍ମହତ୍ୟା ମାମଲାରେ ଏକଦା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥିବା ପୁଲିସ୍‌ ଅଧିକାରୀ ସଚିନ ଭାଜେଙ୍କ ଅଡ଼ୁଆ ବଢ଼ିଚାଲିଛି। ଗତ ମଙ୍ଗଳବାର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟାଲିଆ ସମ୍ମୁଖରେ କାର ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ମାର୍ଚ୍ଚ ୨୫ ଯାଏ ସେ ଏନଆଇଏ ହେପାଜତରେ ରହିବେ। ଏଥିସହ ଏନଆଇଏ କହିଛି ଯେ ସେ ଆଣ୍ଟାଲିଆ ମାମଲରେ ଥିବା ତଥ୍ୟକୁ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି।

ମହାରାଷ୍ଟ୍ର ପୁଲିସ୍‌ର ତଦନ୍ତ ଓ କାର୍ଯ୍ୟଦକ୍ଷତା ପାଇଁ ସାରା ବିଶ୍ବରେ ସ୍ୱୀକୃତି ଦିଆଯାଉଥିବା ବେଳେ ମୁମ୍ବାଇ ପୁଲିସର ଏନକାଉଣ୍ଟର ବିଶାରଦ ଭାବେ ଜଣାଶୁଣା ସଚିନ ଭାଜେଙ୍କୁ ଏନ୍‌ଆଇଏ ଗିରଫ କରିବା କଥା ଏବେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶିବସେନା  ମୁଖପତ୍ର ‘ସାମ୍‌ନା’ର ସଂପାଦକୀୟରେ ଉଲ୍ଲେଖ କରାଯାଇଛି। ଭାଜେଙ୍କ ଗିରଫକୁ ଶିବସେନା ମହାରାଷ୍ଟ୍ର ପୁଲିସ୍‌ର ଅପମାନ ବୋଲି ତା’ ମୁଖପତ୍ରରେ ପ୍ରକାଶ କରିଛି।

ସେଥିରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଯଦି ବାସ୍ତବରେ ଭାଜେ ଦୋଷୀ ତେବେ ମୁମ୍ବାଇ ପୁଲିସ୍‌ ଓ ମହାରାଷ୍ଟ୍ର ଆଣ୍ଟି-ଟେରୋରିଜିମ୍‌ ସ୍କ୍ବାଡ୍‌(ଏଟିଏସ୍‌) ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯଥେଷ୍ଟ ଥିଲେ, ମାତ୍ର ଜାତୀୟ ତଦନ୍ତକାରୀ ସଂସ୍ଥା ଏହା ଚାହୁଁନଥିଲା। ଯେବେ‌ଠାରୁ ଭାଜେ ସାମ୍ବାଦିକ ଅର୍ଣ୍ଣବଙ୍କୁ ଗିରଫ କରିଛନ୍ତି ସେବେଠାରୁ ସେ ବିଜେପି ଓ କେନ୍ଦ୍ରର ଟାର୍ଗେଟରେ ରହି ଆସିଛନ୍ତି ବୋଲି ପ୍ରକାଶିତ ସଂପାଦକୀୟରେ ସ୍ଥାନ ପାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଇଣ୍ଟେରିୟର୍‌ ଡିଜାଇନର୍‌ ଅନଭୟ ନାୟକ ଓ ତାଙ୍କ ମାଆଙ୍କ ଆତ୍ମହତ୍ୟା ମାମଲାରେ ସଂପୃକ୍ତି ଥିବା ନେଇ  ଗତବର୍ଷ ନଭେମ୍ବର ୪ ତାରିଖରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ସହ ଅର୍ଣ୍ଣବ ଗୌସ୍ବାମୀ ଗିରଫ ‌ହୋଇଥିଲେ। ତାଙ୍କୁ କିଛି ଦିନ ମଧ୍ୟରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜାମିନ୍‌ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe