ଚେନ୍ନାଇ: ରାଜ୍ୟପାଳ ଆର୍. ଏନ୍. ରବିଙ୍କୁ ‘ଶାନ୍ତି ପ୍ରତି ବିପଦ’ କହି ତାଙ୍କୁ ବହିଷ୍କାର କରିବାକୁ ଅନୁରୋଧ କରି ତାମିଲନାଡୁର ଶାସକ ଦଳ ‘ଡିଏମ୍କେ’ ରାଷ୍ଟ୍ରପତିଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରିଛି।
‘ଡିଏମ୍କେ’ ଅଭିଯୋଗ କରିଛି ଯେ, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାରଙ୍କୁ ଜନସେବାରୁ ବଞ୍ଚିତ କରିବା ସହିତ ରାଜ୍ୟପାଳ ସାମ୍ପ୍ରଦାୟିକ ଅସୂୟାଭାବ ଉଦ୍ରେକ କରୁଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଥିବା ସ୍ମାରକ ପତ୍ରରେ ‘ଡିଏମ୍କେ’ କହିଛି, ସମ୍ବିଧାନ ଏବଂ ଆଇନର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରତିରକ୍ଷା ନିମନ୍ତେ ଗ୍ରହଣ କରିଥିବା ଶପଥକୁ ରାଜ୍ୟପାଳ ଆର୍.ଏନ୍. ରବି ଉଲ୍ଲଂଘନ କରିଛନ୍ତି। ବିଧାନସଭାରେ ପାରିତ ହୋଇଥିବା ଚିଠାଗୁଡ଼ିକୁ ସମ୍ମତି ଦେବାରେ ସେ ଅକାରଣରେ ବିଳମ୍ବ କରୁଛନ୍ତି।
Image Courtesy of Deccan Heraldମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ଙ୍କ ନେତୃତ୍ବାଧୀନ ଦଳ ‘ଡିଏମ୍କେ’ କହିଛି, ସରକାରଙ୍କ ପ୍ରତି ତାଙ୍କର ବିବୃତି ବିଦ୍ରୋହ ଉଦ୍ରେକକାରୀ ହୋଇଥିବାରୁ କେତେକଙ୍କର ମନେହେଉଛି ଯେ, ସେ ବିଦ୍ରୋହ ସୃଷ୍ଟିକାରୀ ମନ୍ତବ୍ୟ ଦେଉଛନ୍ତି। ତେଣୁ, ଆର୍. ଏନ୍. ରବି ଏହି ସାମ୍ବିଧାନିକ ପଦବୀ ନିମନ୍ତେ ଅଯୋଗ୍ୟ। ସେ ବହିଷ୍କାର ହେବା ଯୋଗ୍ୟ।
ସୂଚନାଯୋଗ୍ୟ, ରାଜ୍ୟପାଳ ଆର୍.ଏନ୍. ରବିଙ୍କୁ ବହିଷ୍କାର କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ସମର୍ଥନ କରିବା ଲାଗି ଚଳିତ ମାସ ପ୍ରାରମ୍ଭରେ ‘ଡିଏମ୍କେ’ ସମଭାବାପନ୍ନ ସାଂସଦମାନଙ୍କୁ ଅନୁରୋଧ କରି ପତ୍ର ଲେଖିଥିଲା।
ଉଲ୍ଲେଖଯୋଗ୍ୟ, ରାଜ୍ୟପାଳଙ୍କ ସ୍ବୀକୃତି ପାଇବା ଲାଗି ତାମିଲନାଡୁ ସରକାରଙ୍କର ୨୦ ଚିଠା ପଡ଼ି ରହିଛି। ରାଜ୍ୟ ବିଧାନସଭାରେ ଦୁଇଥର ପାରିତ ହୋଇଥିବା ‘ନିଟ୍ ଏଜେମ୍ପ୍ସନ୍ ବିଲ୍’କୁ ରାଷ୍ଟ୍ରପତିଙ୍କ ନିକଟକୁ ନ ପଠାଇ ଥିବାରୁ ଏପ୍ରିଲ୍ ମାସରେ ‘ଡିଏମ୍କେ’ ନେତାମାନେ ରାଜ୍ୟପାଳଙ୍କ ବିରୋଧରେ ପ୍ରତିବାଦ କରିଥିଲେ।
Follow Us